ଦୂର ହେବ ବିଦ୍ୟୁତ୍ ସଙ୍କଟ ! ରାସ୍ତରେ ଚାଲିଲେ ବାହାରିବ ବିଜୁଳି ଶକ୍ତି


ବାହାରକୁ ଯାଇଛନ୍ତି । ମୋବାଇଲରେ ଚାର୍ଜ ସରିଗଲା । ପାଖରେ ପାୱାର ବ୍ୟାଙ୍କ ବି ନାହିଁ ।  କେମିତି କରିବେ ମୋବାଇଲ ଚାର୍ଜ ? ଆଉ ଯାହା ନ ଥିଲେ ଚଳିବ କିନ୍ତୁ ମୋବାଇଲ ନ ଥିଲେ ଚାରିଦିଗ ଅନ୍ଧାର । କିନ୍ତୁ ଏମିତି ସ୍ଥିତିରେ ତ କରିବାର କିଛି ବାଟ ହିଁ ନାହିଁ । ଏହି ସମୟରେ ମନକୁ ଆସେ, ଯଦି ସବୁ ଅପହଞ୍ଚ ଜାଗାରେ ବିଦ୍ୟୁତ ସଂଯୋଗ ମିଳି ପାରନ୍ତା ତେବେ କେମିତି ହୁଅନ୍ତିା ! ହଁ, ଏମିତି ଭାବନା ବି ଖୁବ ଶୀଘ୍ର ସତ ହୋଇପାରେ । ବ୍ରିଟେନର ସ୍ରୋପସାୟାର ସହରର ଟେଲଫୋର୍ଡର୍ ଇଲାକାରେ ରାସ୍ତାରେ ଚାଲିଲେ ବାହାରୁଛି ବିଦ୍ୟୁତ ଶକ୍ତି । ଏହି ବିଦ୍ୟୁତ ଶକ୍ତିକୁ ସଞ୍ଚୟ କରି ରଖାଯାଉଛି ଏବଂ ବିଭିନ୍ନ କାମରେ ଲଗାଯାଉଛି ।  ଏହି ଟେକ୍ନୋଲଜି ଯଦି ସବୁଠି କାର୍ଯ୍ୟକ୍ଷମ ହୋଇ ପାରିବ ତେବେ ଆପଣଙ୍କ ଭାବନା ବି ସତ ହୋଇ ପାରିବ ।

ଏଇ ରାସ୍ତାରେ ପଡିଥିବା ସିମେଣ୍ଟ ବେଞ୍ଚରେ ଲାଗିଛି ପଏଣ୍ଟ । ରାସ୍ତାରେ ଯାଉଥିବା ବ୍ୟକ୍ତି ଏଠାରେ ବସି ମୋବାଇଲ ଚାର୍ଜ କରିପାରିବେ । ଏହା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଟେଲଫୋର୍ଡର ଏକ ପୁଟ୍‌ପାଥ୍‌ରେ ଏଭଳି ବ୍ୟବସ୍ଥା କରାଯାଇଛି ।  ଏହି ରାସ୍ତାରେ ଲୋକ ଚାଲିଲେ ବା  ଦୌଡ଼ିଲେ  ବିଦ୍ୟୁତ ଉତ୍ପାଦନ ହେଉଛି  ।

ପ୍ରକୃତ କଥା ହେଲା, ନୂତନ ଟେକ୍ନୋଲଜି ଦ୍ୱାରା ରାସ୍ତାରେ  ଏକ ପତଳା ପିଚୁ ଚାଦର ପରି ପଡିଛି ଯେଉଁଥିରେ ଚାଲିଲେ ବାହାରୁଛି ବିଦ୍ୟୁତ  । ବା ପିଚୁ ଚାଦର ଭଳି ଏହାକୁ ପ୍ରସ୍ତୁତ କରାଯାଇ ରାସ୍ତାରେ ପକାଯାଇଛି । ଫୁଟ୍‌ପାଥ୍‌ରେ ପଡ଼ିଥିବା ସେହି ଚାଦର ଉପରେ ଚାଲିଲେ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏହି ପୁଟ୍‌ପାଥ୍‌ କାଇନେଟିକ୍‌ ଡାନ୍ସ ଫ୍ଲୋର ସମ୍ମୁଖରେ ରହିଛି ।   ସେତିକି ନୁହେଁ,  ରାସ୍ତାରୁ କେତେ ମାତ୍ରାରେ ବିଦ୍ୟୁତ ଉତ୍ପାଦନ ହେଉଛି ତାହା ମଧ୍ୟ ଏକ ଏଲଇଡି ବୋର୍ଡରେ ଦେଖାଇ ଦିଆଯାଉଛି ।   ଏହି ଏଲ୍‌ଇଡି ବୋର୍ଡ ସୋଲାର ବିଦ୍ୟୁତ ଦ୍ୱାରା ପରିଚାଳିତ ।

ଏହି ନୂତନ ଟେକ୍ନୋଲଜିକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଖୁବ ଉତ୍ସାହ ଦେଖାଦେଇଛି ।   ସାରା ବିଶ୍ୱ ବିଦ୍ୟୁତ ଶକ୍ତି ସଙ୍କଟକୁ ସାମ୍ନା କରୁଥିବାବେଳେ ଏଭଳି ଉଦ୍ଭାବନ ଆଶାର କିରଣ ନେଇ ଆସିଛି ।




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.