୫୬ ପ୍ରହର ନାମ ଯଜ୍ଞ ଏବଂ ମିନାବଜାରରେ ପ୍ରବଳ ଭିଡ଼
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ଜନସମୁଦ୍ର ପିଲଟିଛି ରୁପ୍ରାରୋଡ ଦେବସର ଧାମ ପରିସର । ଶୁକ୍ରବାର ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବର ଷଷ୍ଠ ଦିବସରେ ୨୫ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିବା ଆକଳନ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ଅନେକ ବିକଳ୍ପ ବ୍ୟବସ୍ଥା କରାଯାଇଛି । ପ୍ରବେଶ ପଥ ରେ ଥିବା ଥଣ୍ଡା ପାନୀୟ ଜଳ ଷ୍ଟଲ ପାଖରେ ପ୍ରସ୍ତୁତ ହୋଇ ରହିଛି ସେଲଫି ପଏଣ୍ଟ । ଏଠାରେ ସେଲଫି ନେବା ପାଇଁ ଯୁବ ବର୍ଗ ଆକର୍ଷିତ ହୋଇ ଆସୁଛନ୍ତି । ଦମ୍ପତିମାନେ ମଧ୍ୟ ଏଠାରେ ଫଟୋ ଉଠାଉଥିବା ଦେଖାଯାଉଛି । ତେବେ ଯାତ୍ରା ପଡ଼ିଆରେ ହଜାର ହଜାର ଲୋକ ମୋବାଇଲ ବ୍ୟବହାର କରୁଥିବା ଯୋଗୁଁ ସନ୍ଧ୍ୟା ୭ରୁ ରାତି ୧୦ଟା/ ୧୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବ୍ୟାହତ ହେଉଛି । ଛପନ ପ୍ରହର ଅଖଣ୍ଡ ନାମ ଯଜ୍ଞ ମଣ୍ଡପ, ନବ ନିର୍ମିତ ମନ୍ଦିର ପରିସର, ଆନନ୍ଦ ବଜାର ଓ ମିନାବଜାରରେ ଗହଳି ଲାଗି ରହିଛି । ବିସ୍ତିର୍ଣ୍ଣ ପ୍ରାନ୍ତର ଯୋଗୁଁ ପ୍ରବଳ ଜନଗହଳି ସତ୍ତ୍ୱେ ସମସ୍ତେ ଆରାମରେ କାର୍ଯ୍ୟକ୍ରମ ସମୁହ ଉପଭୋଗ କରି ପାରୁଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଦେବୀ ଦୁର୍ଗାଙ୍କ ଅପାର କରୁଣା ସହ ଅଞ୍ଚଳବାସୀ ଓ ରୁପ୍ରାରୋଡ ବାସିନ୍ଦାଙ୍କ ଅକୁଣ୍ଠ ସହଯୋଗରେ ଏହି ବିଶାଳ କାର୍ଯ୍ୟକ୍ରମ ବିନା ବାଧାବିଘ୍ନରେ ଶୃଙ୍ଖଳାର ସହ ଆଗେଇ ଚାଲିଥିବା ପ୍ରକାଶ କରିଛନ୍ତି ଦେବସର ଧାମ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ମୁଲଚନ୍ଦ ଅଗ୍ରୱାଲ ।