ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ ଚନ୍ଦ୍ରଘଣ୍ଟା ବେଶ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ଷୋଡ଼ଶୀ (ତ୍ରିପୁରା ସୁନ୍ଦରୀ) ବେଶରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିରରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ତୃତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ୬ ଟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ସେହିପରି ସହରର ସର୍ବ ପୁରାତନ ମା ଭଗବତୀଙ୍କ ପୀଠରେ ଆଜି ଚନ୍ଦ୍ରଘଣ୍ଟା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସହରର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ନବରାତ୍ରର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଉଛନ୍ତି ମା ଦୁର୍ଗା l ତେବେ ମା’ଙ୍କ ଏଇ ବେଶ ଓ ତାହାର ମହାତ୍ମ୍ୟ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା ପୌରାଣିକ ବିଷୟ । “ପିଣ୍ଡଜପ୍ରବରାରୂଢା ଚଣ୍ଡକୋପାସ୍ତ୍ରକୈର୍ୟୁତା ।
ପ୍ରସାଦଂ ତନୁତେ ମହ୍ୟଂ ଚନ୍ଦ୍ରଘଣ୍ଟେତି ବିଶ୍ରୁତା” । ମାତା ଦୁର୍ଗାଙ୍କର ତୃତୀୟ ଶକ୍ତିର ନାମ ଚନ୍ଦ୍ରଘଣ୍ଟା । ନବରାତ୍ରି – ଉପାସନାର ତୃତୀୟ ଦିନ ତାଙ୍କ ବିଗ୍ରହର ପୂଜା ଆରାଧନା କରାଯାଏ । ମାତାଙ୍କର ଏହି ସ୍ୱରୂପ ପରମ ଶାନ୍ତିଦାୟକ ଓ କଲ୍ୟାଣକାରୀ ଅଟେ । ଏହାଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ବିରାଜିତ ହୋଇଥିବାରୁ ଏହାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ । ଚନ୍ଦ୍ରଘଣ୍ଟାଙ୍କର ଦେହର ରଙ୍ଗ ସୁନା ପରି ଉଜ୍ଜଳ । ସେ ଦଶଭୂଜା, ଦଶଭୁଜରେ ଖଡ୍ଗ ଆଦି ଶସ୍ତ୍ର ଓ ବାଣ ଆଦି ଅସ୍ତ୍ର ବିଭୂଷିତ । ସେ ସିହଂବାହିନୀ ଓ ଯୁଦ୍ଧ ନିମନ୍ତେ ଉଦ୍ୟତ ମୁଦ୍ରାରେ ବିରାଜିତ । ତାଙ୍କର ଘଣ୍ଟାମାନଙ୍କର ଭୟାନକ ପ୍ରଚଣ୍ଡ ଧ୍ୱନିରେ ଅତ୍ୟାଚାରୀ ଦାନବ ଦୈତ୍ୟ ରାକ୍ଷସମାନେ ସର୍ବଦା ପ୍ରକମ୍ପିତ ହେଉଥାନ୍ତି l ସେପଟେ ସହରର ଥନାପତି ପଡାରେ ମଧ୍ୟ ମାଙ୍କ ନବରାତ୍ରୀ ପୂଜା ଧୁମଧାମରେ ଚାଲିଛି l