ଅପ୍ରେଲ ୧୬ ରୁ ୧୯ ନର୍ଲାରୋଡରେ ସେବାକାରୀ କିନ୍ନର ସଂଘର ବହୁଚରା ମାତା ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସେବାକାରୀ କିନ୍ନର ସଂଘର ବହୁଚରା ମାତା ପୂଜା ଆସନ୍ତା ଅପ୍ରେଲ ୧୬ ରୁ ଆରମ୍ଭ ହେବ ଓ ୧୯ ରେ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ସୂଚନା ଦେଇଛନ୍ତି । କିନ୍ନର ମାନଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବହୁଚରା । ପ୍ରତିବର୍ଷ ଚୈତ୍ର ମାସରେ ନର୍ଲା ସେବାକାରୀ କିନ୍ନର ସଂଘ ତରଫରୁ ମା ବହୁଚାରାଙ୍କ ୧୬ ପୂଜା ଅନୁଷ୍ଠିତ ହୋଇଥାଏ । ଗତ ୨୦୨୦/୨୧ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ କେବଳ ପୂଜା ଅନୁଷ୍ଠିତ ହୋଇଥିଲା । ହେଲେ ଏଭଳି ଭବ୍ୟ ଉତ୍ସବ ହୋଇପାରି ନଥିଲା । ଚଳିତ ବର୍ଷ ଏହା ୧୬ ଅପ୍ରେଲରୁ ଆରମ୍ଭ ହେବ । ଏନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ନର୍ଲାରୋଡ ବିକ୍ରମ ଲଜ୍ ସମ୍ମୁଖରେ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ରାୟଗଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର ପ୍ରଭୃତି ସ୍ଥାନରୁ ୩୦୦ ରୁ ଉର୍ଦ୍ଧ୍ବ କିନ୍ନର ଆସିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ୧୬ ସଂଧ୍ୟାରେ କଳସ ଯାତ୍ରା, ରାତିରେ ପୂଜାରମ୍ଭ ୧୭ ରେ ପୀଠପୂଜା, ୧୮ ରେ ସଭା କାର୍ଯ୍ୟକ୍ରମ ଓ ୧୯ ସଂଧ୍ୟାରେ ନଗର ପରିକ୍ରମା ସହ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ । ପ୍ରତ୍ୟହ ସଂଧ୍ୟାରେ ମନୋରଞ୍ଜନର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର, ଉପସଭାପତି ଦୁର୍ଗା କିନ୍ନର, କୋଷାଧ୍ୟକ୍ଷ ରାଜୁ ଜୁଏଡ, ବରିଷ୍ଠ ସଦସ୍ୟ ବିନୁ, ରୀତା, ବୁଲବୁଲ, ବର୍ଷା, ପାୟଲ କିନ୍ନର ପ୍ରମୁଖ ଏଥିପାଇଁ ବ୍ୟବସ୍ଥାରେ ଲାଗିଥିବା ଜଣାପଡିଛି । ମା ବହୁଚରାଙ୍କ ପୂଜା କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ସମସ୍ତଙ୍କୁ ନିମନ୍ତ୍ରଣ କରି ମାଙ୍କ କୃପା ଲାଭ କରିବା ପାଇଁ ସଭାପତି କାମିନୀ କିନ୍ନର ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.