ଆଗପରି ଆଉ ଘୁରୁନାହିଁ କୁମ୍ଭାର ଚକ

• ଦୁର୍ଦ୍ଦିନରେ କୁମ୍ଭକାର ପରିବାର, ସରକାରୀ ପ୍ରୋତ୍ସାହନ ଜରୁରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଧୁନିକତାର ଚାକଚକ୍ୟ ଭିତରେ ମଣିଷ ମସଗୁଲ ରହୁଥିବା ବେଳେ ଚକଚକିଆ ଶସ୍ତା ସୌଖିନ ସାମଗ୍ରି ପ୍ରତି ଆକର୍ଷିତ ହୋଇ ପାରମ୍ପାରିକ ସାମଗ୍ରୀ ଗୁଡିକୁ ଭୁଲିଗଲେଣି । ଭାରତୀୟ ସଭ୍ୟତା ଓ ସଂସ୍କୃତିରେ ମାଟି ପାତ୍ର ଆବହମାନ କାଳରୁ ପ୍ରଚଳିତ ହୋଇଆସୁଛି । ପୂଜା ପର୍ବ, ବିବାହ, ବ୍ରତ, ମୃତାହ କାର୍ଯ୍ୟ ସବୁଥିଲେ ମାଟିପାତ୍ରର ଆବଶ୍ୟକତା ରହିଥାଏ । ସେତେବେଳେ ଖୋଜା ପଡିଥାଏ କୁମ୍ଭାରକୁ । ହେଲେ ଗତ ତିନି ଦଶନ୍ଧି ଧରି ଦୈନନ୍ଦିନୀ ବ୍ୟବହାରରେ ପ୍ରମୁଖ ଭୁମିକା ଗ୍ରହଣ କରି ନିଜର ଆଧିପତ୍ୟ ଜାହିର କରି ଆସୁଛି ଷ୍ଟିଲ ପାତ୍ର, ଷ୍ଟିଲ ହାଣ୍ଡି, ଗରା, ପ୍ଲେଟ, ଥାଳିଆ, ଚାମଚ, ଚଟୁ, ଡଙ୍କି ପ୍ରଭୃତି । ଏହାବାଦ ବିଦେଶୀ ସାମଗ୍ରୀ ଚାଇନା ମାଟି ପାତ୍ର ଓ କାଚ ପାତ୍ର ଗୁଡିକ ମଧ୍ୟ ଗୃହିଣୀ ମାନଙ୍କୁ ବେଶ ଆକର୍ଷିତ କରି ପାରିଛି । ଚାଇନା ମାଟିର ମନଲୋଭାଣିଆ ଚକ ଚକିଆ କପ, ପ୍ଲେଟ, ଥାଳିଆ, କାଚର କପ, ଗ୍ଲାସ, ପ୍ଲେଟ ପ୍ରଭୃତି ଚିକିମିକିଆ ଓ ଶସ୍ତା ସାମଗ୍ରୀ ଗୁଡିକ ବେଶ ଆକର୍ଷିତ କରୁଛି । ଷ୍ଟିଲ ସାମଗ୍ରୀ ଗୁଡିକ ଭାଙ୍ଗି ଯିବାର ମଧ୍ୟ ସମ୍ଭାବନା ନାହିଁ । କାଚ, ଚାଇନା ମାଟି ସାମଗ୍ରୀ ଓ ଷ୍ଟିଲ ସାମଗ୍ରୀ ଗୁଡିକୁ ଅଳ୍ପ ପରିଶ୍ରମରେ ଧୂଆ ଧୋଇ କରିବାରେ ମଧ୍ୟ ସୁବିଧା ହେଉଛି । ଏଣୁ ଏସବୁ ସମସ୍ତ ପାରିପାଶ୍ୱିର୍କ ବ୍ୟବସ୍ଥା ଦୃଷ୍ଟିରୁ ମାଟି ସାମଗ୍ରୀ, ମାଟି ହାଣ୍ଡି, ମାଟି କପ ଗୁଡିକୁ ଘରେ ବ୍ୟବହାର କରିବା ପାଇଁ ସେତେ ମଙ୍ଗୁ ନାହାନ୍ତି ଲୋକେ । ଫଳ ସ୍ୱରୁପ ମାଟି ହାଣ୍ଡିର ଚାହିଦା କମିବାରେ ଲାଗିଛି । ମାଟି ହାଣ୍ଡିର ଆଉ ବଜାର ରହୁନି । ଖରାଦିନ ହେଲେ ପାଣି ସୁରେଇ ଓ ମାଠିଆର ପାଣି ପିଇବା ପାଇଁ ଖୋଜା ପଡୁଛି କୁମ୍ଭାର । ଫଳରେ ଦୁର୍ଦ୍ଦିନରେ କୁମ୍ଭାର ମାନଙ୍କ ଜୀବନ ଜୀବିକା । ମାଟି ହାଣ୍ଡି, ମାଟି ପାତ୍ର ଗଢି ପରିବାର ପ୍ରତି ପୋଷଣ କରୁଥିବା କୁମ୍ଭାର ପରିବାର ସବୁ ଏବେ ଆଉ ମାଟିହାଣ୍ଡି ଗଢି ଜୀବନ ଜୀବିକା ପାଇଁ ଇଚ୍ଛା ପ୍ରକାଶ କରୁ ନଥିବା ଜଣାପଡିଛିି । କିଏ ଦିନ ମଜୁରିଆ ଭାବରେ କାମ କରିବାରେ ଲାଗି ଗଲାଣିତ, ଆଉ କିଏ ଅନ୍ୟପନ୍ଥା ଗ୍ରହଣ କରି କୁଟୁମ୍ବ ପ୍ରତି ପୋଷଣ କରୁଛି । ଫଳରେ କୁମ୍ଭାର ଘର ଦୁଆରେ ଆଉ କୁମ୍ଭାର ଚକ ଆଉ ଘୁରୁନି । ଧିରେ ଧିରେ ଲୋପ ପାଇବାକୁ ବସିଲାଣି କୁମ୍ଭାର ଚକ । ଅବଶ୍ୟ ଏବେ ଭାରତର ଅତ୍ୟାଧୁନିକ ସହର, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଭୂବନେଶ୍ୱର ଭଳି ଅତ୍ୟାଧୁନିକ ସହର ମାନଙ୍କରେ ମାଟି ପାତ୍ରରେ ରନ୍ଧା ହୋଇଥିବା ଖାଦ୍ୟ ସାମଗ୍ରୀ ଗୁଡିକର ଚାହିଦା ବଢିବାରେ ଲାଗିଛି । ବଡବଡିଆ ବାବୁ ମାନେ ମାଟିହାଣ୍ଡିରେ ରୋଷେଇ ଭାତ, ମାଟିହାଣ୍ଡି ମଟନ, ମାଟି ତାୱାରେ ସେକା ରୁଟି, ମାଟି ହାଣ୍ଡର ତନ୍ଦୁର ରୁଟି, ନାନ ପ୍ରଭୃତି ପ୍ରତି ଆକର୍ଷଣ ବଢୁଛି । କଳାହାଣ୍ଡି ଜିଲ୍ଲାର ଆଙ୍ଗୁଠି ଗଣତି କିଛି ସ୍ଥାନରେ କାଁ ଭାଁ କୁମ୍ଭାର ମାନେ ଅଳ୍ପ କିଛି ରହିଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଞ୍ଚଳର ମାଣ୍ଡେଲ, ତୁଳାଗାଁ, ସେରଗଡ, ଧଅଁରାମାଲ, ସାନ ଗୁଣ୍ଡୁରି, ଡଙ୍ଗର ଗୁଣ୍ଡୁରୀ, ଅସୁରଗଡ, ବିଲାଟ, ଉଲିକୁପା ପ୍ରଭୃତି ଅଞ୍ଚଳରେ ରହିଥିବା କୁମ୍ଭାର ପରିବାର ମାନେ ମାଟିପାତ୍ର ଗଢୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଏବେ ଯେମିତି ପଶ୍ଚିମ ଓଡିଶାର ମୁଖ୍ୟ ପରିଚୟ ସମ୍ବଲପୁରୀ ବସ୍ତ୍ରକୁ ସମ୍ମାନ ଜଣାଇ ସ୍କୁଲ, କଲେଜର ୟୁନିଫର୍ମ କରିବା ସହିତ ଅଫିସ ଗୁଡିକରେ ମଧ୍ୟ ସମ୍ବଲପୁରୀ ବସ୍ତ୍ରର ବ୍ୟବହାରକୁ ବାଧ୍ୟତା ମୂଳକ କରିଛନ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ରେଳ ମନ୍ତ୍ରି ରହିଥିବା ସମୟରେ ଟ୍ରେନରେ ଚସ ବିକାଳୀ ମାନେ ଯାତ୍ରୀଙ୍କୁ ମାଟି କପରେ ଚା ଦେବା ବାଧ୍ୟତା ମୁଳକ କରିଥିଲେ । ସେହିପରି ଟ୍ରେନରେ ପୁଣି ଚା ପିଇବା ପାଇଁ କାଗଜ କପର ପ୍ରଚଳନ ହୋଇଛି । ଠିକ୍ ସେହିଭଳି ରାଜ୍ୟ ସରକାର ଯଦି କୁମ୍ବାର ପରିବାର ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ତାହେଲେ କଳାହାଣ୍ଡିର ଶହ ଶହ କୁମ୍ଭାର ପରିବାରଙ୍କ ଜୀବନ ଜୀବିକା ଉଦ୍ଜୀବିତ ହେବା ସହ କୁମ୍ବାର ଘରେ ପୁଣି କୁମ୍ଭାର ଚକ ଘୁରନ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.