ଗର୍ଜିଲେ ଅମଲା, ଜୁନ ୧ରୁ ଅଛନ୍ତି ସମୂହ ଛୁଟିରେ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଅମଲା ଭବନ ପରିସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡଙ୍କ ନେତୃତ୍ୱରେ ଜିଲ୍ଲାର ଅମଲାମାନେ ନିଜର ହକ ପାଇଁ ଲଢେଇ ଜାରି ରଖିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ଭବାନୀପାଟଣା ସହରର ଅମଲା ଭବନ ଠାରେ ଏକତ୍ରିତ ହୋଇ ପ୍ରତିବାଦ କରୁଛନ୍ତି। ଏଥିରେ ପ୍ରାୟ ୩୫୦ ପାଖାପାଖି ଅମଲା ଏକାଠି ହେଉଛନ୍ତି। ଆଜି ଦ୍ଵିତୀୟ ଦିନରେ ମଧ୍ୟ ଅନୁରୂପ ଭାବେ ସମୂହ ଛୁଟିରେ ରହି କାର୍ଯ୍ୟରେ ଅସହଯୋଗ କରିଛନ୍ତି। ନିଜର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡ ପ୍ରକାଶ କରିଛନ୍ତି। ଏହି ପ୍ରତିବାଦ ଫଳରେ ଜିଲ୍ଲାର ସରକାରୀ କାର୍ଯ୍ୟ ସବୁ ଠପ ହୋଇଯାଇଛି। ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଥାଉକି ପ୍ରଥମ ଥର ୨୦୧୩ମସିହାରେ କନିଷ୍ଠ ସହାୟକମାନଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକରୁ +୨ ହୋଇଥିଲା। ୨୦୧୭ ମସିହାରେ କନିଷ୍ଠ ସହାୟକ ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତା +୨ରୁ ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନକୁ ବୃଦ୍ଧି କରାଯାଇଥିଲା। ମାତ୍ର ଦରମାରେ କୌଣସି ପରିବର୍ତ୍ତନ କିମ୍ବା ବୃଦ୍ଧି ଘଟିନଥିଲା। ତେଣୁ ମୂଳ ଦରମା ଲେଭେଲ-୯ ଗ୍ରେଡ ପେ-୪୨୦୦ କରିବା ପାଇଁ ଦାବି ସଂକ୍ରାନ୍ତୀୟ ଦାବିପତ୍ର ବାରମ୍ବାର ସରକାରଙ୍କୁ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ଗତ ମେ ୨୨ ତାରିଖ ଠାରୁ ୩୧ ସମସ୍ତ ଅମଲା କଳାବ୍ୟାଚ ପରିଧାନ ପୂର୍ବକ ନିଜ ନିଜ ଅଫିସରେ ପ୍ରତିବାଦ କରିଥିଲେ। ଏହି ଦାବି ଉପରେ ସରକାର କିଛି ପଦକ୍ଷେପ ନେଇନଥିବାରୁ ଜୁନ ୨ ତାରିଖରୁ ସମୂହ ଛୁଟିରେ ଅଛନ୍ତି। ଏହି ପ୍ରତିବାଦ ସମୟରେ ବରିଷ୍ଠ ଅମଲା ସୁକାନ୍ତ ମହାପାତ୍ର, ଅଲେଖ ନାଏକ, ରୂପକେଶରୀ ଦଳେଇ, ବ୍ରଜବନ୍ଧୁ ମୁଣ୍ଡ, ରାଜକିଶୋର ସାହୁ, ଟଂକଧର ସାହୁ, ରତ୍ନାକର ଧଙ୍ଗଡାମାଝୀ, ବିଶ୍ଵନାଥ ମୁଣ୍ଡ, ମନୋରଞ୍ଜନ ଛତ୍ରପାଲ, ସୁଶାନ୍ତ ମେହେର, ମନୀଷା ସାହୁ, ଚିନ୍ମୟୀ ଠାକୁର, କୃଷ୍ଣାରାଣୀ ନାଏକ, ଲବ ମେହେର, ଜଗତ ନାରାୟଣ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ୧୩ଟି ବ୍ଲକ ସ୍ତରରେ ମଧ୍ୟରେ ପ୍ରତିବାଦ ଜାରି ରହିଛି।