ମେଗା କୃଷି ଯନ୍ତ୍ରପାତି ମେଳା ନିମନ୍ତେ ଗଡିଲା ପ୍ରଚାର ରଥ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଆସନ୍ତା ଫେବୃୟାରୀ ମାସ ୨ତାରିଖ ଠାରୁ ୫ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଜିଲ୍ଳାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାୟଗଡାଙ୍କ ଆନୁକୂଲ୍ୟରେ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯାଉଛି । ଆଉ ଏହି ମେଳାର ବହୁଳ ପ୍ରଚାର ପ୍ରସାର ପାଇଁ ଆଜି ରାୟଗଡା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି । ରାୟଗଡା ନିୟନ୍ତ୍ରିତ ବଜାର କମିଟି ସୈାଜନ୍ୟତାରେ ବୁଲିବାକୁ ଥିବା ଏହି ପ୍ରଚାର ରଥକୁ ଆଜି ଉପଜିଲ୍ଳାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଭୀମସେନ ଶବର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ଦାଶ, ନିୟନ୍ତ୍ରିତ ବଜାର କମିଟି ରାୟଗଡା ସଂପାଦକ ବିପିନ ବିହାରୀ ସ୍ୱାଇଁଙ୍କ ସମେତ କୃଷି ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଜିସିଡି ଠାରେ ଅନୁଷ୍ଠିତ ମେଳାରେ ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା କୃଷି ଯନ୍ତ୍ରପାତିର ଆବଶ୍ୟକତା, ବ୍ୟବହାର, ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବନ୍ଧରେ ତାଲିମ ମାଧ୍ୟମରେ ସଚେତନ କରାଯିବା ସହ ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତିର ପ୍ରଦର୍ଶନ କରାଯିବ ବୋଲି ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.