ଯାତ୍ରୀବାହୀ ଅଟୋରେ ଚାଲିଛି ନଳକୂପ ମରାମତି; ବ୍ୟାପକ ଦୁର୍ନୀତି ଅଭିଯୋଗ 

ଓଡିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ଖଲ୍ଲିକୋଟ ବ୍ଲକକୁ ଏହି ବାବଦରେ ବ୍ୟାପକ ଅର୍ଥ ଠିକ ଢଙ୍ଗରେ ବିନିଯୋଗ ନ ହେବା ଫଳରେ ବ୍ଲକର ବହୁ ରାଜସ୍ୱ ଗ୍ରାମର ଅଧିବାସୀ ମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଥିବା ଦେଖିବାକୁ ମିଳିଛି l ଖଲ୍ଲିକୋଟ ବ୍ଲକରେ ୮୫ ଗୋଟି ପାନୀୟ ଜଳ ପ୍ରକଳ୍ପ ଥିବା ବେଳେ ୧୭ ଗୋଟି ସୋଲାର ଚଳିତ ପାନୀୟ ଜଳ ପ୍ରକଳ୍ପ ରହିଛି ଓ ୧୨୦୦ ରୁ ଉର୍ଧ ନଳକୂପ ରହିଛି l ତେବେ ବର୍ତମାନ ବହୁ ପାନୀୟ ଜଳ ପ୍ରକଳ୍ପ ମଟର, ବିଦ୍ୟୁତ ସଂଯୋଗ ଓ ବିଜୁଳି ବିଲ ପୈଠ ଅଭାବ ରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଥିବା ବେଳେ ଠିକାଦାର ମାନଙ୍କ ତ୍ରୁଟି ଯୋଗୁ କେତକ ପ୍ରକଳ୍ପ ଅଚଳ ହୋଇ ବର୍ଷ ବର୍ଷ ଧରି ପଡି ରହିଛି l ଏଣେ ନଳକୂପ ମରାମତି ପାଇଁ ସବୁ ବ୍ଲକରେ ବଡ ଗାଡି ରେ ଭ୍ରାମ୍ୟମାଣ ଗାଡି ସେବା ଦିଆଯାଉଥିବା ବେଳେ ୧୨୦୦ ରୁ ଉର୍ଧ ନଳକୂପ ମରାମତି ପାଇଁ ଗୋଟିଏ ଯାତ୍ରୀବାହୀ ଅଟୋ ଓ ଗୋଟିଏ ଡାଲା ଅଟୋକୁ ଭ୍ରାମ୍ୟମାଣ ସେବା ପ୍ରଦାନ କରାଯାଉଛି l ଉକ୍ତ ଦୁଇଗୋଟି ଅଟୋକୁ ମାସିକ ୪୮ ହଜାର ଟଙ୍କା ଓ ଆବଶ୍ୟକ ଡିଜେଲ ଓ ତିନିଗୋଟି ମଜୁରିଆ ନିଯୁକ୍ତ ଥିବା କାଗଜପତ୍ରରେ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଥିବା ସାଧାରଣ ଉପଭକ୍ତା ମାନେ ଅଭିଯୋଗ କରି ଭ୍ରାମ୍ୟମାଣ ନଳକୂପ ମରାମତି ପାଇଁ ଏକ ପିକପ ଭେନରେ ଜିପିଏରେସ ଲଗାଯାଇ ସେବା ଦେବା ପାଇଁ ଦାବି ହେଉଛି l ଏଣେ ଗତବର୍ଷ ନଳକୂପ ମରାମତି ପାଇଁ ୩୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ କିଣାଯାଇ ଏହାର ବିନିଯୋଗ ପତ୍ର ଦିଆଯାଇ ନଥିବା ବେଳେ ପୁଣି ଚଳିତ ବର୍ଷ ପ୍ରଚେଜ କମିଟିର ବିନା ପରାମର୍ଶରେ ଦୁଇ ଲକ୍ଷ ଟଙ୍କାର ଯନ୍ତ୍ରାଂଶ କିଣାଯାଇଥିବା ଅଭିଯୋଗ ହୋଇଛି l ଏଣେ ଖଲ୍ଲିକୋଟ ବ୍ଲକର ଡି ଗୁହାରିଆପାଟ, କରାଖୋଲ, ଗୁଡୀଢ଼େପ, ମର୍ରାଜପୁର, ଭରସା ନୂଆପଲି, ଗୋଲ|ମଥୁରା, ବାଁଘୁଆରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ଗୁଡିକ ଦୀର୍ଘଦିନ ହେଲା ଅଚଳ ହୋଇ ପଡିବା ଫଳରେ ଲୋକମାନେ ପ୍ରବଳ ଗ୍ରୀଷ୍ମରେ ପିଇବା ପାଣି ପାଇଁ ପରିତ୍ୟକ୍ତ କୂଅ ପୋଖରୀ ଉପରେ ନିର୍ଭର କରି ଚାଲନ୍ତି l ଏଣେ ଗାଁ କଲ୍ୟାଣ ସମିତି ଥିବା ବେଳେ ଅଧିକାଂଶ ନଳକୂପ ଚାରିପଟେ ଆବର୍ଜନା ଓ ବୁଦା ମାଡ଼ିବସିଥିଲେ ମଧ୍ୟ ସଫା ହୋଇପାରୁନି l ଇତି ମଧ୍ୟରେ କେତକ ବାହାର ଜିଲ୍ଲାର ଠିକାଦାରକୁ ଆଣି ନଳକୂପ ନିକଟରେ ଶୋକ ପିଟି ଖୋଳାଯାଉଛି l ପ୍ରତି ଶୋକ ପିଟି ପିଛା ୧୧ ହଜାର ଟଙ୍କା ଖର୍ଚ ହେବା ପାଇଁ ବ୍ୟବସ୍ତା ଥିବା ବେଳେ ଏହି ଶୋକ ପିଟି ନିର୍ମାଣରେ ବ୍ୟାପକ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରୁଥିବା କେତକ ପଂଚାୟତର ସରପଂଚ ଏ ନେଇ ସମ୍ପୂର୍ଣ ଅଜ୍ଞ ଥିବା ପ୍ରକାଶ l ସେହିପରି ନଳକୂପର ମରାମତି ଠିକ ସମୟରେ ନ ହେବା ସାଙ୍ଗକୁ ନିମ୍ନ ମାନର ଯନ୍ତ୍ରାଂଶ ଲଗାଇବା ଯୋଗୁ ନଳକୂପ ଗୁଡିକ ଅଳ୍ପଦିନରେ ଖରାପ ହୋଇପଡୁଛି l ଏ ସବୁ ଅନିୟମିତତା ନେଇ ଖଲ୍ଲିକୋଟ ଗୋଷ୍ଠି ଉନ୍ନୟନ ଅଧିକାରୀ ବିକ୍ରମ ଦୋରାଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.