ସ୍ବତନ୍ତ୍ର କୋଶଳ ପ୍ରଦେଶ ଦାବିକୁ ସମର୍ଥନ ଜଣାଇ କେସିଙ୍ଗା ବନ୍ଦ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବି ନେଇ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆହ୍ବାନ କ୍ରମେ ଆଜି ପଶ୍ଚିମ ଓଡ଼ିଶାର ୧୧ ଗୋଟି ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ ପାଳନ କରାଯାଇଛି । ତାହାକୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ମଧ୍ୟ ଶାନ୍ତି ଶୃଙ୍ଖଳା ମଧ୍ୟରେ ବନ୍ଦ ପାଳନ ହୋଇଛି । ବନ୍ଦ ପାଳନ ପ୍ରଭାବରେ କେସିଙ୍ଗା ସହରର ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିବା ସହ ଚାରି ଚକିଆ ଗାଡ଼ି ମୋଟର ଚଳାଚଳ କୁ ବନ୍ଦ କରାଯାଇଛି । ଆନ୍ଦୋଳନକାରୀଙ୍କ ପକ୍ଷରୁ କେସିଙ୍ଗା ସହର ସ୍ଥିତ ପ୍ରାଣୀ ସମ୍ପଦ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଛକରେ ଏନ୍ଏଚ୍ ୨୬ କୁ ଅବରୋଧ କରାଯାଇଥିବା ବେଳେ ପୂର୍ବତନ ନଗରପାଳ ରାମକୁମାର ଜୈନ ଏଥିରେ ସାମିଲ ହୋଇ ପଶ୍ଚିମ ଓଡ଼ିଶା ସମେତ କେବିକେ ଅଞ୍ଚଳର ଜିଲ୍ଲା ଗୁଡ଼ିକୁ ନେଇ ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ଯଥାର୍ଥ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମୋତି କୈବର୍ତ୍ତ, ବିଜୟ ଦୀପ, ଟିକେମନ ଦୀପ, ତ୍ରିନାଥ ନାଏକଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇ ବନ୍ଦ ପାଳନକୁ ସମର୍ଥନ କରିଛନ୍ତି । ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ କେସିଙ୍ଗା ସହରର ବିଭିନ୍ନ ଛକରେ ପୁଲିସ ମୁତୟନ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.