ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ

ଓଡ଼ିଶାର ତତକାଳୀନ ଛବିଶ ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର-ପାଟଣା ସମୃଦ୍ଧଶାଳୀ ଦେଶୀୟ ରାଜ୍ୟ ରୂପେ ଖ୍ୟାତି ଅର୍ଜନ କରିଥିଲା । ଏହାର ଶେଷ ୩୩ତମ ଚ଼ୌହାନ ବଂଶୀୟ ରାଜା ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ । ସେ ଥିଲେ ସ୍ବାଭିମାନୀ ବ୍ୟକ୍ତିତ୍ବ, ନିଷ୍କଳଙ୍କ ଚ଼ରିତ୍ର, ଆଦର୍ଶ ଓ ପ୍ରଜାନୁରଞ୍ଜନ ସୁଶାସକ, ମହାନୁଭବୀ, ଅଭିଜ୍ଞ, ଦୂରଦର୍ଶୀ ସମ୍ପନ୍ନ ବ୍ୟକ୍ତିତ୍ବ, କଳା, ସାହିତ୍ୟ ଏବଂ ସଂସ୍କୃତିର ସତୀର୍ଥ ପୃଷ୍ଠପୋଷକ । ରାଜେନ୍ଦ୍ର ନାରାୟଣ ସିଂହଦେଓ ୩୧ ମାର୍ଚ୍ଚ ୧୯୧୨ ମସିହାରେ ଷଢ଼େଇକଳା ରାଜବଂଶରେ ପିତା ଆଦିତ୍ୟ ପ୍ରସାଦ ସିଂହ ଓ ମାଆ ପଦ୍ମିନୀ କୁମାରୀଙ୍କ ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ୧ ଜାନୁଆରୀ ୧୯୨୨ରେ ବଲାଙ୍ଗୀର-ପାଟଣାର ନିଃସନ୍ତାନ ରାଜା ପୃଥ୍ୱୀରାଜ ସିଂହଦେଓ ତାଙ୍କୁ ପାଳିତ ପୁତ୍ର ଭାବେ ଗ୍ରହଣ କରିଥିଲେ । ଆଜମେରର ମେୟ ମହାବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ ହଜାରିବାଗ ଓ ମୁଙ୍ଗେରରେ ରାଜ କାର୍ଯ୍ୟ ପରିଚାଳନା ସମ୍ବନ୍ଧୀୟ ଶିକ୍ଷାପ୍ରାପ୍ତି କରିଥିଲେ । ୨୦ ବର୍ଷ ବୟସରେ ପାତିଆଲା ମହାରାଜଙ୍କର କନ୍ୟା କୈଳାସ କୁମାରୀଙ୍କୁ ବିବାହ କରିଥିଲେ । ରାଜେନ୍ଦ୍ର ନାରାୟଣ ୩ ଫେବୃଆରୀ ୧୯୩୩ ମସିହାରୁ ରାଜ୍ୟଭାର ଗ୍ରହଣ କରିଥିଲେ । ରାଜା ହେବା ପରେ ତାଙ୍କର ମୁଖ୍ୟ କାମ ରାଜ୍ୟର ସମସ୍ତ ଜମିର ବନ୍ଦୋବସ୍ତ, ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ୱପ୍ରଦାନ ଓ ଅନେକ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ଥାପନ । ଟିଟିଲାଗଡ଼ ଉଚ୍ଚ ବିଦ୍ୟାଳୟ ଓ ୧୯୪୪ରେ ବଲାଙ୍ଗୀର ମହାବିଦ୍ୟାଳୟ ଯାହା ପରବର୍ତ୍ତୀ କାଳରେ ରାଜେନ୍ଦ୍ର କଲେଜ ନାମରେ ପରିଚିତ ହୋଇଛି ସେ ଗୁଡ଼ିକ ତାଙ୍କରି ପ୍ରଚେଷ୍ଟା ପ୍ରସୂତ ।

୧୯୪୬ରେ ବଲାଙ୍ଗୀରରେ ଶିକ୍ଷକ ତାଲିମ କେନ୍ଦ୍ର ସ୍ଥାପନ ।ମେଧାବୀ ଛାତ୍ର ଓ ହରିଜନ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ବୃତ୍ତି ପ୍ରଦାନ ।ଅନାଥ ପିଲାମାନଙ୍କର ସମସ୍ତ ଶିକ୍ଷାଭାର ବହନ କରିବା ସହିତ ‘ଅନ୍ନପୂର୍ଣ୍ଣା ଅନାଥାଶ୍ରମ’ ଗଠନ କରିଥିଲେ । ସବର୍ଣ୍ଣ ଅସବର୍ଣ୍ଣର ଭେଦଭାବ ଦୂର କରିବାପାଇଁ ସେ ଗୋଟିଏ ସ୍କୁଲରେ ସବୁ ଜାତିର ପିଲା ପଢ଼ିବେ ବୋଲି ରାଜାଦେଶ ଜାରି କରିବା ସହିତ ହରିଜନ ପିଲାମାନଙ୍କୁ ଉଚ୍ଚ ଜାତିର ସାଙ୍ଗିଆ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ ।

କଳା ଓ ସଂସ୍କୃତିର ଅଭିବୃଦ୍ଧି ପାଇଁ ‘କୋଶଳ କଳାମଣ୍ଡଳ’ ନାମକ ସଂସ୍ଥା ଗଠନ କରିଥିଲେ । ‘ଚତୁରଙ୍ଗ’ ନାମକ ସାହିତ୍ୟ ପତ୍ରିକା ତାଙ୍କରି ପ୍ରଚ୍ଛନ୍ନ ଅନୁଦାନରୁ କଳାମଣ୍ଡଳର ମୁଖପତ୍ର ରୂପେ ପ୍ରକାଶ ପାଇଥିଲା । ଏହା ଛଡା ସେ ‘ଘୋଷଣା’ ନାମକ ପତ୍ରିକା ରାଜ ଦରବାର ତରଫରୁ ପ୍ରକାଶ କରିଥିଲେ । ତାଙ୍କ ରାଜ ଉଆସ ଭିତରେଥିଲା ଏକ ସମୃଦ୍ଧ ପୁସ୍ତକାଳୟ, ଯେଉଁଥିରେ ଭାରତୀୟ ଓ ବିଦେଶୀ ଭାଷାର ଅନେକ ପୁସ୍ତକ ରହିଥିଲା । ତାଙ୍କ ଅନ୍ତେ ରାଜେନ୍ଦ୍ର କଲେଜର ପୁସ୍ତକାଳୟକୁ ଏହି ପୁସ୍ତକଗୁଡ଼ିକ ପ୍ରଦାନ କରାଯାଇଥିଲା । ଏଥିରୁ ସ୍ପଷ୍ଟ ଭାବେ ଜଣାଯାଏ ଯେ, ମହାରାଜାଙ୍କର ସାହିତ୍ୟ ପ୍ରତି ଥିଲା ଅସୀମ ଦୁର୍ବଳତା ଏବଂ ସେ ଥିଲେ ସାହିତ୍ୟ ପ୍ରେମୀ ।

ପୁରାତନ ଐତିହ୍ୟର ସୁରକ୍ଷାପାଇଁ ସେ ‘ପ୍ରତ୍ନତତ୍ତ୍ୱ ବିଭାଗ’ ଓ ‘ଐତିହାସିକ ଅନୁସନ୍ଧାନ ସୋସାଇଟି’ ନାମକ ଦୁଇଟି ସଂସ୍ଥା ଗଠନ କରିଥିଲେ । କେଦାରନାଥ ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ରଥଙ୍କ ପରି ଐତିହାସିକ ତାଙ୍କ ପୃଷ୍ଠପୋଷକତା ଲାଭ କରିଥିଲେ ।
ନାରୀମାନଙ୍କ ଭିତରେ ଜାଗରଣପାଇଁ ସେ ବଲାଙ୍ଗୀରରେ ଏକ ମହିଳାକ୍ଲବ ସ୍ଥାପନ କରିଥିଲେ । ନାରୀମାନଙ୍କ ପାଇଁ ଚିକିତ୍ସାକୁ ସହଜ ସୁଲଭ କରିବାପାଇଁ ସେ ମାତୃମଙ୍ଗଳ କେନ୍ଦ୍ର ସ୍ଥାପନ କରିଥିଲେ, ଯାହା ତାଙ୍କ ପତ୍ନି କୈଳାଶ କୁମାରୀ ଦେବୀ ଉଦ୍ଘାଟନ କରିଥିଲେ । ମହିଳାମାନଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିବାପାଇଁ ସେ ଅନୁପ୍ରେରିତ କରୁଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ତାଙ୍କ ଭଉଣୀ ଢେଙ୍କାନାଳର ରାଣୀ ରତ୍ନପ୍ରଭା ଦେବୀ ଓ ତିଗିରିଆ ରାଜମାତା ରାସ ମଞ୍ଜରୀ ଦେବୀ ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେଇଥିଲେ ।

ପ୍ରଜାମାନଙ୍କ ସ୍ୱାସ୍ଥ୍ୟର ସୁବିଧା ପାଇଁ ସେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ କରିଥିଲେ । ବଲାଙ୍ଗୀର ଚିକିତ୍ସାକେନ୍ଦ୍ରରେ ପ୍ରଥମ କରି ରଞ୍ଜନ ରଶ୍ମୀ ସ୍ଥାପନ କରାଇଥିଲେ। ସ୍ୱାଧୀନତା ପରେ ଏହା କଟକକୁ ସ୍ଥାନାନ୍ତରିତ ହୋଇ ଯାଇଥିଲା । ସେଠାରେ ଅଭିଜ୍ଞ ଚିକିତ୍ସକଙ୍କୁ ନିୟୋଜିତ କରିବା ସହିତ ବଲାଙ୍ଗୀରରେ ଏକ ଆୟୁର୍ବେଦିକ ଚିକିତ୍ସାଳୟ ମଧ୍ୟ ସ୍ଥାପନା କରାଇଥିଲେ । ରାମକୃଷ୍ଣ ପରମହଂସଙ୍କ ସହଧର୍ମିଣୀ ଶାରଦା ଦେବୀଙ୍କ ନାମ ଅନୁସାରେ ଏହି ଚିକିତ୍ସାଳୟର ନାମ ଶାରଦେଶ୍ୱରୀ ରଖାଯାଇଥିଲା । ବଲାଙ୍ଗୀର ସହରରେ ଏକ ଗୋପାଳନ କେନ୍ଦ୍ର ସ୍ଥାପନ କରିବା ସହିତ ସେଠାରେ ଉନ୍ନତ ଗୋ ମହିଷାଦି ପାଳନର ବ୍ୟବସ୍ଥା କରାଇଥିଲେ ।

ବଲାଙ୍ଗୀର ପାଟଣା ଗଡ଼ଜାତରେ ସେ ସମୟରେ ଏକ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ରହିଥିଲା । ତିନିଜଣ ବିଜ୍ଞ ବିଚାରପତିଙ୍କୁ ନେଇ ବଲାଙ୍ଗୀରରେ ଏକ ଉଚ୍ଚନ୍ୟାୟାଳୟ କାମ କରୁଥିଲା, ଯାହା ସେ ସମୟରେ ଅନ୍ୟ କୌଣସି ପ୍ରାନ୍ତୀୟ ରାଜ୍ୟରେ ବିରଳଥିଲା ।
ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଜଣେ ଧର୍ମପ୍ରାଣ ମଣିଷ ଥିଲେ । ନିଜ ମାଆ କିଶୋରୀ ମୋହନ ଦେବୀଙ୍କ ସ୍ମୃତିରେ ସେ ରାଜପ୍ରାସାଦ ଭିତରେ ଦୁଇଟି ପୁଷ୍କରିଣୀ ମଝିରେ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ଓ ଶ୍ରୀ ରଘୁନାଥ ମନ୍ଦିର ସ୍ଥାପନ କରାଇଥିଲେ । ୧୯୩୯ରେ ସେ ଗୋଟିଏ ପଣ୍ଡିତ ସମ୍ମିଳନୀ ଡ଼କାଇଥିଲେ ଯେଉଁଥିଲେ ୫୦୦୦ରୁ ଅଧିକ ପଣ୍ଡିତ ଯୋଗ ଦେଇଥିଲେ । ବାଲ୍ୟବିବାହ ପ୍ରଥାର ଉଚ୍ଛେଦ ଓ ବିଧବା ବିବାହ ପ୍ରଚଳନ ପାଇଁ ସେ ଏହାଦ୍ୱାରା ଜନ ଜାଗୃତି ସୃଷ୍ଟି କରିଥିଲେ । ପ୍ରତି ଶନିବାର ଓ ବୁଧବାର ଦିନ ଯେ କେହି ପ୍ରଜା ରାଜପ୍ରାସାଦକୁ ଯାଇ ତାଙ୍କୁ ନିଜ ଦୁଃଖ ଜଣାଇ ପାରୁଥିଲା । ୧୯୩୬ ମସିହାରେ ନିଜ ଜନ୍ମଦିନ ଅବସରରେ ସେ ବେଠି ଓ ବେଗାରି ପ୍ରଥା ପ୍ରଜାମାନଙ୍କ ଉପରୁ ଉଠାଇ ଦେଇଥିଲେ । ୧୯୩୯ ଫେବୃଆରୀ ୨୬ ତାରିଖରୁ ୧୦ ଦିନ ପର୍ଯ୍ୟନ୍ତ କୃଷିଜାତ ପଦାର୍ଥ ଓ ଗୃହପାଳିତ ପଶୁମାନଙ୍କର ଏକ ପ୍ରଦର୍ଶନୀ ବଲାଙ୍ଗୀରରେ ଆୟୋଜନ କରିଥିଲେ। କୃଷିର ଉନ୍ନତି ପାଇଁ ଜଳସେଚନ ବ୍ୟବସ୍ଥାରେ ସୁଧାର କରିବା ସହିତ କୁଟୀର ଶିଳ୍ପର ଉନ୍ନତି ପାଇଁ ଅଭିଜ୍ଞ ଶିଳ୍ପୀ ଓ ତାଲିମଦାତାଙ୍କୁ ଅଣାଇ ସେ ଲୋକମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ । କ୍ରୀଡାପ୍ରତି ତାଙ୍କ ପ୍ରେମର ନିଦର୍ଶନ ସ୍ୱରୂପ ‘ରମାଇ ଫୁଟବଲ ଟୁର୍ଣ୍ଣାମେଣ୍ଟ’ ଆୟୋଜନ କରିଥିଲେ । ସେ ନିଜେ ଟାଉନ ଟିମରେ ଖେଳୁଥିଲେ। ଅନ୍ୟମାନଙ୍କ ସହ ମିଶି ଖେଳିବାକୁ ସେ କେବେ କୁଣ୍ଠାବୋଧ କରୁ ନ ଥିଲେ। ପ୍ରଫେସର ସି.ଆର.ଡ଼ି. ନାଇଡ଼ୁ ତାଙ୍କୁ ଯୋଗ ଓ ପ୍ରାଣାୟାମ ଶିକ୍ଷା ଦେଉଥିଲେ ।

ତାଙ୍କର ସୁଶାସନ ପାଇଁ ଅନ୍ୟାନ୍ୟ ଗଡ଼ଜାତରେ ପ୍ରଜା ଆନ୍ଦୋଳନ ହୋଇଥିଲା ବେଳେ ତାଙ୍କ ରାଜ୍ୟରେ ଶାନ୍ତି ଥିଲା । ଗଡ଼ଜାତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରି ସେ ବଲାଙ୍ଗୀର ଗଡ଼ଜାତକୁ ଓଡ଼ିଶା ରାଜ୍ୟ ସହିତ ମିଶାଇଥିଲେ । ବହୁଜନହିତାୟର ଆଦର୍ଶ ନେଇ ସେ ସର୍ବାଧିକ ରାଜସ୍ୱ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଥିଲେ।
ରାଜୁଡ଼ା ଶାସନର ଅବସାନ ପରେ ପରବର୍ତ୍ତୀ ଓଡ଼ିଶା ରାଜନୀତିର ସେ କେନ୍ଦ୍ରବିନ୍ଦୁ ଥିଲେ । ସେ ବିରୋଧି ଦଳର ନେତା, ଉପମୁଖ୍ୟ ମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସାଂସଦ ଭାବେ ନିଜ ଭୂମିକା ସୁଚାରୁରୂପେ ନିଭାଇଥିଲେ ।

ସେ ଥିଲେ ଓଡ଼ିଶା ରାଜନୀତି ର ଆର୍କଷଣୀୟ ବ୍ୟକ୍ତିତ୍ବ । ଓଜସ୍ବିନୀ ବକ୍ତୁତା, ଉପଯୁକ୍ତ ମାର୍ଗ ଓ ଶୈଳୀରେ ଓଡ଼ିଶାର ଦାବି ଉପସ୍ଥାପନ, ଆଦର୍ଶ ଶାସନ, ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ସଚ଼େତନତା, ସ୍ବାଭାବ-ସୁଲଭ ରାଜକୀୟ ବ୍ୟବହାର ପାଇଁ ସେ ସମସ୍ତଙ୍କର ହୃଦୟକୁ ଜୟ କରିପାରିଥିଲେ । ସେ ୧୯୭୫ ମସିହା ଫେବୃୟାରୀ ମାସ ୨୩ ତାରିଖ ରେ ଏ ପାର୍ଥିବ ଜଗତରୁ ଚ଼ିର ଦିନ ପାଇଁ ବିଦାୟ ନେଲେ।ଆଜି ତାଙ୍କର ଜୟନ୍ତୀ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ ।

ବିଶ୍ବବିଜୟୀ ଦାଶ
ଯୁବ ସ୍ତମ୍ଭକାର
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା
ପିନ୍ – ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.