ଭବାନୀପାଟଣା-ବିଶାଖାପାଟଣା ରାସ୍ତାରେ ଅନେକ ଘା’ : ଗାତରେ ପଡୁଛି ଜୀବନ

ମରଣଯନ୍ତା ପାଲଟିଛି ପଥ, ବିଭାଗୀୟ ଅଧିକାରୀ ନିଦ୍ରାବିଷ୍ଣୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଜୀବନରେଖା ଭାବେ ପରିଚିତ ଭବାନୀପାଟଣା – ବିଶାଖାପାଟଣା ୬ ନମ୍ବର ରାଜ୍ୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଦୈନିକ ଶହ ଶହ ଗାଡ଼ି ଚଳାଚଳ ବ୍ୟାହତ ହେବା ସହ ଅଘଟଣ ଆଶଙ୍କା ବଢ଼ିଛି। ବର୍ଷା ଆରମ୍ଭ ହେବା ପରଠାରୁ ରାସ୍ତାର ଦୟନୀୟ ଅବସ୍ଥା। ଖାସ୍ କରି କଳାହାଣ୍ଡି ସୀମାରୁ ଓଡ଼ିଶା-ଆନ୍ଧ୍ର ସୀମା ପର୍ଯ୍ୟନ୍ତ ପ୍ରାୟ ସବୁ ଜାଗାରେ ଡାମ୍ବର ଉଠିଯାଇ ବଡ଼ ବଡ଼ ଘା’ ସୃଷ୍ଟି ହୋଇଛି। ଛୋଟ ଗାଡ଼ି ଗୁଡ଼ିକ ଗାତରେ ପଶି ପଲଟି ଯାଉଥିବା ବେଳେ ବସ୍ ଓ ମାଲବାହୀ ଟ୍ରକ୍ ଡ୍ରାଇଭର ମାନେ ଜୀବନ ହାତରେ ଧରି ଗାଡ଼ି ଚଳାଉଛନ୍ତି। ରୋଗୀ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅଟକୁଛି। ଏହି ରାସ୍ତା ଦେଇ ହଜାର ହଜାର ଲୋକ ଚିକିତ୍ସା, ବ୍ୟବସାୟ ଓ ଶିକ୍ଷା ପାଇଁ ବିଶାଖାପାଟଣା ଯାଆନ୍ତି। ମାତ୍ର ଖରାପ ରାସ୍ତା ଯୋଗୁଁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ସମୟରେ ପହଞ୍ଚି ପାରୁନାହିଁ। ପ୍ରତିଦିନ ଦୁଇ-ଚାରିଟି ଲେଖାଏଁ ଛୋଟ ବଡ଼ ଅଘଟଣ ଘଟୁଥିଲେ ମଧ୍ୟ ପୂର୍ତ୍ତବିଭାଗ ନିଦ୍ରାବିଷ୍ଣୁ ପାଲଟିଛନ୍ତି। ଏହି ଲଗାଣ ବର୍ଷାରେ ଗାତ ଗୁଡ଼ିକରେ ପାଣି ଜମି ରହିଥିବାରୁ ବାଇକ୍ ଆରୋହୀ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। କାହାର ଗୋଡ଼ ହାତ ଭାଙ୍ଗୁଛି ତ ଆଉ କାହାର ମୁଣ୍ଡ ଫାଟୁଛି। “ଏଠାରେ ଯେକୌଣସି ସମୟରେ ବଡ଼ ଅଘଟଣ ଘଟିବ” ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ କିଡିଙ୍ଗ ଠାରୁ ଛତିକୁଡ଼ା ପର୍ଯ୍ୟନ୍ତ ଚାଲୁଥିବା ରାସ୍ତା କାମ ଦିର୍ଘ ମାସ ହେଲା ବନ୍ଦ ପଡ଼ିରହିଛି। ଠିକାଦାର କାମ ଛାଡ଼ି ଚାଲିଯାଇଛି। ଏବେ ରାସ୍ତାର ଡିଭାଇସ୍ ସବୁ ଭାଙ୍ଗି ଯାଇଥିବା ବେଳେ ରାସ୍ତାର ସୁରକ୍ଷା ବାଡ଼ ଠାରୁ ଆରମ୍ଭ କରି ବିଭିନ୍ନ ପୋଲ ସବୁ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଲୋକେ ଅଭିଯୋଗ କଲେ ଠିକାଦାର କହୁଛନ୍ତି, “ମୋର ବିଲ୍ ପାସ୍ ହୋଇନାହିଁ। ସରକାର ପାଖରେ ଟଙ୍କା ନାହିଁ। ଯେବେ ସରକାର ଟଙ୍କା ଦେବେ ସେବେ କାମ ଆରମ୍ଭ ହେବ। ଏହି ରାସ୍ତା ତୁରନ୍ତ ମରାମତି ନ ହେଲେ ରାସ୍ତାର ଗାତରେ ବିଭିନ୍ନ ଗଛ ଓ ଧାନ ତଳି ଲଗାଇ ଆନ୍ଦୋଳନକୁ ଓହ୍ଲାଇବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏନେଇ ପୂର୍ତ୍ତବିଭାଗ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସେ ଫୋନ୍ ଉଠାଉ ନାହାନ୍ତି। ଏହି ବ୍ୟସ୍ତବହୁଳ ରାସ୍ତାକୁ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.