ନର୍ଲା ପାଇଁ ସ୍ୱପ୍ନ ସାଜିଛି ବିକାଶ; ସ୍ଥାଣୁ ପାଲଟିଛନ୍ତି ନେତୃବୃନ୍ଦ, ଦାୟୀ କରାଯିବ କାହାକୁ ??

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପାଇଁ ବିକାଶ ସ୍ୱପ୍ନ ସାଜିଛି । ଲୋକ ପ୍ରତିନିଧି, ବିଧାୟକ, ମନ୍ତ୍ରୀ, ନେତା, ଅଧିକାରୀ କାହାରି ନଜର ପଡୁନି ନର୍ଲାର ବିକାଶ ଉପରେ । ଏବେବି ସେହି ୨୫ ବର୍ଷ ତଳର ନର୍ଲା ହୋଇ ପଡି ରହିଛି । ବିକାଶର ନା ଗନ୍ଧ ନାହିଁ । ସମସ୍ତେ କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ କଥା ମଞ୍ଚ ଗୁଡିକରେ କହି ଦିନରାତି ରାଜ୍ୟ ସରକାରଙ୍କ ଡିଣ୍ଡିମ ପିଟିବା ସାର ହୋଇଛି । ଗତ ୧୫ ବର୍ଷ ଧରି ନର୍ଲାରେ ପ୍ରସ୍ତାବିତ ଲୋକୋମୋଟିଭ କାରଖାନା କୋମାରେ ପଡି ରହିଥିବା ବେଳେ କେର୍କେଟା, ଚିପୁଲ ନାଲା, ରେତ ଭଳି ଜଳସେଚନ ପ୍ରକଳ୍ପ ଗୁଡିକ ନାମକୁ ମାତ୍ର ରହିଛି । ଚିପୁଲ ନାଲା ପ୍ରକଳ୍ପର କେନାଲରେ ପାଣି ଆସୁ ନଥିବା ବେଳେ ରେତ ପ୍ରକଳ୍ପରେ ନର୍ଲାର ପାଣିକୁ ଭବାନୀପାଟଣା ବ୍ଲକର ଚାଷୀ ଉପଯୋଗ କରୁଥିବା ସାର ପାଲଟିଛି । ନର୍ଲା ଚାଷୀ ଘଣ୍ଟ ବାଡେଇ ବସିଛନ୍ତି । ପ୍ରତିବର୍ଷ ନର୍ଲାରେ ବାରମ୍ବାର ମରୁଡି ହେଉଛି । ଏଥିପ୍ରତି ନେତା ମନ୍ତ୍ରୀଙ୍କ ନିଘା ନାହିଁ । ଦୀର୍ଘ ୨୦ ବର୍ଷ ଧରି ନର୍ଲାରେ ଶବ ବ୍ୟବଚ୍ଛେଦ ଗୃହ ସ୍ଥାପନ ପାଇଁ ନର୍ଲାବାସୀ ଦାବୀ କରୁଥିଲେ ମଧ୍ୟ ନର୍ଲା ବାସୀଙ୍କ ଆଶା ଆଶାରେ ହିଁ ରହିଯାଇଛି । ୨୦୦୯ ମସିହାରୁ ନର୍ଲା ବିଧାୟକ ଭୁପିନ୍ଦର ସିଂ ବିରୋଧି ଦଳ ନେତା ରହିଥିବା ସମୟରୁ ଆଜି ହେଇଯିବ, କାଲି ହୋଇଯିବ, ମୁଁ ଏଥିପାଇଁ ବିଧାନ ସଭାରେ ପ୍ରସ୍ତାବ ଦେଇ ଆସିଛି ବୋଲି କହୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୧୩ ବର୍ଷ ପରେ ମଧ୍ୟ ହୋଇ ପାରିଲା ନାହିଁ ସାମାନ୍ୟ ଶବ ବ୍ୟବଚ୍ଛେଦ ଗୃହ । ନର୍ଲାବାସୀ ଏଥିପାଇଁ ଅନେକ ହଇରାଣ ହରକତ ହୋଇ ମ.ରାମପୁର ଓ ଭବାନୀପାଟଣା ଧାଉଁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ସାରା ପ୍ରତ୍ୟେକ ବ୍ଲକରେ ମିନି ଷ୍ଟାଡିୟମ ଗୁଡିକ ହୋଇ ସାରିଥିବା ବେଳେ ନର୍ଲା ଖେଳପଡିଆକୁ ଆସି ନର୍ଲା ବିଧାୟକ ମହୋଦୟ ଇଣ୍ଡୋର ଷ୍ଟାଡିୟମ ପାଇଁ ଶିଳାନ୍ୟାସ କଲେ କିନ୍ତୁ ଏହା ମଧ୍ୟ ଫୁସ୍ କଲା । ଇଣ୍ଡୋର ଷ୍ଟାଡିୟମକୁ ଚାତକ ପରି ଚାହିଁ ରହିଛନ୍ତି ବ୍ୟାଡମିଣ୍ଟନ ଟିମ୍ । ଚଳିତ ବର୍ଷ ମଧ୍ୟ କେଡିଆ ମିଲରେ ୱାନ ଡେ ନକଆଉଟ ବ୍ୟାଡମିଣ୍ଟନ ମ୍ୟାଚ୍ କରିବାକୁ ପଡିବ ବୋଲି ଭାଙ୍ଗି ପଡିଛନ୍ତି ଆୟୋଜକ ଗୋଷ୍ଠି । ନର୍ଲା ମୁଖ୍ୟ ରାସ୍ତା ମାର୍କେଟ ମଝିରେ ଚାରିଛକରୁ ରେଖପୁର ଛକ ଯାଏଁ ୱାନ ୱେ ରାସ୍ତା ଓ ସୌନ୍ଦର୍ଯ୍ୟ କରଣ ପାଇଁ ଗତ ଅପ୍ରେଲ ମାସରେ ମାପଯୁପ ସରିଲା । ହେଲେ ଆରମ୍ଭ ହେବାର ନାଁ ଧରୁନି ୱାନ ୱେ ରାସ୍ତା । ନର୍ଲା, ସର୍ଗିଗୁଡା, ମାଣ୍ଡେଲ, ଘଣ୍ଟମାଳ, ବାଗପୁର, ଭାନପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଜନସାଧାରଣ ଗ୍ରାମ ଗୁଡିକର କଂକ୍ରୀଟ ରାସ୍ତା ଉପରେ ବାହା ଭୋଜି ସବୁ କରୁଥିବାର ଦୃଶ୍ୟମାନ ହେଉଛି । ଦୀର୍ଘ ଦିନ ଧରି ଦାବି ହେଉଥିଲେ ମଧ୍ୟ ନର୍ଲାରେ କଲ୍ୟାଣ ମଣ୍ଡପ ଟେ ହୋଇ ପାରିଲା ନାହିଁ ।କେତେଜଣଙ୍କର ପ୍ରୟାସରେ ତହସିଲ ଅଫିସ ପାଖରେ ୩୨ ଡିସିମିଲ ସରକାରୀ ଜାଗା ଠାବ କରି ମାପଯୁପ ହୋଇ ପିଲର ପାଇଁ ଗାତ ଖୋଳା ହୋଇ ୭ ମାସ ବିତିଗଲା । ହେଲେ କଲ୍ୟାଣ ମଣ୍ଡପ ନିର୍ମାଣ କାମ ଆଗେଇବାର ନାଁ ଧରୁନି । କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଯେଉଁ ବିବାଦ ଉପୁଜି କାମ ବନ୍ଦ ହୋଇ ପଡିଛି ତା’ର ସମାଧାନ ଦିଗରେ କାହାର ପ୍ରଚେଷ୍ଟା ନାହିଁ । ନର୍ଲାର ୧୪୬ ସ୍କୁଲରେ ଶିକ୍ଷକ ସମସ୍ୟା ରହିଛି । ନର୍ଲା ଥାନାରୁ ଆରମ୍ଭ କରି, ବ୍ଲକ, କୃଷି ବିଭାଗ, ତହସିଲ ଅଫିସ ସବୁଠି କର୍ମଚାରୀ ଅଭାବ ଯୋଗୁଁ କାମ ଠପ ହୋଇ ପଡିଛି । ଏଥିପ୍ରତି ନର୍ଲା ବିଧାୟକ ଗୁରୁତ୍ୱ ଦେଉ ନଥିବାରୁ ବିକାଶରେ ଏହା ପ୍ରତି ବନ୍ଧକ ସାଜୁଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ଦିନକୁ ଦିନ ଚୋର ଆତଙ୍କ ବଢିଚାଲିଥିବା ବେଳେ ଗତ ଛ ମାସ ମଧ୍ୟରେ ସମୀର ଗନ୍ତାୟତ ଘରୁ ଚୋରୀ, ସନ୍ତୋଷ ଦାସଙ୍କ ବାଇକ ଚୋରୀ, ନର୍ଲା ଜୟଗୁରୁ ମନ୍ଦିର ନିକଟସ୍ଥ ସୁନା କାରିଗର ରବୀନ୍ଦ୍ର ମହାପାତ୍ରଙ୍କ ଘର ଚୋରୀ ଭଳି ଅନେକ ଚୋରି, ଡକାୟତି ଘଟଣା ଘଟିଥିଲେ ମଧ୍ୟ ନର୍ଲା ପୋଲିସ୍ ଚୋର ଧରିବାରେ ବିଫଳ ହୋଇଛି । କେବଳ ସକାଳେ ସଂଧ୍ୟାରେ ବାଇକ, ହେଲମେଟ ଓ ନମ୍ବର ପ୍ଲେଟ ଚେକିଂ ନର୍ଲା ପୋଲିସର ମୁଖ୍ୟ କାମ ସାଜିଥିବା ଭଳି ପ୍ରତୀୟ ମାନ ହେଉଛି । ଏବେ ଆଉ ପୋଲିସ୍ ସମିତି ମିଟିଂ କରାଯାଉନି କାହିଁକି ? ଆଗଭଳି ଆଉ ପେଟ୍ରୋଲିଂ ହେଉନି କାହିଁକି ? ପୋଲିସ ପ୍ରତି ଶାସକ ଦଳର ଅଙ୍କୁଶ ରହୁନି କି ? ନର୍ଲାରୋଡ ବସ୍ତି ମଝି ହନୁମାନ ମନ୍ଦିର ଅତି ନିକଟରେ ରହିଥିବା ବିଦେଶୀ ମଦ ଦୋକାନ ଘୁଞ୍ଚିବା ଦାବୀ ଦୀର୍ଘ ଦିନରୁ ହୋଇ ଆସୁଥିଲେ ମଧ୍ୟ ମାନ୍ୟବର ବିଧାୟକ ଏଥିପ୍ରତି ଗୁରୁତ୍ୱ ଦେଉ ନଥିବା ଅଭିଯୋଗ ହେଉଛି । ବସ୍ତି ମଝି ରାସ୍ତା ଉପରେ ରହିଥିବା ଏହି ବିଦେଶୀ ମଦ ଦୋକାନ ସାମନା ଦେଇ ମା ଭଉଣୀ ମାନେ ମନ୍ଦିର ଯିବା ସମୟରେ, ଜୟଦୁର୍ଗା ହାଇସ୍କୁଲର ଛାତ୍ରୀ ମାନେ ସ୍କୁଲ ଯିବା ସମୟରେ ମଦ୍ୟପଙ୍କ ଅଶ୍ଲୀଳ ଇଙ୍ଗିତ ଓ କମେଣ୍ଟ ର ଶୀକାର ହେଉଛନ୍ତି । କାହିଁକି ସ୍ଥାନାନ୍ତର ହେଉନି ବିଦେଶୀ ମଦ ଦୋକାନ ? ଦୀର୍ଘ ୩୦ ବର୍ଷ ହେଲା ନର୍ଲା ରେଞ୍ଜ ଅଫିସ ରାମପୁରରେ ରହିଛି । ନର୍ଲାବାସୀ ଏଥିପାଇଁ ଅନେକ ହଇରାଣ ହରକତ ହେଉଛନ୍ତି। ନର୍ଲାରେ ନୂଆ ରେଞ୍ଜ ଅଫିସ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଟଙ୍କା ଆସି ପଡି ରହିଥିଲେ ମଧ୍ୟ ନର୍ଲାରେ ନୂଆ ରେଞ୍ଜ ଅଫିସ ନିର୍ମାଣ ହୋଇ ପାରୁନି କାହିଁକି ? ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୯ ଜଣ ଡାକ୍ତର ରହିବା କଥା । ହେଲେ ଆୟୁଷ ଡାକ୍ତରଙ୍କୁ ମିଶାଇ ମାତ୍ର ୩ ଜଣ ଡାକ୍ତରରେ ନାହିଁ ନାହିଁରେ ଚାଲିଛି ନର୍ଲା ଡାକ୍ତରଖାନା । ନର୍ଲା ଡାକ୍ତରଖାନାରେ ଡାକ୍ତର ନଥିବା ଯୋଗୁଁ ନର୍ଲାର ଲୋକେ ଧାର କରଜ କରି ବିଶାଖାପାଟଣା, କଟକ, ଭୁବନେଶ୍ୱର ହସ୍ପିଟାଲ ଯାଇ ହଇରାଣ ହେଉଛନ୍ତି । ଗତ ବର୍ଷରୁ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ସିଡିଏମଓଙ୍କୁ ନର୍ଲାରୁ ଡେପୁଟେସନରେ ନେଇଥିବା ଡାକ୍ତର ମାନଙ୍କୁ ଫେରେଇବା ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ ସିଡିଏମଓ କର୍ଣ୍ଣପାତ କରୁ ନାହାଁନ୍ତି । ନର୍ଲା ଡାକ୍ତରଖାନା ସିଏଚସି ମାନ୍ୟତା ପାଇ ୧୫ ବର୍ଷରୁ ଉର୍ଦ୍ଧ୍ବ ହୋଇ ସାରିଥିବା ବେଳେ ୩୦ ଶଯ୍ୟା ବିଶିଷ୍ଟ ହୋଇ ପାରିନାହିଁ ସେହି ୬ ଶଯ୍ୟାରେ ଚାଲିଛି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର । ସମସ୍ୟା ଜର୍ଜରିତ ନର୍ଲା ଡାକ୍ତରଖାନାରେ ଏଭଳି ଗୁରୁତର ସମସ୍ୟା ଗୁଡ଼ିକ ସମାଧାନ ହୋଇ ପାରୁନି । ଏଥିପାଇଁ ଦାୟୀ କରାଯିବ କାହାକୁ ? ବିଦ୍ୟାଳୟ ଗୁଡିକରେ କଳାହାଣ୍ଡି ସାଂସଦ ଆଗରୁ ନର୍ଲାକୁ କାଁ ଭାଁ ଆସୁଥିଲେ । ନର୍ଲାରେ ସମୁଦିବନ୍ଧୁ ବାନ୍ଧିବା ପରେ ଗତ ଦୁଇ ବର୍ଷ ଧରି ନର୍ଲାକୁ ଲଗାତାର ଆସୁଥିଲେ ମଧ୍ୟ ନର୍ଲାରେ ରହିଥିବା ସମସ୍ୟା ଗୁଡିକୁ ଅଣଦେଖା କରୁଛନ୍ତି । ଏଥିରୁ ନର୍ଲା ପ୍ରତି ତାଙ୍କର ଆନ୍ତରିକତା ବେଶ ଅନୁମେୟ । ଠିକ ସେହିଭଳି ରାଜ୍ୟ ସରକାରଙ୍କ ବିକାଶର ମଙ୍ଗ ଧରିଥିବା, ନର୍ଲା ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇ ଥର ବିଧାୟକ ହୋଇ ବିକାଶର ଛବି ଆଙ୍କି ଅଞ୍ଚଳବାସୀଙ୍କୁ ନର୍ଲା ବିକାଶର ସ୍ୱପ୍ନ ଦେଖାଉଥିବା ବିଧାୟକ ଭୁପିନ୍ଦର ସିଂ ନର୍ଲାର ବିକାଶ ପାଇଁ କେତେ ତତ୍ପର ତାହା ନର୍ଲାବାସୀ ହୃଦୟଙ୍ଗମ କରି ସାରିଲେଣି। ସେହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ରାଜ୍ୟସଭା ସାଂସଦ ପଦବୀ ମଣ୍ଡନ କରିଥିବା, ଓ ଆଗାମୀ ନିର୍ବାଚନରେ ନର୍ଲା ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ଆଶାୟୀ ପ୍ରାର୍ଥୀ ଭାବରେ ପ୍ରସ୍ତୁତ ହେଉଥିବା ମାନ୍ୟବର ସାଂସଦ ସୁଜିତ କୁମାର ସେଠ ମଧ୍ୟ ରାଜ୍ୟ ସରକାରଙ୍କ ବିକାଶ କଥା ଡିଣ୍ଡିମ ପିଟୁଛନ୍ତି । ହେଲେ ଜନସାଧାରଣଙ୍କ ପ୍ରଶ୍ନ ନର୍ଲା କେତେ ବିକାଶ କରିଛି ? ସେହିଭଳି ଗତ ତ୍ରୀ-ସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଜେଡି ଏକ ତରଫା ଭାବରେ ବିଜୟ ଲାଭ କରି ଜିଲ୍ଲା ପରିଷଦ ଗଠନ କଲା । ବିଜେଡିର ବରିଷ୍ଠ ଯୁବନେତା ଜିଲ୍ଲା ଉପସଭାପତି ତଥା ବିଜୁବାବୁଙ୍କ ପ୍ରିୟ ମ. ରାମପୁରର ଦିବଙ୍ଗତ ନେତା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କିରଣ ଚନ୍ଦ୍ର ସିଂ ଦେଓଙ୍କ ସୁପୁତ୍ର ପୁଷ୍ପେନ୍ଦ୍ର କୁମାର ସିଂଦେଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେଲେ । ଗତ ମାର୍ଚ୍ଚ ମାସରୁ ଜିଲ୍ଲାର ଦାୟିତ୍ବଭାର ଗ୍ରହଣ କଲେ । ପ୍ରତିଦିନ ତାଙ୍କ ଘର ମ.ରାମପୁରରୁ ନର୍ଲା ଦେଇ ଭବାନୀପାଟଣା ଯାଇଥାନ୍ତି । ନର୍ଲା ଫୁଟବଲ ମ୍ୟାଚ, ସଭା ସମିତି କାର୍ଯ୍ୟକ୍ରମ ସବୁରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରାଜ୍ୟ ସରକାରଙ୍କର ବିକାଶ କଥା କହି ପୁଳା ପୁଳା ପ୍ରସଂଶା ସାଉଁଟୁଛନ୍ତି । ହେଲେ ନର୍ଲା ବିକାଶ କଥା……? ନର୍ଲାରେ ରହିଥିବା ଉପରୋକ୍ତ ସମସ୍ୟାର ସମାଧାନ କେବେ ?? ପୂର୍ବତନ କେନ୍ଦ୍ରମନ୍ତ୍ରୀ, କଳାହାଣ୍ଡିର ଲଢୁଆ ନେତା ଭକ୍ତ ଦାସ ବାବୁ ଗଲେ କୁଆଡେ ?? କଳାହାଣ୍ଡି ଓ ଓଡିଶା ଚିନ୍ତା ଛାଡି ଏବେ ବିହାର ପ୍ରଭାରୀ ଦାଇତ୍ୱରେ ରହି ବିହାର ବିକାଶ କଥା ଚିନ୍ତା କରୁଛନ୍ତି । ତାଙ୍କ ସୁପୁତ୍ର ସାଗର ବାବୁ କୋଶଳ ମୁକ୍ତି ମୋର୍ଚ୍ଚାର ମଙ୍ଗ ଧରିଛନ୍ତି । ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ସରକାର ସହ ଲଢେ଼ଇ କରିବାରେ ବାପ ପୁଅଙ୍କ ଗର୍ଜନ ଓ ସାମର୍ଥ୍ୟ ଏବେ ଆଉ ଆଗଭଳିଆ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ନର୍ଲା ବିକାଶ ପାଇଁ, ନର୍ଲା ବାସୀଙ୍କ ପାଇଁ ଦରଦୀ ବନ୍ଧୁ ସାଜିବାର ଗାଥା ଗାନ କରୁଥିବା ନେତୃ ମଣ୍ଡଳୀ ଏହାର ଜବାବ ଦେବେକି ?

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.