ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସେବାକାରୀ କିନ୍ନର ସଂଘର ସଭାପତି ରହିଆସିଛନ୍ତି କାମିନୀ କିନ୍ନର । କାମିନୀ କିନ୍ନର ବିଭିନ୍ନ ସମୟରେ ଦୀନ, ଦୁଃଖୀ, ଦରିଦ୍ରଙ୍କ ସେବା, ମହାମାରୀ କରୋନା କାଳରେ ନିଜ ଜୀବନକୁ ପାଣି ଛଡେଇ କରୋନା ପିଡୀତ ଲୋକ ଓ ସେମାନଙ୍କ ପରିବାରର ସେବା କରିବା, ବିଭିନ୍ନ ସମୟରେ ଅଞ୍ଚଳର ଧର୍ମାନୁଷ୍ଠାନ, ବିଭିନ୍ନ ସଙ୍ଗଠନ ସହିତ ଜଡିତ ରହି ପରୋପକାର କରିବା ଭଳି ମହନୀୟ ଗୁଣ ଓ ତ୍ୟାଗପୂତ ମନୋଭାବ, କାର୍ଯ୍ୟଶୈଳୀ ଯୋଗୁଁ ତାଙ୍କୁ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଦ୍ୱାଦଶତମ ପ୍ରତିଷ୍ଠା ଦିବସରେ ନବରଙ୍ଗପୁର ଏକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି ।
କାମିନୀ କିନ୍ନର ନର୍ଲା କାହିଁକି ସାରା କଳାହାଣ୍ଡି ଜିଲ୍ଲାରେ ଏକ ବହୁ ପରିଚିତ ନାମ । ତୃତୀୟ ଲିଙ୍ଗୀ କିନ୍ନର ମାନଙ୍କୁ ସମାଜରେ ଏକ ଭିନ୍ନ ଦୃଷ୍ଟି ଭଙ୍ଗୀରେ ଦେଖା ଯାଇଥାଏ । ହେଲେ ୨୦୧୧ ମସିହାରେ ନର୍ଲା ଆସି ସାଥିରେ ମାତ୍ର ୩ ଜଣ କିନ୍ନରଙ୍କୁ ନେଇ ଅଞ୍ଚଲର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ତାଙ୍କ ସହ ଯୋଡି ହୋଇଥିଲେ ଆହୁରି ୭ ଜଣ କିନ୍ନର ସାଥି । ସମସ୍ତଙ୍କୁ ଉତ୍ତମ ମାର୍ଗ ଦର୍ଶନ ଦେଇ ଉତ୍ଶୃଙ୍ଖଳ ପ୍ରବୃତି ଓ ନିଶା ସେବନରୁ ନିବୃତ କରି ଅଞ୍ଚଳରେ ଜନସମ୍ପର୍କର ଫଲ୍ଗୁ ଧାରାକୁ ବଳବତ୍ତର ରଖିଛନ୍ତି । ନର୍ଲା ଅଞ୍ଚଳର ଅନେକ ସ୍ଥାନରେ ରାଜ୍ୟ ସ୍ତରୀୟ ସଭା ସମିତି ମାନ କରି କିନ୍ନର ମାନଙ୍କର ସମାଜରେ ଜଣେ ସାଧାରଣ ମଣିଷ ଭଳି ବଞ୍ଚିବାର ହକ୍ ଜାହିର କରିଥିଲେ । ସଥେିରେ ସେ ସଫଳ ମଧ୍ୟ ହୋଇଥିଲେ । ଆଜି ନର୍ଲା ଅଞ୍ଚଳରେ କାମିନୀ କିନ୍ନର ଓ ତାଙ୍କ କିନ୍ନର ସାଥି ଗଣଙ୍କୁ ସମ୍ମାନର ସହିତ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଅତିଥି ଭାବରେ ନିମନ୍ତ୍ରୀତ କରାଯାଉଥିବା ଦେଖିବାକୁ ମିଳୁଛି । ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଆଗ୍ରହର ସହିତ ସାମିଲ କରାଯାଉଛି । ସମାଜରେ କିନ୍ନର ମାନଙ୍କ ପ୍ରତି ରହିଥିବା ହେୟ ଦୃଷ୍ଟି ରେ ପରିବର୍ତ୍ତନ ଆଣି କାମିନୀ ସମାଜରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଶିକ୍ଷାଗତ ଯୋଗ୍ୟତା ରହିଥିବା ତାଙ୍କ ସାଥି କିନ୍ନର ଗଣଙ୍କୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ମୁନ୍ସୀପାଲଟି, ସୁରକ୍ଷାବଳ ଭଳି ବିଭିନ୍ନ ସ୍ଥାନରେ ମଧ୍ୟ ଚାକିରୀ ମିଳିଥିବା ନଜୀର ରହିଛି ।
କାମିନୀ କିନ୍ନର କଳାହାଣ୍ଡି ଜିଲ୍ଲା ସେବାକାରୀ କିନ୍ନର ସଂଘର ସଭାପତି ରହିଆସିଥିବା ବେଳେ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଜିଲ୍ଲା ବୋର୍ଡ ସଭାପତି, ଗରୀବ ସୁରକ୍ଷା ସେନାର ଜିଲ୍ଲା ଉପସଭାପତି ଭଳି ମର୍ଯ୍ୟାଦାଜନକ ପଦବୀରେ ରହି କାର୍ଯ୍ୟ କରି ଆସୁଥିବା ଜଣାପଡିଛି । ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖାର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କାମିନୀ କିନ୍ନରଙ୍କୁ ତାଙ୍କ ନିସ୍ୱାର୍ଥପର ସମାଜସେବା ପାଇଁ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ରାଜ୍ୟଶାଖା ସଭାନେତ୍ରୀ ସସ୍ମୀତା ଦାସ, ନବରଙ୍ଗପୁର ଡିଏସପି ଚନ୍ଦ୍ରଶେଖର ହୋତା,ପୋୖରାଧ୍ୟକ୍ଷ କୁନୁ ନାଏକ, ଜଗନ୍ନାଥ ମହାପାତ୍ର, ସୌମ୍ୟା ମହାପାତ୍ର, ବିଜୟ ମିଶ୍ର ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏଥିପାଇଁ ବିଭିନ୍ନ ଅନୁଷ୍ଠାନରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟୁଛି । ରାଜ୍ୟ ସ୍ତରୀୟ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ସେ ଖୁସିବ୍ୟକ୍ତ କରି ସମସ୍ତଙ୍କୁ ଏନେଇ କୃତଜ୍ଞତା ଜଣାଇଛନ୍ତି ।