ୟୁଜିସି ରେଗୁଲେସନ ପ୍ରତ୍ୟାହାର ଦାବିରେ ଲାଞ୍ଜିଗଡ଼ ବ୍ରାହ୍ମଣ ସମାଜର ସ୍ମାରକପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଉଚ୍ଚଶିକ୍ଷା କ୍ଷେତ୍ରରେ ସମାନତା, ନ୍ୟାୟ ଓ ସାମାଜିକ ସଦଭାବନା ସୁରକ୍ଷା ଦାବିରେ ୟୁଜିସି ରେଗୁଲେସନ-୨୦୨୬ ପ୍ରତ୍ୟାହାର ପାଇଁ ସ୍ୱର ଉତ୍ତୋଳନ କରିଛି ଲାଞ୍ଜିଗଡ଼ ବ୍ରାହ୍ମଣ ସମାଜ। ଏହି ନିୟମ ସାଧାରଣ ସବର୍ଣ୍ଣ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ପକ୍ଷପାତ ସୃଷ୍ଟି କରିବା ସହ ଭାରତୀୟ ସମ୍ବିଧାନର ଧାରା ୧୪ରେ ସୁନିଶ୍ଚିତ ସମାନତାର ଅଧିକାରକୁ କ୍ଷୁଣ୍ଣ କରିପାରେ ବୋଲି ସଂଗଠନ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି। ସଂଗଠନର ମତରେ, ଶିକ୍ଷା ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ଓ ନ୍ୟାୟର ପବିତ୍ର ମଞ୍ଚ। ଏଠାରେ କୌଣସି ବର୍ଗର ଛାତ୍ରଛାତ୍ରୀ ଅବହେଳିତ କିମ୍ବା ଅନ୍ୟାୟର ଶିକାର ହେବା ଉଚିତ ନୁହେଁ। ସାମାଜିକ ସଦଭାବନା ଓ ଶିକ୍ଷାଗତ ସମାନତା ଅକ୍ଷୁଣ୍ଣ ରଖିବା ପାଇଁ ବିବାଦୀୟ ରେଗୁଲେସନର ପୁନର୍ବିଚାର ସହ ତୁରନ୍ତ ପ୍ରତ୍ୟାହାର ଦାବି କରିଛି ସମାଜ। ଏହି ଦାବିରେ ଲାଞ୍ଜିଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ସଭାପତି ହରେକୃଷ୍ଣ ଯୋଶୀଙ୍କ ନେତୃତ୍ୱରେ ସଦସ୍ୟମାନେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେରଙ୍କୁ ଭେଟି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଉପସଭାପତି ମନୋଜ ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀମୁଖ ଅଗସ୍ତି, ସାଂଗଠନିକ ସମ୍ପାଦକ ଭଗବାନ ହୋତା, କୋଷାଧ୍ୟକ୍ଷ ଦୁର୍ଗାମାଧବ ରଥ, ଲମ୍ବୋଦର ପତି, ବଳରାମ ଦାସ, ହୃଷୀକେଶ ନନ୍ଦ, ସୌମ୍ୟରଞ୍ଜନ କର, ମଧୁସୂଦନ ପଣ୍ଡା, ଦିଲ୍ଲୀପ ମିଶ୍ର, ରାମଚନ୍ଦ୍ର ଶର୍ମା, ଉମାଶଙ୍କର ବେହେରା, ମହେନ୍ଦ୍ର ପଣ୍ଡା, ଭକ୍ତବନ୍ଧୁ ପତି, ଭବାନୀଶଙ୍କର ଆଚାର୍ଯ୍ୟ, ସତ୍ୟବ୍ରତ ଦାସ, ରଘୁନାଥ ପତି ଓ ବ୍ଲକ ବ୍ରାହ୍ମଣ ସମାଜର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.