ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ସ୍ଥାନୀୟ ପିଏମ୍ଶ୍ରୀ ଉଚ୍ଚବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମଗ୍ର ଶିକ୍ଷା, ନୂଆପଡ଼ା ତରଫରୁ ବ୍ଲକ୍ସ୍ତରୀୟ ଚିକିତ୍ସା ଆକଳନ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାଞ୍ଜଳି ଯୋଷୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷା ମିନା ଘିଭେଲା ଓ ମୁଖ୍ୟ ବକ୍ତା ଭାବରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଅରୁଣ କୁମାର ଯୋଷୀ ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ମନୀଷ ପଟେଲ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସତ୍ୟବ୍ରତ ଗହୀର ଓ ଖଗେଶ୍ୱର ନାଏକ ଯୋଗଦେଇଥିଲେ। ସଭାକାର୍ଯ୍ୟକୁ ଲୋଚନ ମେହେର ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିର ପରିଚାଳନାରେ ବ୍ଲକ୍ ଅନ୍ତର୍ଗତ ସମସ୍ତ ସିଆର୍ସିସି ଓ ଆଇଇଭିମାନେ ସହଯୋଗ କରିଥିଲେ। ଏହି ଅବସରରେ ଚିହ୍ନଟ ହୋଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଶିକ୍ଷାଗ୍ରହଣକୁ ସହଜ ଓ ସୁଗମ କରିବା ତଥା ସେମାନଙ୍କୁ ଆତ୍ମନିର୍ଭରଶୀଳ କରି ଗଢ଼ିତୋଳିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ମହେଶ୍ୱର ପ୍ରଧାନ ପରିଚାଳନା କରିଥିଲେ।





