ଜୟ କିଶାନ କୃଷକ ସଂଘ ରାୟଗଡାର ୩ଜଣିଆ ପ୍ରତିନିଧିଙ୍କ ଭୁବନେଶ୍ୱର ଗସ୍ତ

• ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଚାଷୀଙ୍କ ସମସ୍ୟାକୁ ନେଇ ଦେଲେ ଅଭିଯୋଗ ପତ୍ର

• ଜିଲ୍ଳାରେ ଗଭୀର ନଳକୂପ ଖନନ ପାଇଁ ଓଏଲଆଇସି ପରିଚାଳନା ନିର୍ଦ୍ଦେଶକଙ୍କୁ ଭେଟି ଦାବି ଜଣାଇଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ନବ ଗଠିତ ଜୟ କିଶାନ କୃଷକ ସଂଘର ରାୟଗଡା ପ୍ରତିନିଧି ତଥା ଚାଷୀ ଆର.କେଶବ ରାଓ,ପି.ଜଗନ୍ନାଥ ରାଓ ଓ ଏମ.କ୍ରିଷ୍ଣା ରାଓ ପ୍ରମୁଖ ୩ଜଣିଆ ପ୍ରତିନିଧି ଭାବେ ଜିଲ୍ଳାର ଚାଷୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଗୋଚର କରିବା ନିମନ୍ତେ ଭୁବନେଶ୍ୱର ଗସ୍ତ କରି ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଉକ୍ତ ଅଭିଯୋଗ ପତ୍ରରେ ମଣ୍ଡିରେ ଧାନ ବିକ୍ରୟ ନିମନ୍ତେ ଅଣ ଜଳସେଚିତ ଜମିର ଧାନ ଉତ୍ପାଦନ କ୍ଷମତା ୧୩କ୍ୱିଂଟାଲରୁ ୧୮କ୍ୱିଂଟାଲକୁ ବୃଦ୍ଧି କରିବା ସହ ଜଳ ସେଚିତ ଜମି ପାଇଁ ୧୮ରୁ ୨୨କ୍ୱିଂଟାଲ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ଦାବି କରାଯାଇଛି । ଏଥିସହ ନଳକୂପ ଦ୍ୱାରା ଜଳ ସେଚିତ କ୍ଷମତା ବା ପରିଧି ୨.୫ଏକରରୁ ୧୦ଏକର ପର୍ଯ୍ୟନ୍ତ ବୃଦ୍ଧି କରିବା,୧୯୫୭ ମସିହା ଠାରୁ ଆଜି ଯାଏଁ ଲ୍ୟାଣ୍ଡ ସେଟେଲମେଂଟ ହୋଇ ନ ଥିବାରୁ ପୁର୍ନବାର ଲ୍ୟାଣ୍ଡ ସେଟେଲମେଂଟ କରି ଜମିର କିସମ ପରିବର୍ତନ କରି ମୃତ ପୈତୃକ ସମ୍ପତିକୁ ଜୀବିତ ଉତାରାଧିକାରୀଙ୍କୁ ସ୍ୱତଃ ଭାବେ ବଦଳି କରିବା ପାଇଁ ନିୟମ ପ୍ରଣୟନ କରିବା, ଉଠା ଜଳସେଚନ ସୁବିଧା ଦ୍ୱାରା ଚାଷ କରୁଥିବା ଚାଷୀଙ୍କୁ ବିଦ୍ୟୁତ୍ କର ଛାଡ କରିବା ଆଦି ଦାବି ଉଲ୍ଳେଖ କରିଛନ୍ତି । ଏଥିସହ ଜିଲ୍ଳାର ୧୦୨ଜଣ ଚାଷୀ ନିଜ ଜମିରେ ଗଭୀର ନଳକୂପ ଖନନ ପ୍ରକଳ୍ପ ନିମନ୍ତେ ଉଠା ଜଳସେଚନ ନିଗମ ସଂସ୍ଥା ଦ୍ୱାରା ଜାରି ହୋଇଥିବା ବିଞାପନକୁ ଆଧାର କରି ବ୍ୟାଙ୍କରେ ଗତ ତିନି ବର୍ଷ ହେଲା ଦଶ ହଜାରରୁ ଆରମ୍ଭ କରି ୨୦ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ମଧ୍ୟ ତାଙ୍କ ଜମିରେ ନଳକୂପ ଖନନ କରାଯାଉ ନ ଥିବାରୁ ଚାଷୀମାନେ ଭୋଗୁଥିବା ସମସ୍ୟାର ସମାଧାନ ପାଇଁ ଉଠା ଜଳସେଚନ ନିଗମ ସଂସ୍ଥାର ପରିଚାଳକ ନିର୍ଦ୍ଦେଶକ ଆଲୋକ କୁମାର କରଙ୍କୁ ସାକ୍ଷାତ କରି ଯଥାଶୀଘ୍ର ନଳକୂପ ଖନନ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏ ନେଇ ଅଧିକାରୀ ଶ୍ରୀ କର ଯଥାଶୀଘ୍ର ଜିଲ୍ଳାରେ ସ୍ଥଗିତ ହୋଇରହିଥିବା ନଳକୂପ ଖନନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶୃତି ଦେଇଥିବା ଚାଷୀ କେଶବ ରାଓ ପ୍ରକାଶ କରିଛନ୍ତି । ସେହିପରି ବିଭିନ୍ନ ସମୟରେ ବ୍ୟାଙ୍କରୁ ଋଣ ଆଣିଥିବା ଚାଷୀମାନେ ଠିକ୍ ସମୟରେ ଋଣ ପରିଶୋଧ କଲେ ମଧ୍ୟ ସେମାନଙ୍କୁ ସୁଧ ସବସିଡି ମିଳୁ ନ ଥିବାରୁ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ଗୈାତମ ପାତ୍ରଙ୍କୁ ଭେଟି ତୁରନ୍ତ କେସିସିରୁ ଋଣ ନେଇଥିବା ହିତାଧିକାରୀଙ୍କୁ ସମୟାନୁବର୍ତୀ ଅନୁଯାୟୀ ସବସିଡି ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିବା ଚାଷୀ ତଥା ଜୟ କିଶାନ କୃଷକ ସଂଘ ସଦସ୍ୟ କେଶବ ରାଓ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.