ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ର ଅଧିନାୟକ, ସୂର୍ଯ୍ୟ କୁମାର ଯାଦବ ଉପଅଧିନାୟକ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି -୨୦ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ମଙ୍ଗଳବାର ବିଳମ୍ବିତ ରାତିରେ ଟିମ୍ ଘୋଷଣା କରିଛି। ଦିନିକିଆ ଦଳର ନେତୃତ୍ୱ ରୋହିତ ଶର୍ମାଙ୍କ ହାତରେ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଉପ-ଅଧିନାୟକ ଦାୟିତ୍ୱ ଦେଇଛି। ରୋହିତ ଶର୍ମା, କେ.ଏଲ୍ ରାହୁଲ ଏବଂ ବିରାଟ କୋହଲି ଟି -୨୦ ଦଳରେ ନଥିବାବେଳେ ତିନିଜଣଙ୍କୁ ଦିିନିକିଆ ଦଳରେ ଚୟନ କରାଯାଇଛି। ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ହାରିବା ପରେ ବିସିସିଆଇ ବର୍ତ୍ତମାନ ଦିନିକିଆ ଏବଂ ଟି -୨୦ର ନେତୃତ୍ୱ ଜଣଙ୍କ ହାତରେ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ଯାହା ଏବେ ସଫଳ ହୋଇଛି। ଏବେ ଆହତ କାରଣରୁ ରୋହିତ ବାଂଲାଦେଶରେ ଖେଳିନଥିଲେ। ସେ ଶ୍ରୀଲଙ୍କା ବିପକ୍ଷ ଟି -୨୦ ସିରିଜରେ ନାହାଁନ୍ତି ବରଂ ଦିନିକିଆ ସିରିଜରେ ଅଛନ୍ତି। କେଏଲ ରାହୁଲ ମଧ୍ୟ ଟି -୨୦ ସିରିଜରେ ନାହାଁନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କୋହଲି ବିଶ୍ରାମ ମାଗିଛନ୍ତି। ଦଳ ଚୟନ ସମ୍ପର୍କରେ ବିସିସିଆଇ ଦ୍ୱାରା ଜାରି ବିବୃତ୍ତିରେ, ଟି -୨୦ ରେ ଏହି ତିନିଜଣଙ୍କ ଅନୁପସ୍ଥିତି ପାଇଁ କୌଣସି କାରଣ ଦିଆଯାଇ ନାହିଁ। ଏଥି ସହିତ ସୀମିତ ଓଭରରେ କ୍ରମାଗତ ଭାବେ ବିଫଳ ହେଉଥିବା ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଉଭୟ ଟି ​​-୨୦ ଏବଂ ଦିନିକିଆ ଦଳରୁ ବାଦ ଦିଆଯାଇଛି। 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.