ସଇଁତଲାରେ ନୂତନ ବସଷ୍ଟାଣ୍ଡ ପାଇଁ ଜବରଦଖଲ ଉଛେଦ; ଗରିବଙ୍କ ଘର ଭାଙ୍ଗିଲେ ବଡବଡିଆଙ୍କୁ ମାଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ବେଆଇନ ଜବରଦଖଲ ଉପରେ ଉଛେଦ କରିଛି ପ୍ରଶାସନ। ପ୍ରକାଶ ଯେ, ସଇଁତଲା ସ୍ଥିତ ଡ଼ାକବଙ୍ଗଳା ଠାରେ ନିର୍ମାଣ ହେବାକୁ ଥିବା ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଥିଲା। ଏଥିରେ ୨୬ ନଂ ଜାତୀୟ ରାଜପଥ ରାସ୍ତା କଡ଼ରେ ବେଆଇନ ଜବରଦଖଲ କରି ଅନେକ ଗରିବ ଲୋକେ ଘର ନିର୍ମାଣ କରି ଦୀର୍ଘ ବର୍ଷରୁ ରହି ଆସୁଥିଲେ। ଏ ନେଇ ପ୍ରଶାସନ ନୋଟିସ ଜାରୀ କରିଥିଲା। ଏଥିରେ ପ୍ରଶାସନ ୫/୬ ଗୋଟି ପରିବାରଙ୍କ ଘର ଜେସିବି ମେସିନ ଲଗାଇ ଭାଙ୍ଗି ଧୂଳିସାତ କରିଥିବା ବେଳେ ଅନ୍ୟ କିଛି ଲୋକଙ୍କ ଘରଗୁଡ଼ିକୁ ଛାଡି ଦେଇଥିବାରୁ ଉଛେଦ ହୋଇଥିବା ପରିବାର ଲୋକେ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ସେମାନେ କହିଥିଲେ ଯେ, ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ କିଛି ଲୋକଙ୍କ ଅକ୍ତିୟାରରେ ରହିଥିବା ବେଳେ ମୁଖ୍ୟ ରାସ୍ତାଟି ସଂକୁଚିତ ଅବସ୍ଥାରେ ଅଛି। ବହୁ ସମୟରେ ଟ୍ରାଫିକ ଜାମ ରହୁଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଥିବା ନଜର ଆସିଛି। ସାଧାରଣ ଜନତା କେବେ ସରକାରୀ ଜମି ଜବରଦଖଲ ହଟିବ ଓ ରାସ୍ତା ଓସାରିଆ ହେବ ବୋଲି ପ୍ରଶ୍ନ କରିଥିବା ବେଳେ ତହସିଲଦାର ପରବର୍ତ୍ତୀ ସମୟରେ ଭଙ୍ଗା ଯିବ ବୋଲି ପ୍ରକାଶ କରିଥିଲେ। ଯାହା ଫଳରେ ଭଙ୍ଗା ଯାଇଥିବା ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିରେ ଗରିବଙ୍କ ଘର ଭାଙ୍ଗି ଥିବା ବେଳେ ବଡ଼ବଡ଼ିଆଙ୍କ ଘରକୁ ମାଫ କରିଥିବା ସାଧାରଣ ଚର୍ଚ୍ଚା ହେଉଛି। ଏହି ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ମାନସନ ଫିଲ କେରକେଟା, ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁତଲା ଥାନା ଅଧିକାରୀ ଅବନୀ ସାହୁ, ଏଆରଆଇ ନର୍ମଦା ପାରା, ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ, ଗୋପାଳ ମିଶ୍ର, ଏସଆଇ ଆଲୋକ ପ୍ରସାଦ ଭୋଇଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.