ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରୋଜଗାର ନ ମିଳିବାରୁ ଅନେକ ଲୋକ ଦାଦନ ମୁହାଁ ହେଉଛନ୍ତି, ଆଉ ଫେରିବା ସମୟରେ କେହି କେହି ଶବ ହେଇ ଫେରୁଛି ତ ଆଉ କିଏ ମାଲିକଙ୍କ ଠାରୁ ଅକଥନୀୟ ନିର୍ଯାତନାର ଶିକାର ହୋଇ ଖଟୁଥିବା ବେଳେ ଆଉ କେହି କେହି ନିଖୋଜ ମଧ୍ୟ ହେଉଛନ୍ତି । ଏହିଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ଅନ୍ତର୍ଗତ, ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ କିଡିଙ୍ଗ ଗ୍ରାମରେ । ସୂଚନା ଅନୁଯାୟି କିଡିଙ୍ଗ ଗ୍ରାମର ଅଲେଖ ଶବର (୪୮) ନିଜ ଅଞ୍ଚଳରେ କୌଣସି ରୋଜଗାର ନ ମିଳିବାରୁ ଗତ ଅକ୍ଟୋବର ୧୧ ତାରିଖ ଦିନ ଦାଦନ ଖଟିବାକୁ ରାଜକୋଟ ଅଭିମୁଖେ ବାହାରି ୧୩ ତାରିଖ ଦିନ ପହଞ୍ଚିଥିଲେ । ଆଉ ପହଞ୍ଚିବା ପରେ ରାଜକୋଟର କୁଆଡେ ବୁଲାବୁଲି କରିବାକୁ ଯାଇ ନିଖୋଜ ହେଇ ଯାଇଛନ୍ତି । ସେହି ସହରରେ ପୂର୍ବରୁ କାମ କରିଆସୁଥିବା ଗାଁ ଲୋକେ ତଥା ତାଙ୍କ ସାଙ୍ଗରେ ଯାଇଥିବା ଗ୍ରାମର କିଛି ଲୋକ ଫେରିବା ସମୟ ବିଳମ୍ବ ଯୋଗୁଁ ବହୁ ସମୟ ଧରି ପାଖାପାଖି ଅଞ୍ଚଳରେ ଖୋଜା ଖୋଜି କରିବା ପରେ ମଧ୍ୟ ପାଇନଥିଲେ । ଅନ୍ୟପଟେ ଅଲେଖଙ୍କ ସ୍ତ୍ରୀ, ସ୍ୱାମୀର ନିଖୋଜ ଖବର ଶୁଣିବା ପରେ କିଛି ସମୟ ନିମନ୍ତେ ଭାରସାମ୍ୟ ହରେଇ ସ୍ତବ୍ଧ ହେଇଯାଇଥିଲେ । ତେବେ ଅଲେଖ ଶବରଙ୍କ ସ୍ତ୍ରୀ, ତାଙ୍କ ପୁତୁରା ଓ ଭାଇ ୧୬ ତାରିଖ (ରବିବାର) ଅଲେଖ ଶବରଙ୍କ ନିଖୋଜ ମାମଲା ଦାଏର କରିବା ନିମନ୍ତେ ନର୍ଲା ଥାନାର ଦ୍ୱାରସ୍ତ ହେଇଥିବା ଜଣାପଡିଛି । ଅଲେଖ ଶବର ନିଖୋଜର ଆଜକୁ ସପ୍ତାହେ ପରେ ମଧ୍ୟ କୌଣସି ସନ୍ଧାନ ନ ମିଳିବାରୁ ପରିବାର ଲୋକ ବିବ୍ରତ ହେଇପଡ଼ିଛନ୍ତି ।