ଶୀତଳଭଣ୍ଡାରରେ ନର୍ଲା ଲୋକୋମୋଟିଭ୍ କାରଖାନା!

ଜନତାଙ୍କ ମତ – ଯେଉଁ ଦଳ ନର୍ଲାରେ କାରଖାନା କରିବ ତାକୁ ଆମେ ଭୋଟ୍ ଦେବୁ              

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ରେଳ ୱାଗନ କାରଖାନା ହେବ । ମମତା ବାନାର୍ଜୀ ରେଳ ମନ୍ତ୍ରୀ ରହିଥିବା ବେଳେ ଏହା ଘୋଷଣା କରିଥିଲେ । ନର୍ଲା ଅଞ୍ଚଳ କାହିଁକି ସାରା ଜିଲ୍ଲାର ବିକାଶ ହେବ । କଳାହାଣ୍ଡିବାସୀ ଚାତକ ପରି ଚାହିଁ ରହିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ନର୍ଲାର ଚପଟଖଣ୍ଡାରେ ଉକ୍ତ କାରଖାନା ହେଉ ବୋଲି ଦାବୀ କରିଥିଲେ । ପୁଣି କାରଖାନା ପ୍ରସଙ୍ଗଟି ବ୍ରହ୍ମପୁରର ସୀାତାପାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀକୁ ଚାଲିଗଲା । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଲା ଟଣା ଓଟରା ଓ କାଦୁଅ ଫିଙ୍ଗାଫିଙ୍ଗି । କେନ୍ଦ୍ର ୟୁପିଏ ସରକାରଙ୍କ ସମୟରେ ନାମକୁ ମାତ୍ର ଏହି ରେଳଡବା ମରାମତି କାରଖାନା କଳାହାଣ୍ଡି ନାମରେ ପ୍ରସ୍ତାବିତ ହୋଇଥିଲା ହେଲେ ଏହାପରେ ଆଉ କୌଣସି ପ୍ରକାରର ଆଗ୍ରହ ଦେଖାଇଲେ ନାହିଁ କେନ୍ଦ୍ର କିମ୍ବା ରାଜ୍ୟ ସରକାର । ଏହାପରେ କେନ୍ଦ୍ରରେ ଆସିଲେ ବିଜେପି ଶାସିତ ନରେନ୍ଦ୍ର ମୋଦୀ ସରକାର । ତତ୍କାଳୀନ ରେଳମନ୍ତ୍ରୀ ସୁରେଶ ପ୍ରଭୁ କଳାହାଣ୍ଡି ପାଇଁ ଘୋଷଣା କଲେ ଲୋକୋମୋଟିଭ୍ କାରଖାନା । ଅଞ୍ଚଳବାସୀଙ୍କ ମନରେ ପୁଣି ଉଦ୍ଜୀବିତ ହେଲା ନର୍ଲା ବିକାଶର ଛବି । ଗତ ନଭେମ୍ବର ୨୦୧୭ ରେ ପୂର୍ବତଟ ରେଳବାଇର ତତ୍କାଳୀନ ମହା ପ୍ରବନ୍ଧକ ଉମେଶ ସିଂ ଏବଂ ରେଳବାଇ ବୋର୍ଡର କିଛି ସଦସ୍ୟ ନର୍ଲା ଠାରେ ପ୍ରସ୍ତାବିତ ଇଲେକଟ୍ରିକ୍ ଲୋକୋମୋଟିଭ୍ ପାୱାରହଲ ପାଇଁ ସ୍ଥାନ ନିରୁପଣ କରିଯାଇଥିଲେ । ଯାହାକି ନର୍ଲା ତହସିଲ ପକ୍ଷରୁ ଭଟାଙ୍ଗରେ ୮ ଏକର ଓ ଚପଟଖଣ୍ଡା ଠାରେ ୧୧ ଏକର ଭୁମି ପ୍ରଦାନ ନିମନ୍ତେ ଜାଗା ଦେଖାଇଥିଲେ । କିନ୍ତୁ ରେଳବାଇ ବୋର୍ଡ ଏହି ପ୍ରସ୍ତାବକୁ ଗ୍ରହଣ ନକରି ଗୋଟିଏ ପ୍ୟାଚ୍ ରେ ୧୯୪ ଏକର ଜମି ପାଇଁ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ସରକାରଙ୍କ ଦ୍ବାରା ଜମି ଅଧିଗ୍ରହଣ କାର୍ଯ୍ୟ ୯୫% ପ୍ରତିଶତ ସରିଯାଇଛି । ଏହାପରେ ମଧ୍ୟ କାହିଁକି କାରଖାନା ନିର୍ମାଣ ହୋଇ ପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ନର୍ଲା ଚପଟଖଣ୍ଡା ଠାରେ ପ୍ରସ୍ତାବିତ ବିଦ୍ୟୁତ ରେଳ ଇଞ୍ଜିନ ମରାମତି (ଲୋକୋମୋଟିଭ୍) କାରଖାନା ମଧ୍ୟ ରାଜନୀତି କରଣରେ ଶୀତଳ ଭଣ୍ଡାରକୁ ଚାଲିଯାଉଥିବା ଭଳି ପ୍ରତୀୟମାନ ହେଉଛି । ଆଗକୁ ଆସୁଛି ସାଧାରଣ ନିର୍ବାଚନ । ନର୍ଲାରେ ପ୍ରସ୍ତାବିତ ଲୋକୋମୋଟିଭ କାରଖାନାକୁ ନେଇ ବିଜେପି ଓ ବିଜେଡି କାଦୁଅ ଫିଙ୍ଗାଫିଙ୍ଗି ହୋଇ ରାଜନୀତି କରୁଥିବା ବେଳେ କଂଗ୍ରେସ୍ ଉଭୟ ଦଳ ଉପରେ ଦୋଷ ଲଦି ନିଜେ ସ୍ୱଚ୍ଛ ବୋଲି ଘୋଷଣା କରୁଛି । ହେଲେ ନର୍ଲା ଅଞ୍ଚଳବାସୀ କିନ୍ତୁ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏବେଠୁଁ ଘୋଷଣା କଲେଣି ନର୍ଲାର ସ୍ୱାର୍ଥପାଇଁ, ନର୍ଲାର ବିକାଶ ପାଇଁ ଯେଉଁ ଦଳ ନର୍ଲାରେ ଲୋକୋମୋଟିଭ୍ କାରଖାନା ନିର୍ମାଣ ଦିଗରେ ପ୍ରୟାସ କରିବ ସେହି ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀକୁ ଆମେ ଭୋଟ୍ ଦେଇ ଜୟଯୁକ୍ତ କରାଇବୁ ବୋଲି । ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ମାନେ ଦୁର୍ଗାପୂଜା, ନାମଯଜ୍ଞ, ଗଣେଶ ପୂଜା, ପିଲାଙ୍କ କି୍ରକେଟ ଖେଳ ପାଇଁ ଚାନ୍ଦା ଦେଇ ଡ୍ୟାନ୍ସ ଡ୍ୟାନ୍ସ୍ କାର୍ଯ୍ୟକ୍ରମ ଗୁଡିକରେ ମୁଖ୍ୟ ଅତିଥି ହୋଇ ଫିତାକାଟି ମଞ୍ଚ ଉଦ୍ଘାଟନ କରିଦେଇ ଭୋଟ୍ ପାଇବା ଆଶା ରଖିବା ମୁର୍ଖାମୀ କରନ୍ତୁ ନାହିଁ । ନର୍ଲାରେ ଲୋକୋମୋଟିଭ୍ କାରଖାନା ସ୍ଥାପନା ଦିଗରେ ପ୍ରୟାସ କରନ୍ତୁ । ଆମେ ସେହି ଦଳର ପ୍ରାର୍ଥୀଙ୍କୁ ଏକ ତରଫା ଭୋଟ୍ ଦେଇ ଜୟଯୁକ୍ତ କରାଇବୁ । ଆମେ ସେହି ପ୍ରାର୍ଥୀଙ୍କୁ ଆମ ନିଜଲୋକ, ନର୍ଲାର ହିତ ପାଇଁ ଜାଗ୍ରତ ପ୍ରହରୀ ବୋଲି ବିବେଚନା କରିବୁ ଏବଂ ଭୋଟ୍ ଦେବୁ ବୋଲି ଏକ ସ୍ୱରରେ କହୁଥିବା ଚର୍ଚ୍ଚା ଯୋର୍ ଧରିଛି । ଆଶାୟୀ ପ୍ରାର୍ଥୀ ମାନଙ୍କୁ ମଧ୍ୟ ଏ ନେଇ ଅଞ୍ଚଳବାସୀ ଜନସାଧାରଣ ପ୍ରଶ୍ନ ବାଣର ସମ୍ମୁଖିନ ହେବାକୁ ପଡୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.