ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବାଗପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ବରିଷ୍ଠ ଯାଦବ ନେତା ତଥା ଗାଁର ଗୈାନ୍ତିଆ ଦୋଳଚନ୍ଦ୍ର ବାଗଙ୍କ ଦେହାନ୍ତ ହୋଇଯାଇଛି । ଆଜି ମଙ୍ଗଳବାର ଭୋର ୪.୩୦ ସମୟରେ ସେ ବାଗପୁର ସ୍ଥିତ ତାଙ୍କ ନିଜ ବାସ ଭବନରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୪୭ ମସିହାରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ଶ୍ରୀ ବାଗ ଗାଁର ଗୈାନ୍ତିଆ ଭାବରେ ବାଗପୁରରେ ହାଇସ୍କୁଲ ନିର୍ମାଣ ପାଇଁ ଭୂମିଦାନ ଭଳି ମହତ କାର୍ଯ୍ୟ କରିଛନ୍ତି । କେବଳ ଭୂମିଦାନ ବୋଲି ନୁହଁ ଗାଁର ପ୍ରତ୍ୟେକ ବିକାଶ ମୂଳକ କାର୍ଯ୍ୟରେ ତାଙ୍କର ସହଭାଗିତା ରହୁଥିଲା । ଗରୀବ ନିଃସହାୟ ମାନଙ୍କ ପ୍ରତି ତାଙ୍କ ମନରେ ଗଭୀର ଅନୁକମ୍ପା ରହୁଥିଲା । ସେମାନଙ୍କୁ ସବୁ ସମୟରେ ସହଯୋଗର ହାତ ବଢାଇ ଆକୁଣ୍ଠ ସାହାଯ୍ୟ ସହଯୋଗ କରୁଥିଲେ । ସେ ନର୍ଲା ବ୍ଲକ ଯାଦବ ସମିତିର ସମ୍ପାଦକ ଭାବରେ କାର୍ଯ୍ୟ କରି ସମାଜରେ ଆଦର୍ଶ ସ୍ଥାପନ କରି ପାରିଥିଲେ । ବାଗପୁର ସରପଞ୍ଚ ଥିବା ସମୟରେ ସେ ପଞ୍ଚାୟତର ସମସ୍ତ ଗ୍ରାମରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି, ଯାହା ତାଙ୍କୁ ସମସ୍ତଙ୍କ ହୃଦୟରେ ଚିର ଦିନ ପାଇଁ ଅମର କରି ରଖିବ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଥବିର ବାଗ ଓ ବାବୁଲାଲ ବାଗ ତଥା ଦୁଇ ବୋହୁ ଓ ନାତି ନାତୁଣି ଉପସ୍ଥିତ ଥିଲେ । ତାଙ୍କୁ ଶେଷ ସମୟରେ ନର୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ପରୀକ୍ଷା କରିବା ପାରେ ମୃତ ଘୋଷଣା କରିଥିଲେ । ବାଗପୁର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି । ସ୍ୱର୍ଗତ ବାଗଙ୍କ ଦେହାନ୍ତ ଅଞ୍ଚଳ ପାଇଁ ଅପୁରଣୀୟ କ୍ଷତି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ସ୍ୱର୍ଗତ ବାଗଙ୍କ ଦେହାନ୍ତରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବ୍ଲକ ଯାଦବ ସମିତି, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା, ଜିଲ୍ଲା ଯୁବ ଯାଦବ ମହାସଭା, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ବାଗପୁର ସରପଞ୍ଚ ଗୋପାଳ ହାତୀ, ସମିତି ସଦସ୍ୟା କୁନୀ ମହାନନ୍ଦ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।