ମଝି ଆକାଶରେ ଧକ୍କା ହୋଇଥାନ୍ତେ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ !

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନେପାଳରେ ଏୟାର ଟ୍ରାଫିକ କର୍ମଚାରୀଙ୍କ ଅବହେଳା ପାଇଁ ଏକ ବଡ଼ ବିମାନ ଦୁର୍ଘଟଣା ହେବାକୁ ଯାଉଥିବା ବେଳେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଅଘଟଣକୁ ଟାଳି ଦେଇଛି । ସୂଚନା ଅନୁସାରେ, ଏୟାର ଟ୍ରାଫିକ କର୍ମଚାରୀଙ୍କ ଯୋଗୁଁ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସ ବିମାନ ଉଭୟ ଉଭୟଙ୍କ ନିକଟତର ହୋଇ ଯାଇଥିଲେ । ଯଦି ସମୟ ପୂର୍ବରୁ ଉଭୟ ବିମାନର ପାଇଲଟ ସତର୍କ ହୋଇ ନଥାନ୍ତେ ତ ବିମାନ ଦୁଇଟି ଆକାଶରେ ଧକ୍କା ହୋଇଥାନ୍ତେ । ଏୟାର ଟ୍ରାଫିକ କର୍ମଚାରୀଙ୍କ ଅବହେଳା ଲାଗି ଦ ସିଭିଲ୍ ଆଭିଏସନ୍ ଅଥରିଟି ଅଫ୍ ନେପାଳ (CAAN) ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

ସେତେବେଳେ ନେପାଳ ଏୟାରଲାଇନ୍ସର ବିମାନ ଏୟାରବସ୍ ଏ-୩୨୦ କ୍ୱାଲାଲମପୁରରୁ କାଠମାଣ୍ଡୁ ଆସୁଥିଲା । ଏୟାରଇଣ୍ଡିଆର ବିମାନ ନୂଆଦିଲ୍ଲୀରୁ କାଠମାଣ୍ଡୁ ଯାଉଥିଲା । ଦୁଇ ବିମାନ ଆକାଶରେ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏୟାର ଇଣ୍ଡିଆ ବିମାନ ୧୯ ହଜାର ଫୁଟରୁ ତଳକୁ ଖସୁଥିଲା । ସେହି ସମୟରେ ନେପାଳ ଏୟାରଲାଇନ୍ସର ବିମାନ ୧୫ ହଜାର ଫୁଟ୍ ଉପରେ ଉଡ଼ୁଥିଲା । ଯାହା ପରେ ରାଡାରରେ ଦେଖା ଯାଇଥିଲା ଦୁଇ ବିମାନ ପ୍ରାୟ ନିକଟତର ହୋଇ ଯାଇଛନ୍ତି । ଏହା ପରେ ତୁରନ୍ତ ନେପାଳ ଏୟାରଲାଇନ୍ସ ବିମାନକୁ ୭ ହଜାର ଫୁଟକୁ ନିଆ ଯିବାରୁ ଦୁର୍ଘଟଣା ଟଳି ଯାଇଥିଲା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.