ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୈତବାଦର ପ୍ରବଳ ସମର୍ଥକ ଥିଲେ ସ୍ବାମୀ ରାମତୀର୍ଥ । ସେ ବିଶ୍ବର ଜଣେ ଜଣାଶୁଣା ଗଣିତଜ୍ଞ, ଆଧ୍ୟାତ୍ମବିଦ୍, ଦାର୍ଶନିକ, ସନ୍ନ୍ୟାସୀ ଓ ଯୋଗୀ । ୧୮୯୧ରେ ପଞ୍ଜାବ ବିଶ୍ବବିଦ୍ୟାଳୟର ବି.ଏ. ପରୀକ୍ଷାରେ ସମଗ୍ର ରାଜ୍ୟରେ ସେ ପ୍ରଥମ ହୋଇଥିଲେ । ନିଜର ଅତ୍ୟନ୍ତ ପ୍ରିୟ ବିଷୟ ଗଣିତରେ ସର୍ବୋଚ୍ଚ ଅଙ୍କ ପାଇ ଏମ.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଆଉ ସେ ସେହି କଲେଜରେ ଗଣିତ ପ୍ରଫେସର ରୂପରେ ନିଯୁକ୍ତ ହୋଇଗଲେ, କିନ୍ତୁ ନିୟତି ତାଙ୍କ ପାଇଁ ଆଉ କିଛି ନିର୍ଦ୍ଧାରିତ କରି ରଖିଥିଲା । ତାଙ୍କ ଭିତରେ ବୈରାଗ୍ୟର ଭାବ ପ୍ରବଳ ହେବାକୁ ଲାଗିଲା । ୧୯୦୧ ମସିହାରେ ସେ ତପସ୍ୟା କରିବା ନିମନ୍ତେ ହିମାଳୟ ଦିଗରେ ପ୍ରସ୍ଥାନ କଲେ । ବ୍ରହ୍ମ ଚିନ୍ତନରେ, ଧ୍ୟାନରେ ବୁଡ଼ି ରହିଥିବା ପ୍ର. ତୀର୍ଥରାମଙ୍କୁ ଶେଷରେ ଦିନେ ମଧ୍ୟରାତ୍ରିରେ ଆତ୍ମସାକ୍ଷାତ୍କାର ହେଲା । ତାଙ୍କ ମନର ସମସ୍ତ ଭ୍ରମ ଓ ସଂଶୟ ଦୂର ହୋଇଗଲା । ସେ ନିଜକୁ ଈଶ୍ବରୀୟ କାର୍ଯ୍ୟ ପାଇଁ ସମର୍ପଣ କରିଦେଲେ ଏବଂ ସେ ପ୍ରଫେସର ତୀର୍ଥରାମରୁ ସ୍ଵାମୀ ରାମତୀର୍ଥ ହୋଇଗଲେ । ସେ ବେଦାନ୍ତ ଦର୍ଶନ ଓ ଭାରତୀୟ ସଂସ୍କୃତିର ଉଦଘୋଷ ନିଜର ପ୍ରବଚନଗୁଡ଼ିକରେ କରିବାକୁ ଲାଗିଲେ । ସେ ଆମେରିକା ଓ ଜାପାନରେ ଲୋକମାନଙ୍କୁ ଅମୃତ ସନ୍ଦେଶ ଦେଇ କହିଲେ– ‘‘ଆପଣମାନେ ଦେଶ ଓ ଜ୍ଞାନ ପାଇଁ ସହର୍ଷ ପ୍ରାଣର ଉତ୍ସର୍ଗ କରିଦିଅନ୍ତି । ଏହା ବେଦାନ୍ତର ଅନୁକୂଳ ଅଟେ । ଆପଣମାନଙ୍କ ପାଇଁ ରାମଙ୍କର ଗୋଟିଏ ସନ୍ଦେଶ ହେଉଛି – ନିଜେ ନିଜକୁ ଜାଣ, ତୁମେ ସ୍ବୟଂ ଈଶ୍ଵର । ଶାଶ୍ଵତ ଶାନ୍ତିର ଏକମାତ୍ର ଉପାୟ ହେଉଛି- ଆତ୍ମଜ୍ଞାନ ।’’ ସନ ୧୯୦୪ରେ ସ୍ବଦେଶ ଫେରିବା ପରେ ଲୋକମାନେ ରାମତୀର୍ଥଙ୍କୁ କହିଲେ – ଆପଣ ନିଜର ଏକ ସଂଗଠନ ଅଥବା ସମାଜ ଗଠନ କରନ୍ତୁ । ଏହା ଉପରେ ସ୍ଵାମୀ ରାମତୀର୍ଥ ବାହୁ ମେଲାଇ କହିଲେ ଭାରତରେ ଯେତିକି ସମାଜ ଅଛି, ସଂଗଠନ ଅଛି, ଆଶ୍ରମ ଅଛି ସେସବୁ ତ ରାମଙ୍କର । ତାଙ୍କ ଦୃଷ୍ଟିରେ ସାରା ସଂସାର କେବଳ ଗୋଟିଏ ଆତ୍ମାର ଖେଳ ଅଟେ । ଯେଉଁ ଶକ୍ତି ଦ୍ଵାରା ଆମେ କହୁ, ସେହି ଶକ୍ତି ଦ୍ବାରା ଉଦରରେ ଅନ୍ନ ହଜମ ହୋଇଥାଏ । ସେଥିରେ କୌଣସି ପ୍ରଭେଦ ନାହିଁ । ସେ କହୁଥିଲେ ଯେ ମନୁଷ୍ୟମାନଙ୍କର ଭିନ୍ନ ଭିନ୍ନ ଶ୍ରେଣୀ ରହିଛି । କେତେକ ମନୁଷ୍ୟ ନିଜର ପରିବାର ଦ୍ଵାରା, କେତେକ ଜାତି ଦ୍ବାରା, କେତେକ ସମାଜ ଦ୍ବାରା ତ କେତେକ ସଂପ୍ରଦାୟ ଦ୍ବାରା ଘେରି ହୋଇଛନ୍ତି, ବାନ୍ଧି ହୋଇଛନ୍ତି । କେତେକ ମନୁଷ୍ୟ କେବଳ ନିଜ ବିଷୟରେ ଚିନ୍ତା କରନ୍ତି, ନିଜର ଭଲ ଚାହାନ୍ତି, କେତେକ ନିଜ ପରିବାର ବିଷୟରେ ବିଚାର କରନ୍ତି, କେହି କେବଳ ନିଜ ସମାଜ ଓ ସଂପ୍ରଦାୟ ସମ୍ବନ୍ଧରେ ଚିନ୍ତା କରନ୍ତି, କିନ୍ତୁ ସଚ୍ଚା ମନୁଷ୍ୟ ସିଏ, ଯିଏ ସମଷ୍ଟିଗତ ହିତ ପାଇଁ ଚିନ୍ତା କରେ, ଯିଏ ସମସ୍ତ ସୃଷ୍ଟିକୁ ଭଗବାନଙ୍କ ପ୍ରତିରୂପ ମାନି ସମସ୍ତଙ୍କୁ ନିଜର ହିଁ ମାନିଥାଏ ଏବଂ ସମସ୍ତଙ୍କ ସୁଖ, ସୌଭାଗ୍ୟ ଓ କଲ୍ୟାଣର ଭାବନା ରଖିଥାଏ । ସଂକୀର୍ଣ୍ଣତା କାରଣରୁ ବ୍ୟକ୍ତିକୁ ନିଜ ପରିସର ଭିତରର ଲୋକ, ସମାଜ, ସଂପ୍ରଦାୟ ଅନୁକୂଳ ଲାଗିଥାଏ ଏବଂ ପରିସର ବାହାରର ଲୋକ, ସମାଜ ଓ ସଂପ୍ରଦାୟ ପ୍ରତିକୂଳ ଲାଗିଥାଏ । ଏହି ସଂକୀର୍ଣ୍ଣତା ଅନର୍ଥଗୁଡ଼ିକର ମୂଳ । ପ୍ରକୃତିରେ କୌଣସି ବସ୍ତୁ ସ୍ଥିର ନୁହେଁ । ଏଣୁ ନିଜର ସହାନୁଭୂତିର ପରିଧିକୁ ବ୍ୟାପକ କରିବା ଉଚିତ । ଏହା ଦ୍ଵାରା ଆତ୍ମବିସ୍ତାର ସମ୍ଭବ । ସଚ୍ଚା ମନୁଷ୍ୟ ଦେଶମୟ ହେବା ସଙ୍ଗେ ସଙ୍ଗେ ବିଶ୍ବମୟ ମଧ୍ୟ ହୋଇଯାଏ । ଏଥିରେ କ୍ଷତି କିଛି ନାହିଁ, ବରଂ ଲାଭ ହିଁ ଲାଭ ଅଛି । ଏହା ପ୍ରକୃତିର ମଧ୍ୟ ଅନୁକୂଳ । ଏହା ବେଦାନ୍ତର ମଧ୍ୟ ଅନୁକୂଳ । ଆନନ୍ଦର ଅନ୍ଵେଷଣରେ ଆମେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭ୍ରମିଥାଉ । କେବେ କୌଣସି ବସ୍ତୁରେ ସୁଖ ଖୋଜିଥାଉ ତ କେବେ କୌଣସି ବ୍ୟକ୍ତି ମଧ୍ୟରେ, କିନ୍ତୁ ଆନନ୍ଦର ସ୍ରୋତ ତ ଆମର ଆତ୍ମାରେ ରହିଛି । ଏଣୁ ଆନନ୍ଦ ପାଇବା ପାଇଁ ଆମକୁ ନିଜ ଆତ୍ମାର ହିଁ ଉପାସନା କରିବା ଉଚିତ ।