କୋକସରା ବ୍ଲକରେ ଥମୁନି ଦାଦନ ଦୁଃଖ: ପୁଣି ଜଣେ ଦାଦନ ଶ୍ରମିକ ମୃତ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରେ ପ୍ରତି ମାସେ ଡେଢ ମାସ ବ୍ୟବଧାନରେ ୧୦ ଜଣ ଦାଦନ ଶ୍ରମିକଙ୍କ ଶବ ଫେରିବା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ମଙ୍ଗଳବାର ପୁଣି ଜଣେ ଦାଦନ ଶ୍ରମିକ ଆନ୍ଧ୍ର ପ୍ରଦେଶରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ ଦାଦନ ଶ୍ରମିକ ଜଣକ କାଉଡୋଲା ପଞ୍ଚାୟତ ବାଞ୍ଜିବାହାଲ ଗ୍ରାମର ଚମାର ମାଝୀ ବୋଲି ଜଣାପଡିଛି। ସୂଚନା ଅନୁସାରେ, ମୃତ ଚମାର ମାସେ ତଳେ ଆନ୍ଦ୍ରପ୍ରଦେଶ ରାଜ୍ୟ, ବିଜୟୱାଡା ସୋରୁମପାଳି କୁ ଶ୍ରମିକ ଭାବେ ନିଜ ପରିବାର ସହିତ ଯାଇଥିଲେ। ଏବଂ ସେଠାରେ ଏକ ଇଟା ଭାଟିରେ କାମ କରୁଥିଲେ। ସବୁଦିନ ପରି ଚମାର ମଙ୍ଗଳବାର ମଧ୍ୟ ଇଟା ଭାଟିରେ କାମ କରୁଥିଲେ। ହେଲେ ସକାଳୁ ଇଟା ଗଢୁ ଥିବା ସମୟରେ ସେ ଅସୁସ୍ଥ ହୋଇ ପଡିଥିଲେ। ପରେ ସାଥୀ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ବିଜୟୱାଡା ମେଡିକାଲ ନେଇ ଥିଲେ। ହେଲେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ। ତେବେ ମୃତ ଚମାରଙ୍କ ସ୍ତ୍ରୀ କୁନ୍ତୀ ମାଝୀ ମଧ୍ୟ ସେଠାରେ ରହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ପରିବାର ଲୋକେ ଶବ କୁ ନିଜ ଭିଟାମାଟି କୁ ଆଣି ପାରି ନଥିବାବେଳେ ବିଜୟୱାଡା ଠାରେ ହିଁ ଶବ ଦାହ କରିଥିବା ପରିବାର ସୂତ୍ରରୁ ଜଣାପଡିଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତେବେ ରାଜ୍ୟ ବାହାରେ ଚମାର କୁ ମିଶାଇ କୋକସରା ବ୍ଲକର ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.