ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସୀମାନ୍ତ ପଂଚାୟତ ପୌରକେଲା, ରିଷିଡା ଓ ଗଜବାହାଲ ଅଂଚଳର ଚାଷୀମାନେ ଉତେଇ କେନାଲରୁ ଠିକ ଭାବେ ପାଣି ପାଉନଥିବାରୁ ନିକଟରେ ବହିଯାଉଥିବା ତେଲନଦୀରେ ବୃହତ୍ ଉଠାଜଳସେଚନ ପଏଂଟ ସ୍ଥାପନ କରି ଏଇ ତିନୋଟି ପଂଚାୟତର ୧୯ ଖଣ୍ଡ ଗ୍ରାମର ଜମିକୁ ଜଳସେଚନ ଯୋଗାଇଦେବାକୁ ଦୀର୍ଘ ବର୍ଷ ହେଲା ଦାବୀ ହୋଇଆସୁଛି। ଗତ ବର୍ଷ ଅଗଷ୍ଟ ମାସରେ ଏଇ ତିନୋଟି ପଂଚାୟତର ସରପଂଚ ମାନଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି ଟିମ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ସାକ୍ଷାତ କରି ଏଇ ମର୍ମରେ ଦାବୀପତ୍ର ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀମତୀ ସାହୁ ଏହାକୁ ଗୁରୁତର ସହ ନେଇଥିଲେ। ଫଳରେ ଜଳସଂପଦ ବିଭାଗ ପକ୍ଷରୁ ଅଣ୍ଡର ସେକ୍ରେଟାରୀ ବିଧାନ ଚନ୍ଦ୍ର ରାଉତ ମେଗାଲିଷ୍ଟ ର ମୁଖ୍ୟଯନ୍ତ୍ରୀ ଙ୍କୁ ଗତବର୍ଷ ଅକ୍ଟୋବର ୧୦ ତାରିଖ ଦିନ ପତ୍ରାଙ୍କ-୨୬୨୬୯ ରେ ଚିଠି କରି ଏହାର କ୍ଷେତ୍ରୀୟ ଗୁଣାବତା ରିପୋର୍ଟ (ଫିଜିବିଲିଟି) ଦେବାକୁ ଅନୁରୋଧ କରିଥିଲେ। ତଦ୍ ଅନୁଯାଇ ଗତ ବର୍ଷ ନଭେମ୍ବର ମାସ ୭ ତାରିଖ ଦିନ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, କଳାହାଣ୍ଡି ଇଂ ସତ୍ୟନାରାୟଣ ପଟ୍ଟନାୟକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅନନ୍ତ ନାଏକ କ୍ଷେତ୍ର ପରିଦର୍ଶନରେ ଆସି କୁନ୍ଦେଇପାଲି ସ୍ଥିତ ତେଲନଦୀର ଭଏଁରିଗୁଭା ଅଂଚଳ ବୁଲି ଦେଖିଥିଲେ। ସେହି ସମୟରେ ପୌରକେଲା ସରପଂଚ ଯଶୋସ୍ୱିନୀ ଧରୁଆ, ରିଷିଡା ସରପଂଚ ସେବତୀ ରଣା, ଗଜବାହାଲ ସରପଂଚ ଅରବିନ୍ଦ ଗହୀର, ରିଷିଡା ପେକ୍ସ ସଭାପତି ଗୋକୁଳ ମାଝୀଙ୍କ ସମତେ ଚାଷୀ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। କିନ୍ତୁ ଏହାର ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପର ଅଗ୍ରଗତି ହୋଇନାହିଁ। ପ୍ରକାଶଥାଉକି ତତ୍କାଳୀନ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗତ ମେ ମାସରେ କଳାହାଣ୍ଡି ଗସ୍ତ ସମୟରେ ମଧ୍ୟ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା। ହେଲେ ପ୍ରଶାସନିକ ସ୍ତରରେ ଏହାର କିଛି ଅଗ୍ରଗତି ହୋଇନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଆଗକୁ ନିର୍ବାଚନ ଥିବାବେଳେ ଅଂଚଳର ହକ୍ଦବୀ ପ୍ରତି ଯଦି ରାଜ୍ୟ ସରକାର ସକରାତ୍ମକ ପଦକ୍ଷେପ ନ ନିଅନ୍ତି ତେବେ ଏହାର ପ୍ରଭାବ ପଡିବା ନିଶ୍ଚିତ ବୋଲି ଆଲୋଚନା ହେଉଛି। ସୂଚନାଥାଉକି ଏଇ ତିନୋଟି ପଂଚାୟତର ୧୯ ଖଣ୍ଡ ରାଜସ୍ୱ ଗ୍ରାମ ଯଥା କୁନ୍ଦେଇପାଲି, ତେରେକେଲା, ପୌରକେଲା, ଶିରାବାହାଲ, ବୁଢୀପଦର, ଖରଝୁରା, ରିଷିଡା କୁମ୍ଭାରପଡା, ରିଷିଡା କନ୍ଧପଡା, ସଲଣ୍ଡିଆମୁଣ୍ଡା, ବ୍ରାହ୍ମଣୀମୁଣ୍ଡା, ଗଜବାହାଲ, ଅବୁଜବାହାଲ, ବଡଡୁଙ୍ଗୁରୀଗୁଡା, ଭାଲୁପିଆ, ପରମାନନ୍ଦପୁର, କଅଁସିଲ, ଡଙ୍ଗରମୁଣ୍ଡା, ଧଅଁରାଖମନ, ଟେଟେଙ୍କପଦରର ପ୍ରାୟ ୯୨୪୩ ଏକର ଜମି ଜଳସେଚିତ ହୋଇପାରିବ। ଏ ଦିଗରେ ରାଜ୍ୟ ସରକାର ତଥା ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀମାନେ ଦାବୀ ଜଣାଇଛନ୍ତି।





