କଳାହାଣ୍ଡି ଯୁବ ଲେଖକ ସମାବେଶର ନିଆରା କାର୍ଯ୍ୟକ୍ରମ; ପାଠକଙ୍କ ଅଦାଲତରେ କଥାକାର ବିଜୟ ପ୍ରଧାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ) : ଲେଖକର ସୃଷ୍ଟି ସେତେବେଳେ ସାର୍ଥକ ହୋଇଥାଏ, ଯେତେବେଳେ ଜଣେ ପାଠକ ତାହାକୁ ପଠନ ସହ ସମୀକ୍ଷା କରିଥାଏ। ତେବେ ଅନେକ ସମୟରେ ଲେଖକ ମାନଙ୍କୁ ଭେଟି ପରିନଥାନ୍ତି ପାଠକ। ସେହିପରି ଲେଖକ ମଧ୍ୟ ପାଠକ ମାନଙ୍କୁ ସହଜେ ମୁଲାକାତ କରିପାରେନି। ତେଣୁ ନିଜର ପ୍ରିୟ ଲେଖକ ସହ ପାଠକର ଭେଟଘାଟକୁ ନେଇ ଏକ ନିଆରା କାର୍ଯ୍ୟକ୍ରମ ‘ପାଠକଙ୍କ ଅଦାଲତରେ କଥାକାର ବିଜୟ ପ୍ରଧାନ’ ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ କଳାହାଣ୍ଡି ଯୁବ ଲେଖକ ସମାବେଶ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଫଳ କଥାକାର ଓ ଔପନ୍ୟାସିକ ବିଜୟ ପ୍ରଧାନଙ୍କୁ ପାଠକ ମାନଙ୍କ ଅଦାଲତରେ ହାଜର ହେବାକୁ ପଡିଥିଲା। ଯେଉଁଠାରେ ପାଠକ ମାନେ ଶ୍ରୀ ପ୍ରଧାନଙ୍କୁ ସାହିତ୍ୟ ସୃଷ୍ଟି ଓ ବ୍ୟକ୍ତିଗତ ଜୀବନ ଆଧାରିତ ପ୍ରଶ୍ନ ପଚାରିଥିଲେ। କଥାକାର ମଧ୍ୟ ଅନୁରୂପ ଭାବେ ଉତ୍ତର ପ୍ରଦାନ କରିଥିଲେ। ପ୍ରାରମ୍ଭରେ କଣ୍ଠଶିଳ୍ପୀ ଲିପ୍ସା ମହାରଣା ଏକ କଳାହାଂଡିଆ ସଙ୍ଗୀତ ପରିବେଷଣ ପରେ ଯୁବ ନାଟ୍ୟ ନିର୍ଦ୍ଦେଶକ ସୌରଭ ମହାପାତ୍ର ଶ୍ରୀ ପ୍ରଧାନଙ୍କ ଏକ ଚମତ୍କାର ଗପ ‘ଷ୍ଟ୍ରାଇକ’ର ନାଟକୀୟ ପଠନ କରିଥିଲେ। ପରେ ନାଟ୍ୟକାର ପରମେଶ୍ୱର ମୁଣ୍ଡ ଓ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରା ଶ୍ରୀ ପ୍ରଧାନଙ୍କ ସୃଷ୍ଟି ଉପରେ ସମ୍ୟକ ଆଲୋଚନା କରିଥିଲେ। କବି ସୁମତି ମୁଣ୍ଡ ମଂଚ ପରିଚାଳନା କରିଥିବା ବେଳେ ଯୁବ କବି ନଳିନୀକାନ୍ତ ଦାଶ ଧନ୍ୟବାଦ ଦେଇଥିଲେ। ଏଥିରେ କବି ଭବାନୀଶଙ୍କର ନିଆଲ, ସତ୍ୟ ନାରାୟଣ ସିଂ, ଦେବେନ୍ଦ୍ର ବିଶି, ସ୍ୱାଧୀନ ପାତ୍ର, ସ୍ୱର୍ଣ୍ଣକାନ୍ତି ବୈକାର, ଲଳିତ କାନୁନଗୋ, ପ୍ରଫୁଲ୍ଲ ପଟ୍ଟନାୟକ, ମିନତୀ ପ୍ରଧାନ, ପ୍ରଦୀପ ସିଂ, ସୁଧୀର ମିଶ୍ର, ସୁନନ୍ଦା ମହାପାତ୍ର, ସମାବେଶର ଉପଦେଷ୍ଟା ବିଶ୍ୱରଂଜନ ପଣ୍ଡା, ଜୟଦ୍ରଥ ସୁନା, ସୁଧୀର ଧଙ୍ଗଡାମାଝୀ, ସୁଶୀଲ ବାଗ, ଯତୀନ ପ୍ରଧାନ, ଯୁଗ୍ମ ସମ୍ପାଦକ କର୍ଣ୍ଣ ଗହୀର, ସଂଜୀବ ପଣ୍ଡା, ପୂଣ୍ୟଦୀପା ଖମାରୀ, ହିମାଞ୍ଚଳ ସାହୁ, ପୂର୍ଣ୍ଣକିଶୋର ଦାଶ, ଆଲୋକ ସାହୁ, ଅମୀୟ ସାହୁ, ପିଣ୍ଟୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଯୁବ ଲେଖକ ସମାବେଶର ସଭାପତି ଯାଦବେନ୍ଦ୍ର ସାହା ଓ ସାଧାରଣ ସମ୍ପାଦକ ଡିଲେଶ୍ୱର ରଣା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.