କନ୍ଧମାଳକୁ ରେଳ ପ୍ରକଳ୍ପ ବାଦ୍ ପ୍ରତିବାଦରେ ୧୦ରେ ସମଗ୍ର କନ୍ଧମାଳ ଜିଲ୍ଲା ବନ୍ଦ ନିଷ୍ପତ୍ତି

ଓଡିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆବାହକ ଗୋଲକ ବିହାରୀ କହଁରଙ୍କ ଆବାହନରେ ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପରୁ ଫୁଲବାଣୀ ବାଦ୍ ପଡିବା ପ୍ରତିବାଦରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। କେନ୍ଦ୍ର ସରକାର ସଂସଦରେ ବଜେଟ୍ ଘୋଷଣା କରିଥିବା ସତ୍ବେ ରାଜ୍ୟ ସରକାରଙ୍କ ଅଧିନରେ ଦାୟିତ୍ଵରେ ଥିବା ସର୍ଭେ ସଂସ୍ଥା ଓରିଡିଲ୍ କନ୍ଧମାଳ ପ୍ରତି ବୈମାତୃକ ମନୋଭାବ ରଖି ଏହି ପ୍ରକଳ୍ପରୁ ଫୁଲବାଣୀକୁ ବାଦ୍ ପକାଇଥିବା ନେଇ ଉପସ୍ଥିତ ନେତୃତ୍ୱ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ବରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା ଆଜିକୁ ମାସେରୁ ଅଧିକ ସମୟ ହେଲା ସରକାରଙ୍କ ପକ୍ଷରୁ କିମ୍ବା ଓରିଡିଲ୍ ସଂସ୍ଥା ପକ୍ଷରୁ କୌଣସି ପ୍ରକାରେ ଉତ୍ତର ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଉପସ୍ଥିତ ସଦସ୍ୟ ମତ ପ୍ରକାଶ କରିଥିଲେ। ଆଗାମୀ ଆଠ ଦିନ ଭିତରେ ରାଜ୍ୟ ସରକାର କିମ୍ବା ସର୍ଭେ ସଂସ୍ଥା ଓରିଡିଲ୍ ଯଦି ପୁନର୍ବିଚାର କରି ଏହି ପ୍ରକଳ୍ପରେ ଫୁଲବାଣୀକୁ ନ ଯୋଡ଼ନ୍ତି ତାହେଲେ ଚଳିତ ମାସ ନଭେମ୍ବର ୧୦ ତାରିଖ ଶୁକ୍ରବାର ଦିନ ସମଗ୍ର କନ୍ଧମାଳ ଜିଲ୍ଲା ବାର ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ହେବ ବୋଲି ବୈଠକରେ ସାମୁହିକ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅଞ୍ଚଳର ନେତୃତ୍ୱ ତଥା ସମାଜସେବୀ ଭଗବାନ ମହାନ୍ତି, ଅବନେଶ୍ବର ପ୍ରଧାନ, ସହଦେବ ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.