ଗାଁକୁ ପକ୍କା ରାସ୍ତା ନିର୍ମାଣ ଦାବି କଲେ ତଳଗୁରୁଠି ଗ୍ରାମବାସୀ; ବିଧାୟକ ମକରନ୍ଦ ମୁଦୁଲିଙ୍କୁ ଦେଲେ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା ଶିବ (ନାରାୟଣ ଗୈାଡ): ସାମାନ୍ୟ ବର୍ଷା ହେଲେ କାଦୁଅ ପଚପଚ ହୋଇ ଯାଉଛି ତଳଗୁରୁଠି ଗ୍ରାମକୁ ସଂଯୋଗ କରିଥିବା ରାସ୍ତା । ଫଳରେ ଗ୍ରାମବାସୀ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଖାଲଢିପ ଭରା ମାଟି ରାସ୍ତାରେ ଦୈନନ୍ଦିନର ବାଧାପ୍ରାପ୍ତ ଯାତାୟାତକୁ ନେଇ ପଂଚାୟତ ସମିତି ରାୟଗଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୈାଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସରପଂଚ ମଧ୍ୟ ଲିଖିତ ଭାବେ ଜଣାଇଥିଲେ ସୁଦ୍ଧା ପ୍ରଶାସନିକ କ୍ଷେତ୍ରରେ ଗାଁ ଲୋକଙ୍କ ଗମନାଗମନର ଅସୁବିଧାକୁ ଦୂରେଇବାରେ କେହି କର୍ଣ୍ଣପାତ କରୁ ନ ଥିବାରୁ ଆଜି ତଳଗୁୁରୁଠିର କିଛି ଗ୍ରାମବାସୀ ନିଜ ପଂଚାୟତ ସରପଂଚ ତାମାରାଓ ବିଡିକାଙ୍କ ସହ ଯାଇ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ସାକ୍ଷାତ କରି ହାଲୁଆ ଠାରୁ କଲିଙ୍ଗି ଗ୍ରାମ ପର୍ଯ୍ୟନ୍ତ ୮କି.ମି.ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗ୍ରାମବାସୀ ଏବଂ ସରପଂଚଙ୍କ ଠାରୁ ଗମନାଗମନର ଅସୁବିଧାକୁ ଶୁଣିବା ପରେ ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଛନ୍ତି ବିଧାୟକ ମକରନ୍ଦ । ଏଥିସହ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀଙ୍କ ନିକଟକୁ ଗାଁକୁ ରାସ୍ତା ନିର୍ମାଣ ପାଇଁ ଚିଠି ପ୍ରେରଣ କରିଛନ୍ତି । ରାୟଗଡା ଜିଲ୍ଳା ସଦର ମହକୁମାର ଠାରୁ ମାତ୍ର ଆଠ କିଲୋମିଟର ଦୂରତାରେ ରହିଛି ସଦର ବ୍ଳକ ହାଲୁଆ ଗ୍ରାମ ପଂଚାୟତ ଅଧିନସ୍ଥ ତଳଗୁରୁଠି ଗ୍ରାମ । ଏହି ଗ୍ରାମରେ ବସବାସ କରୁଛନ୍ତି ୭୫ଘର ପରିବାର । ୩କିଲୋମିଟର ଦୂରରେ ଥିବା ସଦର ପଂଚାୟତକୁ ଯିବା ପାଇଁ ତଥା ଜିଲ୍ଳା ସଦର ମହକୁମାକୁ ଯିବା ପାଇଁ ତଳଗୁରୁଠି ଗ୍ରାମବାସୀଙ୍କୁ ଖାଲଢିପ ଭରା ଅଧା ମାଟି, ଅଧା ମରୁମ ପକାଯାଇଥିବା ରାସ୍ତା ଉପରେ ନିର୍ଭର କରିବାକୁ ପଡେ ।

ସାମାନ୍ୟ ବର୍ଷା ହେଉ କି ଲଗାଣ ବର୍ଷା ହେଉ ଏହି ରାସ୍ତାଟି କାଦୁଅରେ ଭରି ହୋଇଯାଏ । ଫଳରେ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଗାଁ ପିଲାମାନେ ସ୍କୁଲକୁ ଯିବା ହେଉ କି ପେନସନଧାରୀମାନେ ଭତା ନେବା ପାଇଁ ଯିବାକୁ ହେଉ କି ରୋଗୀଙ୍କୁ ମେଡିକଲ ନେବା ପାଇଁ ହେଉ ସମସ୍ତେ କାଦୁଅ ରାସ୍ତାରେ ଯାଇ ହଇରାଣ ହରକତ ହୋଇଥାନ୍ତି । ବିଶେଷ କରି ପକ୍କା ରାସ୍ତାଟିଏ ନ ଥିବାରୁ ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଗାଁ ଲୋକେ ଅନେକ ସମୟରେ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ ପର୍ଯ୍ୟନ୍ତ ଦାବିପତ୍ର ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.