ଅନେକ ବର୍ଷ ଧରି ଖାଲି ପଡ଼ିଛି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ

ନୂତନ ଭାବେ ଯୋଗଦାନ କରିଥିବା ଶିଶୁ ରୋଗ ବିଶେଷଜ୍ଞଙ୍କୁ ଅନ୍ୟତ୍ର ଡେପୁଟେସନ କରିବା ପାଇଁ ଉଦ୍ୟମ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ସହରରେ ଥିବା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ଡ଼ାକ୍ତରଖାନା ଅଟେ । ଏଥିରେ ସାଧାରଣ ରୋଗୀଙ୍କ ପାଇଁ ୩୦ ଶଯ୍ୟା ବିଶିଷ୍ଟ ବେଡ୍ ଓ ଏମସିଏଚ ବିଭାଗରେ ୩୦ ଶଯ୍ୟା ବିଶିଷ୍ଟ ବେଡ୍ ଉପଲବ୍ଧ । ଏହି ଡାକ୍ତରଖାନା କେସିଙ୍ଗା ସହର ଓ ବ୍ଲକ ସମେତ କର୍ଲାମୁଣ୍ଡା, ମ.ରାମପୁର, ନର୍ଲା ବ୍ଲକ୍ ଏବଂ ବଲାଙ୍ଗିର ଜିଲ୍ଳାର ଟିଟିଲାଗଡ଼ ବ୍ଲକ୍ ଅଞ୍ଚଳର ହଜାର ହଜାର ଲୋକ ସ୍ବାସ୍ଥ୍ୟ ସେବା ନିମନ୍ତେ ନିର୍ଭର କରନ୍ତି । ହେଲେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନଥିବାରୁ ଲୋକେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସମସ୍ତ ପ୍ରକାର ଭିତ୍ତିଭୂମିର ସୁବିଧା ସହିତ ଯୋଗାଯୋଗ ବ୍ୟବସ୍ଥା ରହିଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନହୋଇ ଅନେକ ବର୍ଷ ହେଲା ଖାଲି ପଡ଼ିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇନଥିବା ବେଳେ ଉପଯୁକ୍ତ ଚିକିତ୍ସା ସୁବିଧା ପାଇବା ପାଇଁ ଲୋକେ ବାହାରରେ ଥିବା ଘରୋଇ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିଲେ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି । ନିୟମାନୁସାରେ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଅଧିକ୍ଷକଙ୍କ ସହିତ ଜଣେ ସର୍ଜରୀ ବିଶେଷଜ୍ଞ, ଜଣେ ମେଡ଼ିସିନ ବିଶେଷଜ୍ଞ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ, ଜଣେ ଶିଶୁ ରୋଗ ବିଶେଷଜ୍ଞଙ୍କ ସମେତ ଅନ୍ୟ କେତେକ ଏମବିବିଏସ ଡାକ୍ତର ନିଯୁକ୍ତି ରହିବା କଥା । ହେଲେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ହୋଇଥିଲେ ମଧ୍ୟ ତାଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଯାଇଛି । ଡ଼ାକ୍ତରଖାନା ଦାୟିତ୍ବରେ ଥିବା ଅଧିକ୍ଷକ ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ହୋଇଥିବାରୁ ସେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଦାୟିତ୍ବ ସମ୍ଭାଳୁଛନ୍ତି ।‌‌ ସେହିପରି କଳାହାଣ୍ଡି ଜିଲ୍ଲା ଏକ ଆକାଂକ୍ଷା ଜିଲ୍ଲା ଭାବରେ ରହିଥିବାରୁ ସରକାରଙ୍କ କର୍ପସ ଫଣ୍ଡରୁ ଜଣେ ଶିଶୁ ରୋଗ ବିଶେଷଜ୍ଞ କାର୍ଯ୍ୟରତ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ର ସଂଖ୍ୟା ୨୦୦୩୪, ତାରିଖ ୧୨-୯-୨୦୨୨ ଅନୁସାରେ ସରକାର ରାଜ୍ୟରେ ୧୨୬ ଜଣ ବିଭିନ୍ନ ବିଭାଗର ଡ଼ାକ୍ତର ନିଯୁକ୍ତି ଦେଇଛନ୍ତି । ସେଥିରେ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଶିଶୁ ବିଶେଷଜ୍ଞ ଭାବେ ଡାକ୍ତର ଦିପକ ଖମାରୀ ନିଯୁକ୍ତି ପାଇଥିବା ବେଳେ ସେ କିଛି ଦିନ ତଳେ ଡାକ୍ତରଖାନାରେ ଯୋଗଦାନ କରି ଛୁଟିରେ ଯାଇଥିବା ଜଣାପଡିଛି । ଯାହାକି ନୂତନ ଭାବେ ଯୋଗଦାନ କରିଥିବା ଶିଶୁ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ୟତ୍ର ଡେପୁଟେସନରେ ପଠାଇବା ପାଇଁ ଉଦ୍ୟମ ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ସେହିପରି କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ସର୍ଜରୀ ଏବଂ ମେଡ଼ିସିନ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନହୋଇ ଖାଲି ପଡ଼ିଛି । ବର୍ତ୍ତମାନ ଜଣେ ଦାନ୍ତ ରୋଗ ଡାକ୍ତର ସହିତ ୫ ଜଣ ଏମବିବିଏସ ଡାକ୍ତର କାର୍ଯ୍ୟରତ ଥିବା ଜଣାପଡିଛି । ତେଣୁ ଅଞ୍ଚଳବାସୀଙ୍କ ଉପଯୁକ୍ତ ଚିକିତ୍ସା ସୁବିଧା ପାଇଁ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା ସହ ନୂତନ ଭାବେ ନିଯୁକ୍ତି ହୋଇଥିବା ଶିଶୁ ବିଶେଷଜ୍ଞ ଡାକ୍ତରଙ୍କୁ ଅନ୍ୟତ୍ର ଡେପୁଟେସନରେ ନପଠାଇବା ପାଇଁ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.