ଅଣ୍ଡର ୧୭ ମହିଳା ଫୁଟବଲ: ବ୍ରାଜିଲ ଠାରୁ ୫-୦ରେ ହାରିଲା ଭାରତ, ତିନୋଟି ମ୍ୟାଚରେ ଗୋଟିଏ ବି ଗୋଲ ଦେଇପାରିଲାନି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର:  କଳିଙ୍ଗ ଷ୍ଟାଡିୟମରେ ଅଣ୍ଡର ୧୭ ମହିଳା ଫୁଟବଲ ମ୍ୟାଚର ଶେଷ ମ୍ୟାଚରେ ଭାରତ ବ୍ରାଜିଲଠାରୁ ପରାଜିତ ହୋଇଛି । ଆମେରିକା ଓ ମରକ୍କୋ ଠାରୁ ପରାଜିତ ହେବା ପରେ ପୁଣି ତୃତୀୟ ମ୍ୟାଚରେ ଆଜି ବ୍ରାଜିଲଠାରୁ ହାରିଛି  ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଦଳ । ବ୍ରାଜିଲଠାରୁ ୫-୦ ଗୋଲରେ ପରାଜିତ ହୋଇ ଭାରତୀୟ ମହିଳା ଟିମ ବିଶ୍ବକପରେ ନିଜର ଅଭିଯାନ ଶେଷ କରିଛି । ଭାରତୀୟ ଟିମର ନୈରାଶଜନକ ଖେଳ ଫୁଟବଲ ପ୍ରଶଂସକଙ୍କୁ ନିରାଶ କରିଛି ।

ଆଜି ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଶେଷ ମ୍ୟାଚ୍ ଶକ୍ତିଶାଳୀ ବ୍ରାଜିଲ ସହ ଖେଳୁଥିବା ବେଳେ ବ୍ରାଜିଲ ଟିମ ଭାରତ ଉପରେ ଭାରି ଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୮ଟାରୁ ଆରମ୍ଭ ହୋଇଥିବା ମ୍ୟାଚରେ ପ୍ରଥମ ହାଫରେ ବ୍ରାଜିଲ ଦଳ ଭଲ ଖେଳିଥିଲେ । ପ୍ରଥମ ହାଫରେ  ୨ଟି ଗୋଲ ସ୍କାର କରିଥିଲା ବ୍ରାଜିଲ । ପରେ ଦ୍ବିତୀୟ ହାଫରେ ୩ଟି ଗୋଲ କରିଥିଲା । ଭାରତ ଉପରେ ବ୍ରାଜିଲର ଘନ ଘନ ଆକ୍ରମଣ ଦେଖିବାକୁ ମିଳିଥିଲା ।  ପୂର୍ବ ଦୁଇ ମ୍ୟାଚ୍‌ରେ ମଧ୍ୟ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଆମେରିକା ବିପକ୍ଷରେ ଭାରତୀୟ ଦଳ ୮ଟି ଗୋଲ ଖାଇଥିଲା । ମରକ୍କୋ ବିପକ୍ଷରେ ପ୍ରଥମାର୍ଦ୍ଧରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଯାହାଫଳରେ ପ୍ରଥମ ହାଫ୍ ଗୋଲ ଶୂନ୍ୟ ରହିଥିଲା । ମାତ୍ର ଦ୍ୱିତୀୟ ଭାଗରେ ଘରୋଇ ଖେଳାଳି ନିଜର ପୂର୍ବ ପ୍ରଦର୍ଶନ ବଜାୟ ରଖିବାରେ ବିଫଳ ହୋଇଥିଲେ । ମରକ୍କୋ ଦଳ ଏହାର ସୁଯୋଗ ନେଇ ୩-୦ ଗୋଲରେ ବିଜୟୀ ହୋଇଥିଲା ।

ଭାରତ ବିଶ୍ବକପର ଗତ ତିନୋଟି ମ୍ୟାଚ୍‌ରେ ଗୋଲ ଖାତା ଖୋଲିବାରେ ବିଫଳ ରହିଛି । ଆୟୋଜକ ଦଳ ଭାବେ ଦଳ ବିଶ୍ବକପରେ ଖେଳିଥିଲେ ମଧ୍ୟ  ଗୋଟିଏ ଗୋଲ ବି ଦେଇନପାରି କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କୁ ନିରାଶ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.