ବାହାନଗା ଟ୍ରେନ ଟ୍ରାଜେଡି ପଛରେ ରହିଛି କି ଷଡଯନ୍ତ୍ର !

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର : ବାହାନଗା ଟ୍ରେନ ଦୁର୍ଘଟଣା କେବଳ ରାଜ୍ୟ ନୁହେଁ ସାରା ଦେଶ ହୋଇ ଯାଇଛି ସ୍ତବ୍ଧ I ତେବେ ଏତେବଡ଼ ଦୁର୍ଘଟଣା ଘଟିଲା କିପରି ? ଏହା ପଛରେ ରହିଛି କାହାର ହାତ ? ନା ଏହା ବୈଷୟିକ ତ୍ରୁଟି ? ସହସ୍ରାଧିକ ଜୀବନ ଯାଇ ସାରିବା ପରେ ବର୍ତ୍ତମାନ ଚାଲିଛି ଏହାର କାରଣ ଖୋଜା I ଏହାକୁ ସିଗ୍ନାଲ ଜନିତ ତ୍ରୁଟି କୁହା ଯାଉଥିବାବେଳେ ପୁଣି ଇଣ୍ଟରଲକିଂ ସିଷ୍ଟମ ଫେଂଲ୍ୟୁର ଥିବା କୁହାଯାଉଛି I ଏନେଇ ରେଳ ବିଭାଗର ସନ୍ଦେହ ପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ଖୋର୍ଦ୍ଧା ରୋଡ୍‌ ଡିଭିଜନ୍‌ ଡିଆରଏମ୍‌ ରିଙ୍କଶ ରାୟ କହିଥିଲେ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ସନ୍ଦେହ କରାଯାଉଛି । ଗ୍ରୀନ୍‌ ସିଗନାଲ୍‌ ଥିବାରୁ କରମଣ୍ଡଳ ଏକ୍ସପ୍ରେସ ମେନ୍‌ ଲାଇନ୍‌ରେ ଆଗକୁ ବଢ଼ିଥିଲା । ଲୁପ୍‌ ଲାଇନରେ ଥିଲା ନାଲିବତି । ଯେଉଁଠି ଏକ ମାଲବାହୀ ଟ୍ରେନ୍‌ ଠିଆ ହୋଇଥିଲା । କିନ୍ତୁ କରମଣ୍ଡଳ ଲୁପ୍‌ ଲାଇନକୁ ଡାଇଭର୍ଟ ହୋଇଥିଲା । ମେନ୍‌ ଲାଇନରୁ ଲୁପ୍‌ ଲାଇନକୁ ଟ୍ରେନ୍‌ ଡାଇଭର୍ଟ ଅଟୋମେଟିକ୍‌ ସଫ୍ଟେଓ୍ଵୟାର କଣ୍ଟ୍ରୋଲ ଇଣ୍ଟରଲକିଂ ସିଷ୍ଟମ ଦ୍ୱାରା ହୋଇଥାଏ । ଇଣ୍ଟରଲକିଂ ଦ୍ୱାରା ଟ୍ରେନକୁ ଗୋଟିଏ ଟ୍ରାକରୁ ଅନ୍ୟ ଟ୍ରାକକୁ ପରିବର୍ତ୍ତନ କରାଇଥାଏ । ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ସିଗନାଲରେ ଗଡ଼ବଡ୍ ହେବନି । ଟେକ୍ନିକାଲି ଏହା ସମ୍ଭବ ନୁହେଁ । ସେଦିନ କରମଣ୍ଡଳ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଆଗକୁ ବଢୁଥିଲା । ଗ୍ରୀନ୍‌ ସିଗନାଲ୍‌ ଥିବାରୁ ଟ୍ରେନ୍‌ ମେନ୍‌ ଲାଇନରେ ଯିବା କଥା । କିନ୍ତୁ ହଠାତ୍‌ ଇଣ୍ଟରଲକିଂ ସିଷ୍ଟମରେ ପରିବର୍ତ୍ତନ ହୋଇଥିଲା । ମେନ୍‌ ଲାଇନ୍‌ ଛାଡି ନାଲିବତି ଥିବା ଲୁପ୍‌ ଲାଇନକୁ ପଶି ଆସିଥିଲା କରମଣ୍ଡଳ ଏକ୍ସପ୍ରେସ । ସିଗନାଲିଂ ବ୍ୟବସ୍ଥାରେ ଏହା ସମ୍ଭବ ନୁହେଁ । କାରଣ ସିଗନାଲିଂ କ୍ଷେତ୍ରରେ ଏକ ଫୁଲ୍‌-ପ୍ରୁଫ ସିଷ୍ଟମ କାମ କରେ । ସାମାନ୍ୟତମ ଅସୁବିଧା ଥିଲେ ବି ଗ୍ରୀନ୍‌ ସିଗନାଲ୍‌ ମିଳି ନଥାଏ । ତେଣୁ ସିଷ୍ଟମକୁ ଜାଣିଶୁଣି କେହି କ୍ଷତି ପହଞ୍ଚାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । କରମଣ୍ଡଳ ଏକସପ୍ରେସ୍ ଯାଉଥିବା ମେନ୍ ଲାଇନ୍‌ରେ ଗ୍ରୀନ୍ ସିଗ୍ନାଲ ଥିଲା ବୋଲି ଡାଟା ଲକ୍‌ରୁ ସ୍ପଷ୍ଟ ହୋଇଛି । ଏହି କାରଣରୁ ସିଗ୍ନାଲକୁ ଫିଜିକାଲି ଟାମ୍ପରିଂ କରାଯାଇଥିବା ଖୋର୍ଦ୍ଧା ଡିଆରଏମ୍ ସନ୍ଦେହ କରିଛନ୍ତି। ଏହି ଗଡ଼ବଡ଼ରୁ ହିଁ ଏତେ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍‌ ଗୁଣନିଧି ମହାନ୍ତି ଓ ସହକାରୀ ଲୋକୋ ପାଇଲଟ୍‌ ହଜାରୀ ବେହେରାଙ୍କ ବୟାନ ବି ରେକର୍ଡ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.