୨୬ ରୁ ୩୧ ଯାଏଁ ଭବ୍ୟ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ମା ଦୁର୍ଗା ମନ୍ଦିର ଆସନ୍ତା ୨୬ ରୁ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ୨୪ ପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ । ମଇ ୨୬ ରୁ ୩୧ ଯାଏଁ ଅନବରତ କାର୍ଯ୍ୟକ୍ରମ ଚାଲିବ । ୨୬/୫ ଶୁକ୍ରବାର ଅଙ୍କୁର ରୋପଣ, କୁଣ୍ଡ ମଣ୍ଡଳ ନିର୍ମାଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୭/୫ ଶନିବାର ସକାଳ ୯.୧୦ ରେ କଳସ ଯାତ୍ରା । ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ନାମଯଜ୍ଞ ପାଇଁ ଏକା ସାଙ୍ଗରେ ଅନୁଷ୍ଠିତ ହେବ କଳସ ଯାତ୍ରା । ଏହା ସହ ଶନିବାର ବାସ୍ତୁପୂଜା ଓ ଅଗ୍ନିପୂଜା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ୨୮/୫ ରବିବାର ସୂର୍ଯ୍ୟପୂଜା, ଗୋପୂଜା ଓ ନଗର ଭ୍ରମଣ. ୨୯/୫ ସୋମବାର ଦିବା ୩.୫୧ ମଧ୍ୟେ ଦେବୀ ପ୍ରାଣ ପ୍ରତିଷ୍ଠା, ଶିଖର ସ୍ନାନ, ଚକ୍ରଦ୍ୱଜ ଓ କଳସ ସ୍ଥାପନ । ୩୦/୫ ମଙ୍ଗଳବାର ସୂର୍ଯ୍ୟପୂଜା, ସିଂହାସନ ପ୍ରତିଷ୍ଠା, ଦେବୀ ଅଚଳ ପ୍ରତିଷ୍ଠା ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ବେଳେ ୨୭/୫ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ । ୨୮/୫ ରବିବାର ସକାଳେ ୨୪ ପ୍ରହର ନାମଯଜ୍ଞ ର ନାମ ଆରମ୍ଭ ହେବ । ୨୮/୨୯ ଓ ୩୦ ତିନିଦିନ ଧରି ଅଖଣ୍ଡ ନାମଯଜ୍ଞ ଚାଲିବ । ୩୧ ସକାଳେ ପୂର୍ଣ୍ଣାହୂତି ଓ ନଗର ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପାଞ୍ଚଦିନ ବ୍ୟାପି ନର୍ଲାରୋଡ ମା ଦୁର୍ଗା ମନ୍ଦିର ପରିସରରେ ଚାଲିବ ଭବ୍ୟ କାର୍ଯ୍ୟକ୍ରମ । ରବିବାର ଏନେଇ ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଦୁର୍ଗା ମଣ୍ଡପ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପୂଜା କର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହନ ପାଇଁ ଶ୍ରୀମତୀ ପ୍ରଜ୍ଞା କେଡିଆ ଓ ବିମଳ କୁମାର କେଡିଆ ଦମ୍ପତିଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିବା ବେଳେ ନାମଯଜ୍ଞର କର୍ତ୍ତା ଭାବରେ ଶ୍ରୀମତୀ ସବିତା ପଧାନ ଓ ସଂକୀର୍ତ୍ତନ ପଧାନଙ୍କୁ ଦାଇତ୍ୱ ଅର୍ପଣ କରାଯାଇଛି । ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ନିମନ୍ତେ ଯାଜପୁର ର ବ୍ରହ୍ମା ପଣ୍ଡିତ ରମେଶ ପତି ଓ ତାଙ୍କ ସହଯୋଗୀ ପୂଜନ କାର୍ଯ୍ୟ ପରିଚାଳନା କରିବେ । ନାମଯଜ୍ଞର ବ୍ରହ୍ମା ପଣ୍ଡିତ ଭାବରେ ତୁଳାପଡାର ତରୁ ପାଢୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିବା କମିଟି ସୂତ୍ରରୁ ଜଣାପଡିଛି । ସଭାପତି ବିମଳ କୁମାର କେଡିଆ, ସାଧାରଣ ସମ୍ପାଦକ ହମେଶ କୁମାର ଜୈନଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ କାର୍ଯ୍ୟକ୍ରମ ପରିଚାଳିତ ହେବ । ପରିଚାଳନା କମିଟିର ଅନ୍ୟ କର୍ମକର୍ତ୍ତା ଭାବରେ ଯୁଗ୍ମ ସମ୍ପାଦକ ଚାରିଜଣଙ୍କ ମଧ୍ୟରେ ଅମର ରାଉତ, ବିନାୟକ ମହନ୍ତ, ରାଜୀନ ସାହୁ ଓ ନାରାୟଣ ମାଝୀ, ସେହିଭଳି କୋଷାଧ୍ୟକ୍ଷ ଭାବରେ ରାଜା ପରିଡା ଓ ବାବୁଲା ରାଉତ ରହିଛନ୍ତି । ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ୮ ଖଣ୍ଡ ଗ୍ରାମର ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟକାରିଣି ସଦସ୍ୟ ଭାବରେ ରଖାଯାଇଛି । ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ନାମଯଜ୍ଞ ପରିଚାଳନା ନିମନ୍ତେ ବିଭାଗ ବଣ୍ଟନ କରାଯାଇ ଦାଇତ୍ଵ ଅର୍ପଣ କରାଯାଇଛି । ମୁଖ୍ୟ ପରିଚାଳନା କମିଟି ଓ ଉପକମିଟିର ସଦସ୍ୟ ମାନେ ପ୍ରତ୍ୟେକ ଗାଁକୁ ଗାଁ ଯାଇ ପରିଚାଳନାରେ ସହଯୋଗ ନିମନ୍ତେ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି । କାର୍ଯ୍ୟକ୍ରମ ବ୍ଲକ ଅଞ୍ଚଳରେ ଓ ବ୍ଲକ ବାହାରେ ୪୦୦୦ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିବା ଜଣାପଡିଛି । ନର୍ଲାରୋଡ଼ ରେ ଆସନ୍ତା୨୬ ଶୁକ୍ରବାର ରୁ ୩୧ ବୁଧବାର ଯାଏଁ ୬ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ମା ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ପରିଚାଳନା କମିଟି ସାଙ୍ଗକୁ ଅଂଚଳବାସୀ ବ୍ୟାପକ ପ୍ରସ୍ତୁତିରେ ଲାଗି ପଡିଥିବା ଦେଖିବାକୁ ମିଳୁଛି ।