ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ ମୋହରାର ଛାତ୍ରୀମାନଙ୍କ ଦ୍ବାରା ‘ହର୍ ଘର୍ ତ୍ରିରଙ୍ଗା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହରାଠାରେ ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ତଥା ରାୟଗଡା ଜିଲ୍ଲା ବିଜେପି ପ୍ରଭାରୀ ଗୋବିନ୍ଦ ଜୈନ ଏବଂ ଏହି ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଦିଲୀପ କୁମାର ଦାସ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଅତିଥିମାନଙ୍କ ତତ୍ୱାବଧାନରେ ଶୋଭାଯାତ୍ରା ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ ମୋହରାରୁ ବାହାରି ସଦର ଚନ୍ଦାହାଣ୍ଡି ପରିକ୍ରମା କରିଥିଲା। ସ୍ବାଧିନତାର ଅମୃତ ମହୋତ୍ସବକୁ ଅଧିକ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଏଥିରେ ଆହ୍ବାନ ଦିଆଯାଇଥିଲା। ତ୍ରିରଙ୍ଗା ପତାକାକୁ କିପରି ଓ କାହିଁକି ସମ୍ମାନ କରିବେ ସେ ବିଷୟରେ ଛାତ୍ରୀମାନେ ବୁଝାଇଥିଲେ। ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ପତାକା ଲଗାଇ ଭାରତ ମାତାଙ୍କ ସନ୍ତାନ ବୋଲି ଗର୍ବ ଅନୁଭବ କରିବା ସହ ୭୬ତମ ସ୍ୱାଧୀନତା ଦିବସ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନଜରାନା ପ୍ରବୀଣଙ୍କ ସମେତ ଲକ୍ଷ୍ମୀଧର ନାୟକ, ତରଣୀସେନ ସାହୁ, ସୁଚିତ୍ରା ଶତପଥୀ, ଦେବରାଜ ସାହୁ ପ୍ରମୁଖ ଉକ୍ତ ଶୋଭାଯାତ୍ରା ପରିଚାଳନାର ଦାଇତ୍ୱ ନିର୍ବାହ କରିଥିଲେ।