ମୌଳିକ ସୁବିଧାରୁ ବଞ୍ଚିତ ମନସ୍ତରା ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଉପାନ୍ତ ବେଡ଼ାଗାଁ ପଞ୍ଚାୟତ ଅପହଞ୍ଚ ମନସ୍ତରା ଗ୍ରାମବାସୀ ସ୍ୱାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଆସୁଛି । ଏନେଇ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାକୁ ଭିତ୍ତି କରି ମାନବାଧିକାର କମିଶନର କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦୁଇଥର ନୋଟିସ୍ କରି ତିନିମାସ ମଧ୍ୟରେ କାର୍ଯ୍ୟର ଅଗ୍ରଗତି ବାବଦରେ ରିପୋର୍ଟ ତଳବ କରିବା ଜଣାପଡ଼ିଛି । ଏସଂକ୍ରାନ୍ତରେ ଗତ ମାର୍ଚ୍ଚ ୧୮ ତାରିଖରେ ମାନବାଧିକାର କର୍ମୀ ଦିଲ୍ଲୀପ ଦାସଙ୍କ ଆଗତ ମାମଲା କେସନଂ ୭୬୮/୧୮,୦୬, ୨୦୨୨ର ବିଚାର କରି ମାନବାଧିକାର କମିଶନ ଗତ ମେ ୫ତାରିଖରେ ନୋଟିସ ଜାରିକରିଥିଲେ । ତେବେ ଜିଲ୍ଲାପାଳଙ୍କ ତରଫରୁ ରିପୋର୍ଟ ଦାଖଲ ହୋଇଛି ଯେଉଁଥିରେ ଉଲ୍ଲେଖ କରାଯାଇଛି ମନସ୍ତରା ଗାଁରେ ବସବାସ କରୁଥିବା ୧୩ଗୋଟି ପରିବାର ପାଇଁ ସର୍ଗିଲେପା ଠାରୁ ୫ଲକ୍ଷ ଟଙ୍କା ଅଟକଳରେ ଏକ ରାସ୍ତା ନିର୍ମାଣ ହେଉଛି, ୧୨ଟି ପରିବାରକୁ ବିଜୁଳି ସଂଯୋଗ ହୋଇପାରିଛି, ପିଇବା ପାଣି ବାବଦରେ ଏକ କୂଅ ଏବଂ ନଳକୂପ କରାଯାଇଛି ଓ ଆଗାମୀ ୩ ମାସ ମଧ୍ୟରେ ଜଳଜୀବନ ମିଶନ ଜରିଆରେ ସୋଲାର ଶକ୍ତି ସଂଯୋଗ ପାଇପ ଜଳର ବ୍ୟବସ୍ଥା ହେବ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା ବୋଲି ଅନେକ ଖବରକାଗଜରେ ପ୍ରକାଶ ପାଇଥିବାବେଳେ ତାହାସବୁ ମିଥ୍ୟା ବୋଲି ପୁଣି ଅଭିଯୋଗ କରିଛନ୍ତି ମନସ୍ତରା ଏବଂ ସର୍ଗିଲେପା ଗ୍ରାମବାସୀ । ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ପ୍ରକାଶ ପାଇଥିବା ଖବରକାଗଜରେ ଲେଖାଯାଇଛି ଗାଁରେ ୪୪ଟି ଜବକାର୍ଡ଼ ଅଛି ବୋଲି କହୁଥିବାବେଳେ ମାତ୍ର ୧୩ ପରିବାରରେ ୪୪ଟି ଜବକାର୍ଡ କୁଆଡ଼ୁ ଆସିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ୧୨ଟି ପରିବାରକୁ ବିଦ୍ୟୁତ ସଂଯୋଗ ହୋଇପାରିଛି କହୁଥିବାବେଳେ ଗାଁରେ ଘରକୁ ଘର ମାତ୍ର ମିଟର ଗୋଟିଏ ଲେଖାଏଁ ଲାଗିଛି ହେଲେ ଏପର୍ଯ୍ୟନ୍ତ କିପରି ବିଜୁଳି ବଲ ଜଳିବ ତାହା ଦେଖିନଥିବା କହିଛନ୍ତି ଗ୍ରାମବାସୀ । ବାସ୍ତବରେ ବିଦ୍ୟୁତ ଟ୍ରାନ୍ସଫର୍ମର ଖମ୍ବତଳେ ଅଚଳ ଅବସ୍ଥାରେ ପଡ଼ିରହିଥିବା ଦେଖିବାକୁ ମିଳିଛି । ୮ଟି ଆବାସ ଗୃହ ଯୋଗାଇ ଦିଆଯାଇଛି ବୋଲି କହୁଥିବାବେଳେ ଗାଁରେ ମାତ୍ର ୭ଟି ଆବାସ ଘର ଦେଖିବାକୁ ମିଳିଛି ତାହାପୁଣି ୫ଟି ଘର ସମ୍ପୂର୍ଣ ହୋଇଥିବାବେଳେ ୨ଗୋଟି ଘର ବର୍ଷ ବର୍ଷ ବିତିଯାଉଥିଲେ ମଧ୍ୟ ଅଧାପନ୍ତରିଆ ରେ ପଡ଼ିରହିଛି। ଏଠି ହିତାଧିକାରୀଙ୍କୁ ଠିକାଦାର ଗୃହ ନିର୍ମାଣ କରିଦେବା ପ୍ରୋଲଭନ ଦେଖାଇ ହିତାଧିକାରୀ ଙ୍କୁ ହରିଲୁଟ କରି ନିମ୍ନମାନ କାମ କରୁଥିବାରୁ ବର୍ଷା ଦିନରେ ପାଣି ଝରୁଛି ବୋଲି ହିତାଧିକାରୀ ଅଭିଯୋଗ କରୁଛନ୍ତି । ଏହି ଖବର ପ୍ରକାଶ ପାଇଲା ପରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କେବେ ତତ୍ପର ଦେଖାଉଛି ତାହା ଦେଖିବାକୁ ବାକି ରହିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.