ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ବେଶୀ ଓଷାବ୍ରତ କରିବା ସହ ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଅଧିକାଂଶ ମହିଳା ପ୍ରତ୍ୟେକ ଦିନ ମନ୍ଦିର ବି ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶରେ ଏମିତି ଏକ ମନ୍ଦିର ଅଛି, ଯେଉଁଠିକି ମହିଳାମାନଙ୍କୁ ପ୍ରବେଶ ନିଷେଦ୍ଧ ରହିଛି । ମଧ୍ୟପ୍ରଦେଶର ଗୁୱାଲିଅର୍ ସହରରେ ରହିଛି କୁନ୍ୱାର ମନ୍ଦିର । ଏହି ମନ୍ଦିର ତାର ଆକର୍ଷଣୀୟତା ଏବଂ ଐତିହାସିକତା ପାଇଁ ବେଶ୍ ପ୍ରସିଦ୍ଧ । ଏଠାକୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଲୋକେ ମନ୍ଦିର ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥାନ୍ତି । ଏହା ଭୂତ୍ରାଜା ମନ୍ଦିର ଭାବେ ଜଣାଶୁଣା । ମନ୍ଦିରଟିର ସ୍ୱତନ୍ତ୍ରତା ହେଲା, ଏଠାରେ କେବଳ ପୁରୁଷମାନଙ୍କୁ ଭିତରରେ ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଥାଏ । ଏଠାରେ ମହିଳାମାନେ କେବଳ ମନ୍ଦିର ବାହାରେ ବୁଲି ଦେଖି ପାରିବେ । କିନ୍ତୁ ଛୋଟ ଝିିଅମାନେ ବାବାଙ୍କ ଦର୍ଶନ ପାଇବା ପାଇଁ ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ନିୟମ ରହିଛି । ମନ୍ଦିରର ପୁରୋହିତ କହିଛନ୍ତି ଯେ, କୁନୱାର ବାବାଙ୍କ ଏହି ମନ୍ଦିରରେ ମହିଳାଙ୍କୁ ପ୍ରବେଶ ମନା । କାରଣ ବାବା ଆଜୀବନ ଅବିବାହିତ ଥିଲେ । ଦୂରରୁ ମହିଳାଙ୍କ ସମସ୍ୟାର ସମାଧାନ କରୁଥିଲେ । ଏହି କାରଣରୁ ମହିଳାମାନଙ୍କୁ ବାବାଙ୍କ ସ୍ଥାନ ପରିଦର୍ଶନ କରିବାକୁ ବାରଣ କରାଯାଇଛି । ମନ୍ଦିରର ନାମ ଭୂତ ରାଜା ଦିଆଯିବା ପଛରେ ବି ଏକ କାହାଣୀ ରହିଛି । ବାବା ଗୁରୁ ଗୋରଖନାଥଙ୍କୁ ପୂଜା କରୁଥିଲେ । ତାଙ୍କର ଭକ୍ତିରେ ସନ୍ତୁଷ୍ଟ ହୋଇ ସେ ତାଙ୍କୁ ‘ଭୂତ ରାଜା’ଙ୍କ ଆଶୀର୍ବାଦ ଦେଇଥିଲେ । ସେବେଠାରୁ ଏହି ମନ୍ଦିର ଭୂତ ରାଜା ମନ୍ଦିର ଭାବେ ପରିଚିତ ।