ବଡ଼କଛାରର ବଡ଼ ଦୁଃଖ: ଗାଁକୁ ନାହିଁ ସବୁଦିନିଆ ରାସ୍ତା, ବର୍ଷାଦିନେ କାଳ ସାଜେ ବେହେରା ନାଳ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଗକୁ ଆସୁଛି ବର୍ଷା ଋତୁ, ହେଲେ ଗାଁକୁ ଯିବାପାଇଁ ଭଲ ରାସ୍ତା ନାହଁ । ବିଗତ ଦିନରେ ଯେମିତି ଯାତାୟତ କରୁଥିଲୁ ଏବର୍ଷ ମଧ୍ୟ ସେହି ସମସ୍ୟା ଭୋଗିବାକୁ ପଡିବ – ଏମିତି କିଛି କହିଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅଧୀନ ବଡକଛାର ଗ୍ରାମବାସୀ । ଏହି ଗାଁକୁ ନାହିଁ ସବୁ ଦିନିଆ ଭଲରାସ୍ତା, ଗାଁକୁ ଯିବା ବାଟରେ ପ୍ରଥମେ ପଡିଥାଏ ବେହେରା ନାଳ । ବର୍ଷା ହେଲେ ନାଳରେ ପାଣି ବଢି ଯିବାରୁ ଗାଁ ଲୋକଙ୍କ ପାଇଁ କାଳ ସାଜେ ଏହି ନାଳ । ସପ୍ତାହ ସପ୍ତାହ ଧରି ଗୃହବନ୍ଦି ହୁଅନ୍ତି ବଡକଛାର ବାସୀ । ଏହି ଗାଁରେ ୨୦ ପରିବାରର ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଲୋକେ ବସବାସ କରି ଆସୁଛନ୍ତି । ସରକାରଙ୍କ ଆବାସ ଯୋଜନାରେ ଘର, ନଳକୂପ, ବିଦ୍ୟୁତ ସେବା ଆଦି ଗାଁରେ ପହଞ୍ଚି ସାରିଛି । ହେଲେ ସବୁଦିନିଆ ରାସ୍ତା ଟିଏ ହୋଇ ପାରିନାହିଁ । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୩କିମି. ଦୂରରେ ଥିବା ଏହି ଗାଁକୁ ଯିବାକୁ ହେଲେ ପ୍ରଥମେ ପଡିଥାଏ ବେହେରା ନାଳ । ନାଳରେ ବ୍ରିଜ୍ ନ ଥିବାରୁ ଦୈନିକ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ଗ୍ରାମବାସୀ । ବର୍ଷା ଦିନେ ଗାଁରେ କାହାରି ଯଦି ସ୍ୱାସ୍ଥ୍ୟ ଖରାପ ହୁଏ ତେବେ ଖଟିଆରେ ବୋହିନେବା ବ୍ୟତିତ ଅନ୍ୟ କୌଣସି ରାସ୍ତା ନାହିଁ ।

ବିପଦପୂର୍ଣ୍ଣ ଭାବେ ବେହେରା ନାଳ ପାରହେଲେ ମିଲିଥାଏ ଆମ୍ବୁଲାନ୍ସ ସେବା ବୋଲି ଗାଁ ଲୋକେ କହିଛନ୍ତି। ରାସ୍ତା ଓ ବ୍ରିଜ ନିର୍ମାଣ ପାଇ ବିଭିନ୍ନ ସମୟରେ ନେତା, ମନ୍ତ୍ରୀ ଓ ପ୍ରଶାସନ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ନାଳରେ ବ୍ରିଜ୍ ନ ଥିବାରୁ ବର୍ଷାଦିନେ ନାଳର ପାଣି ବଢିଯାଏ । ଏଥି ପାଇଁ କୋମଳମତି ଶିଶୁ ଅଙ୍ଗନୱାଡି କେନ୍ଦ୍ର ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ବନ୍ଦ କରି ଦେଇଥାନ୍ତି । ଏମିତିକି ପଞ୍ଚାୟତରୁ ରାସନ ସାମଗ୍ରୀ ଆଣିବା ସମୟରେ ଲୋକେ ହଟହଟା ହେଉଥିବା ମଧ୍ୟ ଦେଖିବାକୁ ମିଳେ । ବର୍ଷା ପାଣି ଯୋଗୁଁ ଦିନଦିନ ଧରି ରାସନ ସାମଗ୍ରୀ ଆଣିବା ପାଇଁ ଅପେକ୍ଷା କରିବାକୁ ପଡିଥାଏ ବୋଲି ଗାଁ ଲୋକେ କୁହନ୍ତି । ହେଲେ ଅନେକ ସମୟରେ ଏହି ରାସ୍ତା ସମସ୍ୟାକୁ ନେଇ  ବହୁ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ହୋଇ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏନେଇ କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ମତାମତ ନେବାରୁ ରିଜର୍ଭ ଏରିଆ ରହିଛି, ତେଣୁ ଆମେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଏ ବିଷୟରେ ଆଲୋଚନା କରି ଆନୁମତି ପରେ କିଭଳି ରସ୍ତା ଓ ବ୍ରିଜ ହୋଇ ପାରିବ ସେନେଇ ଚେଷ୍ଟା କରିବୁ ବୋଲି କହିଛନ୍ତି । ଏପଟେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗଙ୍କ ପ୍ରତିକ୍ରିୟା ନେବାରୁ ସମସ୍ୟା ଉପରେ ଅବଗତ ଅଛି, ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ଦେଇସାରିଛି, ଶିଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.