ଚତୁର୍ଥ ଦିବସରେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଶ୍ରୀରାମ ଚରିତ ମାନସ କଥାମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପିତୃସତ୍ୟ ପାଳନ କରିବାକୁ ଯାଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ପାଇଁ ବନ ଗମନ କରିଛନ୍ତି । ଭାଇ ଲକ୍ଷ୍ମଣ ଓ ଜନକ ନନ୍ଦିନୀ ସୀତା ମଧ୍ୟ ତାଙ୍କ ସହ ତପସ୍ୱୀ ବେଶରେ ଅଯୋଧ୍ୟା ରାଜ ଦାଣ୍ଡରେ ଚାଲି ଚାଲି ଯାଉଛନ୍ତି । ରାତି ପାହିଲେ ଯିଏ ରାଜ ମୁକୁଟ ପିନ୍ଧି ଶାସନ କରିଥାନ୍ତେ ଆଜି ସିଏ ବନବାସରେ ଯାଉଛନ୍ତି । ବିଧି ନିର୍ଦ୍ଦେଶକୁ କିଏ ବା ଟାଳି ପାରିବ । ଶୋକାକୁଳ ଅଯୋଧ୍ୟାର ପରିବେଶ । ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଶ୍ରୀରାମ ଚରିତ ମାନସ କଥାମୃତର ଆଜି ଚତୁର୍ଥ ଦିବସରେ ‘ଶ୍ରୀରାମ ବନବାସ’ କଥାକୁ ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି ଆଶିର୍ବାଦଜୀ ମହାରାଜ । ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ବିଶିଷ୍ଟ କଥାବାଚକ ଆଶିର୍ବାଦଜୀ ମହାରାଜଙ୍କ ଦ୍ୱାରା ଚାଲିଛି ଶ୍ରୀରାମ ଚରିତ ମାନସ କଥାମୃତ । ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରବଚନ କାର୍ଯ୍ୟକ୍ରମ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ଶିବ ପାର୍ବତୀ ସମ୍ବାଦ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମୋତ୍ସବ, ତୃତୀୟ ଦିବସରେ ଶ୍ରୀରାମ ଜାନକୀ ବିବାହ ଓ ଚତୁର୍ଥ ଦିବସରେ ଶ୍ରୀରାମଙ୍କ ବନବାସ ପ୍ରସଙ୍ଗ ପରିବେଷିତ ହୋଇଥିବା ବେଳେ ପଞ୍ଚମ ଦିବସ ସୋମବାର ଦିନ କୈବର୍ତ୍ତ ପ୍ରସଙ୍ଗ ପ୍ରବଚନ ମାଧ୍ୟମରେ ଶୁଣାଇବେ କଥାବାଚକ ଆଶିର୍ବାଦଜୀ ମହାରାଜ ବୋଲି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତଃ ଡ଼ଃ ସାଧୁ ରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁନୀଲ ଅଗ୍ରୱାଲ ପ୍ରକାଶ କରିଛନ୍ତି । ପ୍ରବଚନ ଶୁଣିବା ପାଇଁ ପ୍ରବଳ ଜନସମାଗମ ହେଉଥିବା ଦେଖାଯାଇଛି । ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.