ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ପାଇଁ ସାଧନ ସାମଗ୍ରୀ ବିକାଶ କର୍ମଶାଳା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଧର୍ମଗଡ ବ୍ଲକ କାଶୀଵାହାଲ କ୍ଲଷ୍ଟର ଅନ୍ତର୍ଗତ ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ବଗାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, କଳାହାଣ୍ଡିର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତ୍ରିଦିବସୀୟ ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ପାଇଁ ସାଧନ ସାମଗ୍ରୀ ବିକାଶ କର୍ମଶାଳା ଉଦଘାଟିତ ହୋଇଯାଇଛି। ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜିନି ମାଝୀ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ଓ ଶିକ୍ଷକ ପ୍ରଶିକ୍ଷକ ରାଜୀବ ଲୋଚନ ପଣ୍ଡା ଯୋଗଦେଇ କର୍ମଶାଳାରେ ବିଭିନ୍ନ କ୍ଲଷ୍ଟରରୁ ଯୋଗଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପିଲାଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସୁଦୃଢ କରିବା ପାଇଁ ଆବଶ୍ୟକ ଶିକ୍ଷଣ ସାମଗ୍ରୀ ଗୁଡିକର ପ୍ରସ୍ତୁତି ପ୍ରଣାଳୀ ଶିଖାଇଥିଲେ। ପ୍ରଥମରୁ ତୃତୀୟ ପର୍ଯ୍ୟନ୍ତ ସବୁ ପିଲା ଯେମିତି ଅକ୍ଷରରୁ ବାକ୍ୟ ପର୍ଯ୍ୟନ୍ତ ପଢ଼ି, ଲେଖି, ବୁଝି ଏହାର ଉପଯୁକ୍ତ ବ୍ୟବହାର କରି ପାରୁଥିବେ ତଥା ସଂଖ୍ୟାକୁ ଚିହ୍ନଟ କରି ଉପଯୁକ୍ତ ବ୍ୟବହାର କରିବା ପାଇଁ ଏହି ସୁନ୍ଦର ଓ ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀର ବହୁଳ ବ୍ୟବହାରର ଆବଶ୍ୟକତା ଅଛି ବୋଲି ବିଇଓ ଶ୍ରୀମତୀ ମାଝୀ ପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱଜିତ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାକୁ ବରିଷ୍ଠ ଶିକ୍ଷକ ବଟକୃଷ୍ଣ ବେହେରା ପରିଚାଳନା କରିଥିଲେ। କର୍ମଶାଳାରେ ଅଂଶଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଖୁବ୍ ସୁନ୍ଦର ଓ ଚିତ୍ତାକର୍ଷକ ଶିକ୍ଷଣ ସାମଗ୍ରୀ ସବୁ ପ୍ରସ୍ତୁତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.