ଉତ୍କଳୀୟ ସଂସ୍କୃତି ପରମ୍ପରାରେ ମହାବିଷୁବ ସଂକ୍ରାନ୍ତୀ 

ଡକ୍ଟର ମମତା କୁମାରୀ ତ୍ରିପାଠୀ   

ପ୍ରାଚୀନ ସଭ୍ୟ ଓ ସଂସ୍କୃତି ସଂପନ୍ନ ରାଜ୍ୟ ଭାବେ ଉତ୍କଳ ଭୂମି ସମଗ୍ର ଭାରତବର୍ଷରେ ଖ୍ୟାତିଲାଭ କରିଅଛି । କେଉଁ ଅନାଦିକାଳରୁ ଏଠାରେ ପର୍ବପର୍ବାଣୀ ସବୁ ପାଳିତ ହୋଇଆସୁଅଛି । ଉତ୍କଳୀୟ ସଂସ୍କୃତିରେ ପର୍ବପର୍ବାଣୀ ଗୁଡ଼ିକ ଆମ ସାମାଜିକ ସ୍ଥିତିକୁ ପ୍ରେରଣା ଦେବା ସହିିତ ଜୀବନଧାରାକୁ ସରଳ, ସୁନ୍ଦର ଓ ପରିମାର୍ଜିତ କରିଥାଏ ।
ଏହ ମନୁଷ୍ୟ ମଧ୍ୟରେ ଥିବା ଆସୁରିକ ପ୍ରବୃତ୍ତିକୁ ବଳିଦେଇ ଦେବତ୍ୱ ଭାବକୁ ଜାଗ୍ରତ କରିଥାଏ । ଉତ୍କଳୀୟ ସଂସ୍କୃତିରେ ସାମାଜିକ ପରଂପରାକୁ ନେଇ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ “ମହାବିଷୁବ ସଂକ୍ରାନ୍ତି” ଅନ୍ୟତମ । ଏହାକୁ ଓଡିଶାରେ ମହାବିଷୁବ ସଂକ୍ରାନ୍ତି ବା ” ପଣା ସଂକ୍ରାନ୍ତି ” ବୋଲି କୁହାଯାଇଥାଏ ।
କେବଳ ଓଡ଼ିଶାରେ ନୁହେଁ ଭାରତବର୍ଷର ବିଭିନ୍ନ ରାଜ୍ୟରେ ମଧ୍ୟ ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ । ବଙ୍ଗଳାରେ ବଙ୍ଗାଳୀମାନେ ଏହାକୁ “ପହିଲା ବୈଶାଖ”, ତାମିଲନାଡ଼ୁରେ ତାମିଲମାନେ “ପୁଆଣ୍ଡୁ” ଅହମିୟାମାନେ “ବିହୁ” ଓ କେରଳରେ କେରଳୀମାନେ ଏହାକୁ “ବିଷୁ” ଭାବରେ ପାଳନ କରିଥାନ୍ତି ।
ପ୍ରାଚୀନ ବୈଦିକ ଯୁଗରେ ସୂର୍ଯ୍ୟ ଦେବତା ଯେତେବେଳେ ବିଷୁବ ବିନ୍ଦୁରେ ଅଧିଷ୍ଠିତ ହୁଅନ୍ତି ତାହା ବର୍ଷାରମ୍ଭ ବୋଲି ସ୍ୱୀକୃତି । ଜ୍ୟୋତିଷଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପ୍ରଥମେ ମେଷ ରାଶିରୁ ଗମନ କରିଥିବାରୁ ଏହା ବର୍ଷାରମ୍ଭ, “ବିଷୁବ ସଂକ୍ରାନ୍ତି” ବା ଉତ୍କଳୀୟ ପରମ୍ପରାରେ “ପଣାସଂକ୍ରାନ୍ତି” ଭାବରେ କଥିତ ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହି ସମୟରେ ସୂର୍ଯ୍ୟଙ୍କର ତାପ ପ୍ରଚଣ୍ଡ ଭାବରେ ବୃଦ୍ଧି ପାଉଥିବାରୁ ମଣିଷର ହଜମଶକ୍ତି ମଧ୍ୟ ବୃଦ୍ଧିପାଏ । ତେଣୁ କେତେକ ଅଞ୍ଚଳରେ ଗରିଷ୍ଠ ଖାଦ୍ୟ ରୂପେ ସ୍ୱିକୃତ ବୁଟ ଛତୁକୁ ଖାଆନ୍ତି ଓ ସ୍ନେହୀ ଜନଙ୍କ ମଧ୍ୟରେ ବିତରଣ କରନ୍ତି । ଏପରିକି ଏହି ଦିନ କେତେକ ଅଞ୍ଚଳରେ ତୁଳସୀ ଗଛ ଉପରେ ବସୁନ୍ଧରା ବାନ୍ଧି ତା ଦେହରେ ଗୋଟିଏ ଓଳି ବା ମାଟିର ଘଡ଼ିକୁ ଶିକାରେ ଝୁଲାଇ ତନ୍ମଧ୍ୟରେ ପାଣି ଓ ପଣା ଢଳାଯାଏ ।
ଘଡ଼ିର ନିମ୍ନଦେଶରେ ଗୋଟିଏ କ୍ଷୁଦ୍ର ରନ୍ଧ୍ରକରି ତନ୍ମଧ୍ୟରେ କୃଶଟିଏ ଖୋସିବା ଦ୍ୱାରା ଘଡ଼ିମଧ୍ୟରୁ ପାଣି ବିନ୍ଦୁ ବିନ୍ଦୁ ହୋଇ ସେହି ଗଛରେ ପତିତ ହୁଏ । ପ୍ରଚଣ୍ଡ ରୌଦ୍ରତାପ ହେତୁ ପେଟଗରମ ହେବାର ଆଶଙ୍କାକୁ ଆଖି ଆଗରେ ରଖି ଏହି ଦିନ କଦଳୀ, ଛେନା, ନବାତ, କର୍ପୁର, ଗୋଲମରୀଚ ଆଦି ପଦାର୍ଥକୁ କ୍ଷୀରରେ ପକାଇ ପଣା କରାଯାଏ । ତେଣୁ ଉତ୍କଳରେ ଏହି ଦିନଟି ପଣା ସଂକ୍ରାନ୍ତି ଭାବେ ଆଦୃତ ।
ଭବିଷ୍ୟ ପୁରାଣରେ ରାମଭକ୍ତ ମହାବୀର ହନୁମାନଙ୍କ ଆବିର୍ଭାବ ସଂପର୍କରେ ନାନାପ୍ରକାର ବର୍ଣ୍ଣନା ଥିଲେ ହେଁ ବେଦ, ତନ୍ତ୍ର, ଜ୍ୟୋତିଷ ଓ ରାମାୟଣ ଶାସ୍ତ୍ରାନୁସାରେ ମହାବୀର ହନୁମାନଙ୍କ ଆର୍ବିଭାବ ସମୟ ହେଉଛି ଏହି ପବିତ୍ର ବିଷୁବ ସଂକ୍ରାନ୍ତି । କିନ୍ତୁ କେତେକ ଅଞ୍ଚଳରେ ଏହି ସଂକ୍ରାନ୍ତକୁ ହନୁମାନ ଜୟନ୍ତୀରୁପେ ପାଳନ କରାଯାଏ ।
ଏହି ମାସରେ ବାୟୁର ଗତି ଅତି ପ୍ରଖର ହେଇଥିବାରୁ ଉଭୟ ବାୟୁ ଓ ଅଗ୍ନିଙ୍କ ପ୍ରକୋପରୁ ରକ୍ଷା ପାଇବା ନିମନ୍ତେ ହନୁମାନଙ୍କୁ ସନ୍ତୋଷ କରିବା ପାଇଁ ତାଙ୍କ ଜୟନ୍ତୀ ପାଳିତ ହୁଏ । ଚୈତ୍ରମାସରୁ ଆରମ୍ଭ ହେଇଥିବା ଦଣ୍ଡଯାତ୍ରା ଦଣ୍ଡପର୍ବ ଏହି ବିଷୁବ ସଂକ୍ରାନ୍ତି ଦିନ ଉଦଯାପିତ ହୁଏ । ଏହି ଦଣ୍ଡଯାତ୍ରା ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଗଂଜାମ ଜିଲ୍ଲାର ଏକ ପ୍ରସିଦ୍ଧ ଯାତ୍ରା ରୂପେ ସ୍ୱୀକୃତ ।
ଏତଦବ୍ୟତୀତ ସମତଳ ଅଂଚଳରେ ବିଷୁବ ସଂକ୍ରାନ୍ତିଦିନ ଝାମୁଯାତ୍ରା ବା ଝାମୁବ୍ରତ ପାଳିତ ହେଇଥାଏ । ଏହି ଯାତ୍ରା ଝଙ୍କଡ଼ର ସାରଳା,ବାଙ୍କିର ଚର୍ଚ୍ଚିକା, କାକଟପୁର ମଙ୍ଗଳା, ପୁରୀ ଛାଡ଼େଶ୍ୱରୀ ପୀଠରେ ଅତ୍ୟନ୍ତ ନିଷ୍ଠାର ସହିତ ବିଧିପୂର୍ବକ ପାଳନ କରାଯାଇଥାଏ । ବିଷୁବ ସଂକ୍ରାନ୍ତରେ ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ କେତେକ ବିଧିବିଧାନ ପାଳିତ ହୁଏ ।
ଏହି ଦିନ ସକାଳ ଧୂପ ସରିବାପରେ ମହପ୍ରଭୂଙ୍କ ବାଡ଼ରୁ ଆଜ୍ଞାମାଳ ନିଆଯାଇ ଶ୍ରୀମନ୍ଦିର ଚାରିଦ୍ୱାରରେ ଥିବା ମହାବୀର ମାନଙ୍କୁ ଓ ବାରଭାଇ ମହାବୀରଙ୍କୁୂ ଦିଆଯାଏ । ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ମାନଙ୍କର ନୂଆବର୍ଷର ଆରମ୍ଭ ଦିବସରୂପେ ଗ୍ରହଣ କରାଯାଏ । 
ଉଗ୍ର ଆଧୁନିକତା ପ୍ରତିଯୋଗୀତା ମୂଳକ ଜୀବନଯାପନ ତଥା ବସ୍ତୁବାଦୀ ଦୁନିଆର ସାଂପ୍ରତିକ ମଣିଷ ତାର ପରମ୍ପରା ଓ ସଂସ୍କୃତିକୁ ଭୁଲିଯାଇଥିବାବେଳେ ଗାଁ ଗହଳିରେ ବାସକରୁଥିବା ସାଧାରଣ ମଣିଷଟିଏ ଗୃହାଙ୍ଗନରେ ଥିବା ବୃନ୍ଦାବତୀ ଚଉରା ଉପରେ ପଣାଘଡ଼ିଟିଏ ଟାଙ୍ଗିଦେଇ ନିଜର ଐତିହ୍ୟକୁ ବଞ୍ଚାଇ ରଖିଛି ।
ଓଡ଼ିଆ ନବବର୍ଷରେ ଆଧୁନିକ ଓଡ଼ିଆମାନେ ଓଡ଼ିଆର ପରମ୍ପରା ଓ ସଂସ୍କୃତିକୁ ଭୂଲିଯାଇ ନବବର୍ଷର ଆରମ୍ଭକୁ ଜାନୁୟାରୀ ମାସରୁ ଗ୍ରହଣ କରି ତାର ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ସାଦରେ ଅଭିନନ୍ଦନ ଜଣାଉଛି । ଓଡ଼ିଆ ନବବର୍ଷରେ ଦେବଆରାଧନା, କବିତାପାଠୋତ୍ସବ, ନୂତନ ପଞ୍ଜିକା ପାଠ, ପ୍ରପାନକ ସେବନରେ କେତେକ ବ୍ୟସ୍ତ ରହିବାବେଳେ ଆଧୁନିକ ଓଡ଼ିଆମାନେ ନିଜର ନୂଆବର୍ଷର ଆଗମନକୁ ବିସ୍ମରଣ କରୁଛନ୍ତି ।
ଏତଦବ୍ୟତୀତ ଓଡ଼ିଆ ନବବର୍ଷରେ ବନ୍ଧୁବାନ୍ଧବ ତଥା ସ୍ନେହୀ ଜନଙ୍କୁ ସାଦର ଅଭିନନ୍ଦନ ଜଣାଇବା ପାଇଁ ଆମେ ଭୁଲିଯାଉଥିବାବେଳେ ଇଂରାଜୀ ନବବର୍ଷର ଆଗମନ ପୂର୍ବରୁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିନେବା ପାଇଁ ବ୍ୟସ୍ତ ରହୁଛୁ । କେବଳ ସେତିକିନୁହେଁ ଆମର ନିଜସ୍ୱ ସଂସ୍କୃତି ଓ ମାତୃଭାଷା ପ୍ରତି ନାସିକା କୁଞ୍ଚନ କରିବାବେଳେ ବିଦେଶୀ ସଂସ୍କୃତି ଓ ଭାଷାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ନିଜକୁ କୃତ୍ୟ କୃତ୍ୟ ମନେକରୁଛୁ ।
ତେଣୁ ଆଜିର ଏହି ବିଷୁବ ସଂକ୍ରାନ୍ତିରେ ଯଦି ମାତୃଭୂମି, ମାତୃଭାଷା ଓ ଓଡ଼ିଆ ସଂସ୍କୃତିକୁ ସମ୍ମାନ ସହିତ ବଜାୟ ରଖିବାକୁ ଚେଷ୍ଟା କରିବା ତାହାହେଲେ ଏକବିଂଶ ଶତାବ୍ଦୀର ଏହି ବିଷୁବ ସଂକ୍ରାନ୍ତି ଆମପାଇଁ କେବଳ ସ୍ମରଣୀୟ ହେଇରହିବନି ବରଂ ପଥପ୍ରଦର୍ଶକ ହେଇପାରିବ ।
ଅଧ୍ୟାପିକା, ଓଡ଼ିଆ ବିଭାଗ
ମ.ରାମପୁର ମହାବିଦ୍ୟାଳୟ, କଳାହାଣ୍ଡି
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.