ଓଡ଼ିଆ ବାର୍ତ୍ତା/ କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ସବୁବେଳେ ମରୁଡି ପ୍ରପୀଡ଼ିତ ଅଞ୍ଚଳ ଭାବରେ ଜଣାଶୁଣା ଏହାକୁ ଦୃଷ୍ଟିରେ ରଖି ସରକାର ଗତ ବର୍ଷ ଇନ୍ଦ୍ରାବତୀ ଜଲଭଣ୍ଡାରରୁ କୋକସରା ବ୍ଲକର ୧୧୩୦୧୭୧ ହେକ୍ଟର ଜମିକୁ ଜଳସେଚିତ କରି ମରୁଡିରୁ ରକ୍ଷା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ମେଗାଲିଫ୍ଟ କେନାଲର ଉଦଘାଟନ କରିଥିଲେ। ହେଲେ ଏହି ମେଗାଲିଫ୍ଟ ପଏଣ୍ଟର ଭୁତଳ ଦେଇ ପୋତା ଯାଇଥିବା ପାଇପ ଲାଇନ କାମ ନିମ୍ନ ମାନର ହୋଇଥିବା ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତା ପାଇଁ ଚାଷୀମାନେ ପାଣି ପାଇ ପାରୁନାହାନ୍ତି। କେତେକ ଜାଗାରେ ପାଇପ ଫାଟି ଅକାମି ହୋଇ ଯାଇଥିବାରୁ ପାଣି ପାଇ ନପାରି ଏବେ ଚାଷୀଙ୍କ ଫସଲ ମରୁଡି ଅବସ୍ଥାରେ। ଦୀର୍ଘ ଦିନ ହେଲା ବର୍ଷା ହେଉନ ଥିବା ଯୋଗୁଁ ଚାଷୀ ମାନେ ଏହି ମେଗାଲିଫ୍ଟ ପଏଣ୍ଟ ଉପରେ ଭରସା ରଖିଥିଲେ, ହେଲେ ନିର୍ମାଣ କାର୍ଯ୍ୟ ନେଇଥିବା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଚାଷୀ ଆଜି ସମସ୍ୟାର ସମ୍ମୁଖୀନ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବାରମ୍ବାର ଲିଖିତ ଆକାର ରେ ଅଭିଯୋଗ କଲେ ମଧ୍ୟ ବିଭାଗ ଆଜି ହେବ କାଲିହେବ ବୋଲି ମାସ ମାସ ଦିନ ଗଡେଇ ନେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏହି ଖାମ ଖିଆଲ ନୀତି ଯୋଗୁଁ ବାଧ୍ୟ ହୋଇ ଆଜି କାସିବାହାଲ, ରେଙ୍ଗାଳପାଳି ଓ ଡହଗାଁର ଚାଷୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି ଶୀଘ୍ର ସମସ୍ୟାର ସମାଧାନ ପାଇଁ ଜିଦରେ ଅଡ଼ି ବସିଥିଲେ।
(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)
ତିନି ପଞ୍ଚାୟତର ଚାଷୀଙ୍କ ଧାରଣାରେ କାସିବାହାଲ ଗ୍ରାମର କିଶୋର ନାଏକ, ଦେବେନ୍ଦ୍ର ଚଣ୍ଡୀ, ଚୈତନ୍ୟ ନାଏକ, ସନ୍ତୋଷ ଚଣ୍ଡୀ, ଏକରାମ ଗହୀର, ଯୁଗେ ନାଗ, ଦେବେନ୍ଦ୍ର ଭଇଁସାଲ, ରାହାସ ନାଏକ, ଗୋବର୍ଦ୍ଧନ ମାଝୀ, ବୈଦନାଥ ରୋତି, ବଳ ଚଣ୍ଡୀ, ଭାଗୀ ଚଣ୍ଡୀ, ସୁଧାଂଶୁ ନାଏକ, ଅମର ମାଝୀ ଓ ଡହ ଗାଁର ଭିଙ୍ଗରାଜ ନାଗ, ବିପିନ ନାଗ, ଚିତରୁ ନାଗ ଜଗମୋହନ ଧଙ୍ଗଡ଼ାମାଝି, ଡ଼ଙ୍ଗାରୀଗୁଡାର ଜିତେନ୍ଦ୍ର କେତକୀ, ଉମାକାନ୍ତ ପୂଝାରୀ ପ୍ରମୁଖ ଚାଷୀ ଧାରଣାରେ ବସିଥିଲେ। ଦୀର୍ଘ ପାଞ୍ଚ ଘଣ୍ଟାର ଧାରଣା ପରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଅରୁଣ କୁମାର ପ୍ରଧାନ ଚାଷୀଙ୍କୁ ବୁଝା ସୁଝା କରି କ୍ଷେତ୍ର ପରିଦର୍ଶନ ରେ ଯାଇ ଦିନେ ଦୁଇ ଦିନ ମଧ୍ୟରେ ମରାମତି ପାଇଁ ପ୍ରତିଶୃତି ଦେବାରୁ ଚାଷୀ ମାନେ ଧାରଣାରୁ ଉଠିଥିଲେ।