ସନ୍ଧ୍ୟା ଆଳତି ସମୟରୁ ସାରାରାତି ହେଉଛି ପ୍ରବଳ ଭକ୍ତ ସମାଗମ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର(ବାଲିପଡା) ଦୁର୍ଗାପୂଜା ୫୦ ବର୍ଷରେ ପଦାର୍ପଣ କରିଛି । ଏଥିପାଇଁ ଚାଲିଛି ସୁବର୍ଣ୍ଣ ଜୟନ୍ତୀ ନବରାତ୍ରୀ ଦୁର୍ଗା ପୂଜା । ଏଥିପାଇଁ ଭାନପୁର ଅଞ୍ଚଳବାସୀ ସମସ୍ତେ ଲାଗି ପଡିଥିବା ବେଳେ ଶନିବାର ମହାଳୟା ଅମାବାସ୍ୟା ତିଥିରେ ଅନୁଷ୍ଠିତ ହୋଇଥିଲା ନବରାତ୍ରୀ ଦୁର୍ଗାପୂଜା ପାଇଁ ଭବ୍ୟ କଳସ ଯାତ୍ରା । ରବିବାର ଦିନଠାରୁ ଆରମ୍ଭ ହୋଇଯାଇଛି ନବରାତ୍ରୀ ଦୁର୍ଗାପୂଜା । ଜୟଦୁର୍ଗା ପୂଜା କମିଟିର ପ୍ରତ୍ୟକ୍ଷ ତତ୍ୱବାଧାନରେ ନବରାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ ହେଉଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପ୍ରତିବର୍ଷ ଭାନପୁର (ବାଲିପଡା) ଦୁର୍ଗାପୂଜା ତିନିଦିନ ପାଳିତ ହେଉଥିଲା । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ନବରାତ୍ରୀ ପୂଜା ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ମା ଜଗଜ୍ଜନନୀ ଦୁର୍ଗାଙ୍କ ମୂର୍ତ୍ତି ସହିତ ପାର୍ଶ୍ଵ ଦେବତା ଭାବରେ ଗଣେଶ, ଲକ୍ଷ୍ମୀ, ସରସ୍ୱତୀ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ନିର୍ମିତ ହେଉଥିଲା । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଇଁ ଦୁର୍ଗା ମୂର୍ତ୍ତିଙ୍କ ସମେତ ୨୨ ଗୋଟି ପାର୍ଶ୍ଵ ଦେବାଦେବୀ ମୂର୍ତ୍ତି ନିର୍ମିତ ହୋଇଥିବା ଦେଖିବାକୁ ମିଳୁଛି । ୨୨ ଗୋଟି ମୂର୍ତ୍ତିରେ ଭରପୁର ହୋଇ ଉଠିଛି ବାଲିପଡା ସରମ୍ୟ ଦୁର୍ଗା ମଣ୍ଡପ । ବାଲିପଡା ମାର୍କେଟ ସାରା ଆଲୋକ ମାଳାରେ ଝଲସି ଉଠୁଛି । ସୁବର୍ଣ୍ଣ ଜୟନ୍ତୀ ସମାରୋହ ଜୟଦୁର୍ଗା ପୂଜା କମିଟି ସହ ବାଲିପଡା ବଣିକ ସଂଘର ସହେଯାଗୀତାରେ ଅନୁଷ୍ଠିତ ହୋଇଛି ସୁବର୍ଣ୍ଣ ଜୟନ୍ତୀ ସମାରୋହ । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପୂଜାର ଅଧ୍ୟକ୍ଷ ଭାବରେ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ଉପାଧ୍ୟକ୍ଷ ଭାବରେ ଭାନପୁରର ପୂର୍ବତନ ସମିତି ସଦସ୍ୟ ତପନ ପଧାନ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେହିଭଳି ଜୟଦୁର୍ଗା ପୂଜା କମିଟିର ସଭାପତି ଭାବରେ ଲୋଚନ ସାହୁ, ଉପସଭାପତି ଭାବରେ ରୋହିତ ସାହୁ, ସାଧାରଣ ସମ୍ପାଦକ ଭାବରେ କୁନ୍ତ ଭୋଇ, ସହସମ୍ପାଦକ ଭାବରେ ଜିତୁ ପଧାନ, ସୁରେନ୍ଦ୍ର ସାହୁ ଓ ସମରେନ୍ଦ୍ର ଭୋଇ(ବବ୍ଲୁ), ପୁଜା ସମ୍ପାଦକ ଭାବରେ ଅଶୋକ ବାରିକ, କୋଷାଧ୍ୟକ୍ଷ ଭାବରେ ଜୟସେନ ନାଏକ ପ୍ରମୁଖ ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି । ପୁଜକ ପଣ୍ଡିତ ଭାବରେ ବ୍ରହ୍ମା ପଣ୍ଡିତ ଘନଶ୍ୟାମ ତ୍ରିପାଠୀ ଓ ତାଙ୍କ ସହଯୋଗୀ ଶିବ ତ୍ରିପାଠୀ, ତରୁ ପାଢୀ ଓ ନିକୁଞ୍ଜ ପାଢୀ ଦାଇତ୍ୱରେ ରହିଛନ୍ତି । ପୂଜା ପରିଚାଳନା କମିଟି ଓ ବାଲିପଡା ବଣିକ ସଂଘର ସଦସ୍ୟ ବାଲାଜି, ଅମନ, ମାନସ, ବିଶ୍ୱ, ଆକାଶଙ୍କ ସମେତ ସମସ୍ତ ସଦସ୍ୟ ପୂଜାପାଇଁ ବ୍ୟବସ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ନବରାତ୍ରୀ ପୂଜା ପାଇଁ ଭୋଗ ପ୍ରସ୍ତୁତିରେ ବିଜୟ ଖାଡଙ୍ଗା ଓ ନୀଳ ଖାଡଙ୍କା ରହିଥିବା ସୂଚନା ମିଳିଛି । ନବରାତ୍ରୀ ଦୁର୍ଗାପୂଜାର ପୂଜାକର୍ତ୍ତା ଭାବରେ ପୂର୍ବତନ ସରପଞ୍ଚ ସବିତା ସାହୁ ଓ ଲୋଚନ ସାହୁ ଦମ୍ପତି ଦାଇତ୍ୱ ନିର୍ବାହନ କରୁଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଏବର୍ଷ ଗୁଜୁରାଟର ପ୍ରସିଦ୍ଧ ସ୍ୱାମୀ ନାରାୟଣ ମନ୍ଦିର (ଅକ୍ଷର ଧାମ) ସଦୃଶ ତୋରଣ ନିର୍ମାଣ କରାଯାଇଛି । ଖୁବ ଆକର୍ଷଣୀୟ ଲାଗୁଛି ତୋରଣ । ପୂଜା ଆରମ୍ଭ ଦିନରୁ ବିଜୟାଦଶମୀ ଯାଏଁ ୯ ଦିନ ବ୍ୟାପୀ ଭବ୍ୟ ମନୋରଞ୍ଜନର କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି ଜୟଦୁର୍ଗା ପୂଜା କମିଟି । ସନ୍ଧ୍ୟା ୭ ଘଣ୍ଟା ଆରତୀ ସମୟରୁ ମନୋରଞ୍ଜନ କାର୍ଯ୍ୟକ୍ରମ ସମାପନ ହେବାଯାଏଁ ସାରାରାତି ପ୍ରବଳ ଭକ୍ତ ସମାଗମ ହେଉଥିବା ଦୃଶ୍ୟମାନ ହେଉଛି ।