ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତର ଚିନ୍ତା ବଢ଼ାଇଲା ପାକିସ୍ତାନ

ଓଡ଼ିଆ ବାର୍ତ୍ତା/ ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଏ ପର୍ଯ୍ୟନ୍ତ ଖରାପ ପ୍ରଦର୍ଶନ କରି ଆସିଥିବା ପାକିସ୍ତାନ ଆଜି ବର୍ଷା ବାଧାପ୍ରାପ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୩୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏଥିସହ ପାକିସ୍ତାନର ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ହୋଇଛି । ଅବଶ୍ୟ ଏଥିପାଇଁ ବାଂଲାଦେଶ ବିପକ୍ଷରେ ପାକିସ୍ତାନକୁ ବିଜୟ ହାସଲ କରିବାକୁ ପଡିବ । ଅନ୍ୟ ପକ୍ଷରେ ଭାରତ ପାଇଁ ଏହା କିଛି ମାତ୍ରାରେ ଚିନ୍ତାର କାରଣ ସାଜିଛି । ଭାରତ ତାର ଶେଷ ମୁକାବିଲାରେ ଜିମ୍ବାୱେକୁ ହରାଇଲେ ସହଜରେ ସେମିରେ ପ୍ରବେଶ କରିବ । ପାକିସ୍ତାନ ଗୁରୁବାର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୧୮୫ ରନ କରିଥିଲେ । ଶଦାବ ଖାଁ ୨୨ ବଲରେ ୫୨ ଓ ଇଫତିକାର ଅହମ୍ମଦ ୩୫ ବଲରେ ୫୧ ରନର ଇନିଂସ ଖେଳିଥିଲେ । ୧୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୪ ୱିକେଟ ହରାଇ ୬୯ ରନ କରିଥିବା ବେଳେ ବର୍ଷା ହୋଇଥିଲା । ଏହା ପରେ ଦକ୍ଷିଣ ଆଫ୍ରିକାକୁ ଡକ୍ୱୱର୍ଥ ଲୁଇସ ନିୟମ ଅନୁସାରେ ରିଭାଇଜଡ ଟାର୍ଗେଟ ୧୪ ଓଭରରେ ୧୪୨ ରନ ଦିଆ ଯାଇଥିଲା । ମାତ୍ର ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୯ ୱିକେଟ ହରାଇ ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା । ବୋଲିଂରେ ମଧ୍ୟ ଶଦାବ ୨ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.