ସଇଁତଲା ବ୍ଲକ: ମନରେଗା ଯୋଜନାରେ ମହାଦୁର୍ନୀତି ଅଭିଯୋଗ 

ନିମ୍ନମାନର ସୋକପିଟ ନିର୍ମାଣ କରି ଅର୍ଥ ହରିଲୁଟ !

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସରକାରଙ୍କ ଏକ ଜନପ୍ରିୟ ଯୋଜନା ‘ମନରେଗା’ ସଇଁତଲା ବ୍ଲକରେ ପଥହୁଡା ହୋଇଥିବା ଅଭିଯୋଗ ହେଉଛି । ମନରେଗା ଯୋଜନା ମାଧ୍ୟମରେ ଅନେକ ନୂତନ କାଯ୍ୟ ହାତକୁ ନେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି ସରକାର । ଏଥିସହ ଅନେକ ଗୁଡ଼ିଏ ବ୍ୟକ୍ତିଗତ ପ୍ରକଳ୍ପ ସହିତ ସାମୁହିକ କାଯ୍ୟ ଗୁଡିକ ମଧ୍ୟ କରାଯାଉଅଛି । କିନ୍ତୁ ସରକାରଙ୍କ ଲକ୍ଷ୍ୟ ସଫଳ ହେବା ପରିବର୍ତ୍ତେ ଅର୍ଥ ବାଟମାରଣା ହେବାରେ ଲାଗିଛି । ଅନେକ ସମୟରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତିକୁ ହେଉଥିବା ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ଜାଣିଶୁଣି ନୀରବ ଦ୍ରଷ୍ଟା ସାଜିଥିବା ଚର୍ଚ୍ଚା ହେଉଛି । ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ପଞ୍ଚାୟତ ଲିଆକାନୀ ଗ୍ରାମରେ ସୋକପିଟ ନିର୍ମାଣ କାର୍ଯ୍ୟରେ । ପ୍ରକାଶ ଯେ, ମନରେଗା ଯୋଜନାରେ ଗ୍ରାମାଞ୍ଚଳର ପରିମଳ ବ୍ୟବସ୍ଥାକୁ ସୁଢୁଢ କରିବା ପାଇଁ ଘରେ ଘରେ ଶୋଷକ ଗାତ (ସୋକପିଟ ) ନିର୍ମାଣ କରିବା ପାଇଁ ପଞ୍ଚାୟତ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇ ଲିଆକାନୀ ଗ୍ରାମରେ କାଯ୍ୟ ଆରମ୍ଭ କରାଯାଇଥିବା ବେଳେ ଉକ୍ତ କାଯ୍ୟଟି ସରକାରଙ୍କ ନିୟମ ମୁତାବକ ହେଉ ନ ଥିବା ବେଳେ ମନରେଗା କାର୍ଯ୍ୟରେ ଠିକାଦାର ନିଯୁକ୍ତି କରି ସୋକପିଟ ପିଛା ୧୫୦୦ ଟଙ୍କା ଲେଖାଏଁ ପ୍ରଶାସନ ମୁଲଚାଲ କରିଥିବା ଅଭିଯୋଗ ହେଉଛି । ଯାହାଫଳରେ ଠିକାଦାରମାନେ ଗାତଗୁଡିକ ୪ ଫୁଟ ଖୋଲିବା ନିୟମ ଥିଲେ ମଧ୍ୟ ଅଳ୍ପ ଖୋଲି
ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ହିତାଧିକାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଗ୍ରାମରେ ସର୍ବମୋଟ ୧୨୨ ଜଣଙ୍କ ଘରେ ସୋକପିଟ ନିର୍ମାଣ ପାଇଁ କାଯ୍ୟ କରାଯାଉଥିବାବେଳେ ସୋକପିଟ ପିଛା ୬ ହଜାର ୫ ଶହ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ ପାଇଁ ଧାର୍ଯ୍ୟ କରାଯାଇଛି । କିନ୍ତୁ ଉକ୍ତ ସୋକପିଟ ନିର୍ମାଣ କାଯ୍ୟଟି ସିଧାସଳଖ ହିତାଧିକାରୀଙ୍କୁ ନ ଦେଇ ଠିକାଦାର ନିଯୁକ୍ତି କରାଯାଇ ଅର୍ଥ ହରିଲୁଟ ଉଦ୍ୟମ ହେଉଥିବା ସନ୍ଦେହ ପ୍ରକାଶ ପାଇଛି । ଏ ନେଇ କନିଷ୍ଠ ଯନ୍ତ୍ରୀ ଗୋବିନ୍ଦ ମାଝୀଙ୍କୁ ପଚାରିବାରୁ ଯଦି ନିମ୍ନମାନର କାଯ୍ୟ ହୋଇଥାଏ, ତାହା ହେଲେ ସଠିକ ଭାବରେ କାମ କରିବା ପାଇଁ ତାଗିତ କରାଯିବ ବୋଲି ପ୍ରକାଶ କରିଥିଲେ । ଏଣୁ ଜିଲ୍ଲା ପ୍ରଶାସନ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସିଧାସଳଖ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.