ଦେଶର ୪୦ ରେଳଷ୍ଟେସନର ନବୀକରଣ କାମ ଜାରି, ୧୪ଟି ପାଇଁ ଟେଣ୍ଡର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରେଳଯାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଭାରତୀୟ ରେଳଓ୍ୱେ ବିଭିନ୍ନ ସମୟରେ ନୂଆ ନୂଆ ପ୍ରୟାସ କରିଆସୁଛି । ରେଳଷ୍ଟେସନରେ ଯେପରି ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନହୁଏ, ସେଥିପାଇଁ ଭାରତୀୟ ରେଲଓ୍ୱେ ଆରମ୍ଭ କରିଛି ଷ୍ଟେସନ ନବୀକରଣ କାର୍ଯ୍ୟ । ୪୦ଟି ରେଳଷ୍ଟେସନର ଉନ୍ନତିକରଣ କାମ ଚାଲିଥିବାବେଳେ ୧୪ଟି ରେଳଷ୍ଟେସନରେ ନବୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ।

୫ ମାସ ମଧ୍ୟରେ ଏଠାରେ ମଧ୍ୟ କାମ ଆରମ୍ଭ ହୋଇଯିବ । ଏସବୁ ସ୍ଥାନରେ ଆଧୁନିକୀକରଣ କରାଯିବ । ୪୦ ଷ୍ଟେସନ ତାଲିକା ମଧ୍ୟରେ ପୁରୀ ଓ ଭୁବନେଶ୍ୱର ରେଳଷ୍ଟେସନ ମଧ୍ୟ ସାମିଲ ରହିଛି । ଟେଣ୍ଡର ପ୍ରକ୍ରିୟାକରଣରେ ଥିବା ୧୪ଟି ରେଳଷ୍ଟେସନ ତାଲିକାରେ କଟକ ରେଳଷ୍ଟେସନ ରହିଛି । ତେବେ ଏସମସ୍ତ ରେଳଷ୍ଟେସନର ନବୀକରଣ କାମ ସରିବା ମାତ୍ରେ  ଅନେକ ନିଯୁକ୍ତି ସମ୍ଭାବନା ରହିଛି ଓ ଏହାଦ୍ୱାରା ଦେଶର ଆର୍ଥିକ ବିକାଶ ଘଟିବ ବୋଲି ରେଳ ମନ୍ତ୍ରାଳୟ ଲକ୍ଷ୍ୟ ରଖିଛି ।

ରେଳଷ୍ଟେସନକୁ ଅଧିକ ପ୍ରଶସ୍ତ କରିବା, ଫୁଡ୍ କୋର୍ଟ ନିର୍ମାଣ, ଅପେକ୍ଷାଗୃହ, ଶିଶୁଙ୍କ ଖେଳ ସୁବିଧା, ସ୍ଥାନୀୟ ସାମଗ୍ରୀ ବିକ୍ରି ପାଇଁ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ ଆଦି କାମ କରାଯିବ । ରେଳଷ୍ଟେସନ ଗୁଡିକୁ ମେଟ୍ରୋ ଷ୍ଟେସନ, ବସ୍ ଷ୍ଟାଣ୍ଡ ସହ ସଂଯୋଗ କରାଯିବ । ଗ୍ରୀନ ବିଲ୍ଡିଂ ଟେକ୍ନୋଲଜି ଜରିଆରେ ରେଳ ଭିତ୍ତିଭୂମିର ବିକାଶ କରାଯିବ । ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ନବୀକରଣ ଯୋଗୁଁ ଷ୍ଟେସନଗୁଡିକରେ ରେଳ କର୍ମଚାରୀ ଓ ଲୋକେ ‘ସିଟି ସେଣ୍ଟର’ ଭଳି ଅନୁଭବ ପାଇବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.