ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ସ୍ବାଗତ ଭାଷଣ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା ପୂର୍ବକ କେନ୍ଦ୍ରୀୟ ଅନୁଦାନରେ କାର୍ଯ୍ୟକାରୀ ଯୋଜନା ଗୁଡିକର ସଫଳ ରୂପାୟନ କରିବାକୁ ସାଂସଦ ଶ୍ରୀମତୀ ସିଂଦେଓ ଗୁରୁତ୍ବାରୋପ କରିଥିଲେ। ସାଂସଦ ପାଣ୍ଠି ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ତଥା ହାତକୁ ନେବାକୁ ଥିବା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତାକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ସାଂସଦ କହିବା ସହ ଗ୍ରାମ୍ୟଞ୍ଚଳର ଚାଷୀଙ୍କୁ ବମ୍ବୁ ଫେନସିଂ ଉପରେ ପ୍ରୋତ୍ସାହିତ କରିବାକୁ ବିଭାଗୀୟ ଅଧୁକାରୀଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଗୁଣାତ୍ମକ ମାନ, ମନରେଗା ଯୋଜନା, ଜଙ୍ଗଲ ବିଭାଗ, ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କ୍ଷୁଦ୍ର ଜଳସେଚନ, ମେଗା ଲିପ୍ଟ, ଜାତୀୟ ମଙ୍ଗଳ ଯୋଜନା, ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟକାରିତାର ସମୀକ୍ଷା କରି ଜିଲ୍ଲାର ତରଭା ବ୍ଲକ୍ କର୍ଲାମୁହାନ ସ୍କୁଲ କୋଠା ସହ ବିଭିନ୍ନ ବିପଦପୂର୍ଣ୍ଣ ତଥା ପରିତ୍ୟକ୍ତ ଅବସ୍ଥାରେ ଥିବା ସ୍କୁଲ କୋଠା ଗୁଡିକୁ ଚିହ୍ନଟ ପୂର୍ବକ ତୁରନ୍ତ ମରାମତି ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସାମାଜିକ ସହାୟତା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ଯୋଗ୍ୟତା ଭିତ୍ତିରେ ସୁବ୍ୟବସ୍ଥିତ ଓ ସଫଳ ବିନିଯୋଗ କରିବା ଉପରେ ସାଂସଦ ଶ୍ରୀମତୀ ସିଂଦେଓ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ। ସେହିପରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାରେ ପୋଷଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦-୨୧ ବର୍ଷରେ ଅନୁମୋଦିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର କାର୍ଯ୍ୟକାରିତାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ସାଂସଦ ପାଣ୍ଠିର ବିନିଯୋଗ ପତ୍ର ପ୍ରଦାନକୁ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ନଦୀ ଘେରରେ ଥିବା ସୁବର୍ଣ୍ଣପୁର ଜିଲ୍ଲାରେ ଜଳସେଚନ ବିଭାଗ, ଜାତୀୟ ଉଦ୍ୟାନ ମିଶନ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା, ସ୍ଵଚ୍ଛ ଭାରତ ମିଶନ ତଥା ଅନ୍ୟାନ୍ୟ ଯୋଜନା ଉପରେ ସାଂସଦ ସମୀକ୍ଷା କରିଥିଲେ। ବୈଠକରେ ମୁଖ୍ୟ ଉନ୍ନୟନ ତଥା ଇଓ ଜିଲ୍ଲା ପରିଷଦ ନିହାର ରଞ୍ଜନ କହଁର, ଡିଏଫଓ ମଦନଲାଲ ଶର୍ମା, ଯୁଗ୍ମ ନିର୍ଦ୍ଦେଶକ ଯୋଜନା ଓ ସମନ୍ୱୟ ଚତୁର୍ଭୂଜ ସାହୁ, ଆରଡି ଇଇ ବି.ନାରାୟଣ ରେଡ୍ଡୀ, ଏଜିଏଚ ଦୃଷୀକେଶ ଦାସ, ଡିଇଓ ଲକ୍ଷ୍ମଣ କୁମାର ଭୋଇ, ଡିଏଲଓ ଡିଲେଶ୍ଵର ଖାଖା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଟିପିଓଡବ୍ଲୁଡିଏଲ ନିର୍ବାହୀ ଅଧିକାରୀ ଅଶୋକ ମିଶ୍ର, ଆରଡବ୍ଲ୍ୟୁଏସଏସ ନିର୍ବାହୀ ଯନ୍ତ୍ରୀ, ତେଲ ଜଳସେଚନ ବିଭାଗ ଯନ୍ତ୍ରୀ, ପିଡି ଜଳଛାୟା ପ୍ରକଳ୍ପ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, କର୍ମ ନିୟୋଜନ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ବରପାଲି କେନାଲ ଡିଭିଜନ, ବିଏସଏନଏଲ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ଦିଶା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ।