ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପିଡେଲବାଜୁ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୨୬ ଟିକିଆ ଜଙ୍ଗଲୀ ହାତୀପଲର ଉତ୍ପାତରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ହାତୀପଲ ଗ୍ରାମରେ ପ୍ରବେଶ କରି ପ୍ରଥମେ ଚାଷଜମିର ଫସଲ ନଷ୍ଟ କରିବା ସହ ପିଡେଲବାଜୁ ଗାଁର ତିଲାଇ ହରିଜନଙ୍କ ଘର ଭାଙ୍ଗି ଜୀବନ ନେଇଛି ।ସୂଚନା ଅନୁଯାୟୀ, ତିଲାଏ ହରିଜନଙ୍କ ଘର କାନ୍ଥକୁ ହାତୀପଲ ଭାଙ୍ଗି ଦେଇଥିଲା। ସେହି ସମୟରେ ଘର ଭିତରେ ପାଞ୍ଚଜଣ ଶୋଇଥିଲେ। ହଠାତ୍ ହାତୀପଲକୁ ଦେଖି ଚାରିଜଣ ପୁରୁଷ ମହିଳା ଜୀବନ ବିକଳରେ ଘରୁ ବାହାରି ପଳାଇବାରେ ସଫଳ ହୋଇଥିବାବେଳେ ତିଲାଏ ହରିଜନ ଦୁର୍ଭାଗ୍ୟବଶତଃ ହାତୀପଲର ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ କୁ ଖଣ୍ଡ ବଖଣ୍ଡିତ କରି ଚାରିଆଡେ ଫିନିଦେଇ ଥିଲା।ସକାଳୁ ଘଟଣାର ଖବର ପାଇ ବନ ବିଭାଗ ଫରେଷ୍ଟର ସୁରେଶ ରାଉତ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ବିଶ୍ୱନାଥପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।ଏହି ଦୁଃଖଦ ଘଟଣା ପରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ବନ ବିଭାଗର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମୃତକଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ଓ ସ୍ଥାୟୀ ହାତୀ ଉପଦ୍ରବ ନିରାକରଣ ଦାବିରେ ପିଡେଲବାଜୁ ଛକରେ ମୂଷାନାଲ–ବିଶ୍ୱନାଥପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ କିଛି ସମୟ ପର୍ଯ୍ୟନ୍ତ ଯାତାୟାତ ବ୍ୟାହତ ହୋଇଥିଲା ପରେ ବିଶ୍ୱନାଥପୁର ଥାନା ଅଧିକାରୀ କଳ୍ପନା ବେହେରା, ଅତିରିକ୍ତ ତହସିଲଦାର ସତ୍ୟବ୍ରତ ନାୟକ, ଏସିଏଫ୍ ତଥା ଭାରପ୍ରାତ ରେଞ୍ଜର ନରୋତ୍ତମ ମାଝୀ,ଡ଼. କିରଣ କୁମାର ସାହୁ ପ୍ରମୁଖ ଆଲୋଚନା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ସରକାରଙ୍କ ନିୟମ ଅନୁଯାଇ ଅନୁକମ୍ପା ରାଶି ପ୍ରଦାନ କରିବାପାଇଁ ପ୍ରତିଶୃତି ଦିଆଯାଇଥିଲା।ସ୍ଥାନୀୟ କୁମଖାଳ ସରପଞ୍ଚ ସାନ୍ଦ୍ରୁ ମାଝୀ ହାତୀ ଉପଦ୍ରବକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ହାତୀ–ମଣିଷ ସଂଘର୍ଷ ବଢ଼ୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ବନ ବିଭାଗ ପକ୍ଷରୁ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି।





