‘ବିଜୁଳି ଦର ବୃଦ୍ଧି ପାଇଁ ଅଦାନୀ ଗ୍ରୁପ ଦାୟୀ’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଅଦାନୀ ଗ୍ରୁପକୁ ଟାର୍ଗେଟ କରିଛନ୍ତି । ବିଜୁଳି ଦର ବୃଦ୍ଧି ପାଇଁ ସେ ଅଦାନୀ ଗ୍ରୁପକୁ ଦାୟୀ କରିଛନ୍ତି । ସେତିକି ନୁହେଁ, କେନ୍ଦ୍ରର ମୋଦି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଦାନୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି ରାହୁଲ ।ରାହୁଲ ଅଦାନୀ ଏବଂ କୋଇଲା ଦର ବୃଦ୍ଧି ସମ୍ପର୍କିତ ଫାଇନାନ୍ସିଆଲ ଟାଇମ୍ସର ଏକ ଖବରକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ । ରାହୁଲ କହିଥିଲେ, ଅଦାନୀ ଇଣ୍ଡୋନେସିଆରୁ କୋଇଲା ଖରିଦ କରୁଛନ୍ତି । ଏହା ଭାରତରେ ପହଞ୍ଚିବା ପରେ ଦାମ ଦୁଇଗୁଣା ହୋଇଯାଉଛି । କୋଇଲାର ଭୁଲ ଦର ଦେଖାଇ ଅଦାନୀ ଗ୍ରୁପ ବିଜୁଳି ଦର ବୃଦ୍ଧି କରୁଛି ଏବଂ ଏହି ବର୍ଦ୍ଧିତ ଦରରୁ ସିଧା ଅଦାନୀ ୧୨ ହଜାର କୋଟି ଟଙ୍କା ଆଦାୟ କରୁଛି । ତେବେ ଆଶ୍ଚର୍ଯ୍ୟର କଥା ମିଡିଆ ଏ ସମ୍ପର୍କରେ କୌଣସି ପ୍ରଶ୍ନ ଉଠାଉ ନାହିଁ । ଏପରି ଖବରକୁ ନେଇ ସରକାର ଭାଙ୍ଗିଯାଏ । ଆମେ ସବସିଡି ଦେଉଛୁ । ହେଲେ ଅଦାନୀ ଦର ବୃଦ୍ଧି କରୁଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଚୁପ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରି ଅଦାନୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଛନ୍ତି । ରାହୁଲ ସିଧାସଳଖ କହିଛନ୍ତି, ଅଦାନୀଙ୍କୁ ରକ୍ଷା ପ୍ରଧାନମନ୍ତ୍ରୀ କରୁଛନ୍ତି । ଅଦାନୀଙ୍କୁ ବ୍ଲାଙ୍କ ଚେକ ଦିଆଯାଏ । ସେ ଯାହା ଚାହାଁନ୍ତି ତାହା କରନ୍ତି । ଗାଁ ଗାଁରେ ସମସ୍ତଙ୍କୁ ଜଣା ଅଦାନୀ ଭ୍ରଷ୍ଟାଚାର କରନ୍ତି । ପ୍ରଧାନମନ୍ତ୍ରୀ ଏହି ଘଟଣାର ଯାଞ୍ଚ କରନ୍ତୁ ବୋଲି କହିଛନ୍ତି ରାହୁଲ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.