ଗୋଲାମୁଣ୍ଡା ବ୍ଲକରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଧାନ ମଣ୍ଡି ନିକଟରେ ଆଜି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ପୁଟେଲ, ଉପ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ , ବିଡ଼ିଓ ଶ୍ରୀଧର ପଣ୍ଡା, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ବ୍ଲକ ଶିକ୍ଷା ଅଧିକାରୀ ନବ କିଶୋର ସାହୁ, ବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାୟକ, ଗୋଳାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ବିପିଏମ ସୁଧାଂଶୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଦୁଇ ଗୋଟି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିଥିଲେ ।

ଅନେକ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ପଞ୍ଚାୟତ ସମିତି ସଭ୍ୟ ଓ ଅନେକ ସ୍ୱେଚ୍ଛାସେବୀ ହାତରେ ତ୍ରିରଙ୍ଗା ପତକା ଓ ପୁଷ୍ପଗୁଚ୍ଛ ଧରି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ପରେ ଦୁଇ ରଥ ବ୍ଲକ ଅଫିସକୁ ଯାଇଥିଲା ବ୍ଲକ ଅଫିସରୁ ଗୋଟିଏ ରଥ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଗୋଲାମୁଣ୍ଡା, ମାନଝରି, ଉଦେଶୃଙ୍ଗ, ଲେତେର, ମହାଲିଙ୍ଗ, ବୋର୍ଡି, କୁହୁରା ଗ୍ରାମପଞ୍ଚାୟତ ଦେଇ ଭବାନୀପାଟଣା ବ୍ଲକ ବୋର୍ଡ ଗ୍ରାମପଞ୍ଚାୟତକୁ ଯାଇଥିବା ବେଳେ ଉକ୍ତ ରଥକୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଭବ୍ୟ ସ୍ୱାଗତ କରାଯାଇଥିଲା ।

ଅନ୍ୟ ଏକ ରଥକୁ ବିଡ଼ିଓ ଶ୍ରୀଧର ପଣ୍ଡାଙ୍କ ନେତୃତ୍ୱରେ ଖଳିଆକାନି, ବୃନ୍ଦାବହାଲ, ଖମାରହଲଦୀ ହୋଇ ଧର୍ମଗଡ଼ ବ୍ଲକକୁ ଯାଇଥିଲା। ଗୋଲାମୁଣ୍ଡା ଠାରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭବ୍ୟ ସ୍ୱାଗତ କରିଥିବା ବେଳେ ଉଚ୍ଚ ବିଦ୍ୟାଳୟ ପରିଷରରେ ଛତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଅହିଂସା ରଥର ଭିଡିଓ ବାର୍ତ୍ତା ଉପସ୍ଥାପିତ ହୋଇଥିଲା । ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୂଚନାଯୋଗ୍ୟ ଯେ, ସ୍ୱାଧୀନତାର ସନ୍ଦେଶ ତଥା ମହାତ୍ମାଗାନ୍ଧୀଙ୍କ ସତ୍ୟ ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସିଙ୍କୁ ଉଦବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ଅହିଂସା ରଥ ସମଗ୍ର ରାଜ୍ୟ ପରିକ୍ରମା କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.