କଂଗ୍ରେସ ଆପଣ ସମସ୍ତଙ୍କୁ ବିଶ୍ୱାସଘାତକତା ବ୍ୟତୀତ ଆଉ କିଛି ଦେଇ ନାହିଁ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

ଓଡ଼ିଆ ବାର୍ତ୍ତା/ ରାୟପୁର: ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସୁରଜପୁରରେ ଏକ ସାଧାରଣସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ, ଗୋଟିଏ ପଟେ ବିଜେପିର ସଙ୍କଳ୍ପ ପତ୍ର ଏବଂ ଅନ୍ୟ ପଟେ କଂଗ୍ରେସର ମିଥ୍ୟା ବ୍ୟବସାୟ । କଂଗ୍ରେସ ଆପଣ ସମସ୍ତଙ୍କୁ ବିଶ୍ୱାସଘାତକତା ବ୍ୟତୀତ ଆଉ କିଛି ଦେଇ ନାହିଁ । ଛତିଶ ଗଡର ଯୁବକମାନଙ୍କ ସ୍ୱପ୍ନକୁ ମଧ୍ୟ କଂଗ୍ରେସ ପୂରଣ କରି ନାହିଁ । ଏପରିକି ସେମାନେ ମହାଦେବଙ୍କ ନାମରେ ମଧ୍ୟ ଘୋଟାଲା କରିଛନ୍ତି । ମହାଦେବ ବେଟିଂ ସ୍କାମ ଆଜି ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସ ନିଜର ଫାଇଦା ପାଇଁ ଆପଣମାନଙ୍କ ପିଲାମାନଙ୍କ ଦ୍ବାରା ଏହି ବେଟିଂ ସ୍କାମ କରାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ ସିଏମ ଭୁପେଶ ବାଘେଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜୁଆ ଅଡ୍ଡାରେ ପରିଣତ ହୋଇଥିଲା । ଏଠି ଖୁଲମଖୁଲା ଜୁଆ ଖେଳ ଚାଲୁଥିଲା । ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟତର ଲୋକମାନେ ଜେଲରେ ଅଛନ୍ତି । ଏଠାରେ ଚଢାଉରେ ବେଳେ ଗଦା ଗଦା ନୋଟ୍ ମିଳୁଛି, ପ୍ରମାଣ ସହିତ କୋଟି କୋଟି ଟଙ୍କା ଜବତ କରାଯାଇଛି । ଏହି ଘୋଟାଲାର ସବୁଠାରୁ ବଡ ଅଭିଯୁକ୍ତ ଟିଭିରେ ଆସୁଛି ଏବଂ କହୁଛି ଯେ, ସେ ମୁଖ୍ୟମନ୍ତ୍ରୀଙ୍କୁ ୫୦୦ କୋଟିରୁ ଅଧିକ ଟଙ୍କା ଲାଞ୍ଚ ଦେଇଛି । ଏ ବିଷୟରେ ବର୍ତ୍ତମାନ ଆପଣ ମାନଙ୍କୁ ପ୍ରମାଣ ଦରକାର କି ବୋଲି ମୋଦି ଜନତାଙ୍କୁ ପ୍ରଶ୍ନ କରିଛନ୍ତି?  ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ଦେଶରେ କଂଗ୍ରେସ ସରକାର ଯେବେବି ଆସିଛି ଦେଶରେ ଆତଙ୍କବାଦୀ ଏବଂ ନକ୍ସଲମାନଙ୍କ ସାହସ ବଢିଥାଏ । ଯେଉଁ ଯେଉଁ ରାଜ୍ୟରେ କଂଗ୍ରେସ କ୍ଷମତାରେ ଅଛି, ସେଠାରେ ଅପରାଧ ଏବଂ ଲୁଟ୍ ବଢିଚାଲିଛି । ନକ୍ସଲ ହିଂସାକୁ ନିୟନ୍ତ୍ରଣ କରିବାରେ କଂଗ୍ରେସ ସରକାର ବିଫଳ ହୋଇଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ବିଜେପି ଛତିଶଗଡ ନିର୍ମାଣ କରିଛି ଏବଂ ସେଥିପାଇଁ ଆଜି ସମଗ୍ର ଛତିଶଗଡ କହୁଛି, ‘ବିଜେପି ଏହାକୁ ନିର୍ମାଣ କରିଛି, କେବଳ ବିଜେପି ଏହାର ଉନ୍ନତି କରିବ ବୋଲି ମୋଦୀ କହିଛନ୍ତି’।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.