ରାୟଗଡାରେ ଯୁବକଙ୍କୁ ହତ୍ୟା ଘଟଣା: ହତ୍ୟାର ୩ଘଣ୍ଟା ଭିତରେ ୨ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ପ୍ରେମ ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ରାୟଗଡା ସହରରେ ପ୍ରମୋଦ କଲକା ନାମକ ଜଣେ କଲେଜ ଛାତ୍ରକୁ ଦିବାଲୋକରେ ଛୁରୀ ଭୂଷି ହତ୍ୟା କରାଯାଇଥିବା ଘଟଣାରେ ୨ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ରାୟଗଡା ଥାନା ପୋଲିସ | ଘଟଣାରେ ଅନ୍ୟ ଜଣଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ତଦନ୍ତ ଜାରି ରଖି ଥିବା ବେଳେ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଅଧିକ ଜେରା କରୁଥିବା ଜଣାପଡିଛି | ଗିରଫ ଦୁଇ ଅଭିଯୁକ୍ତ ହେଲେ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଖିଲିମିଶିଗୁଡା ଗ୍ରାମର ଦୀପନ ହିମିରିକା ଓ ଅରିୟା କଣ୍ଡାଗାରୀ | ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି | ମିଳିଥିବା ସୂଚନା ପ୍ରକାରେ ଦୀପନର ଭଉଣୀ ଓ ପ୍ରମୋଦ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଦୀପନ ଓ ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ | ପ୍ରମୋଦ ନିଜ ମୋବାଇଲରେ ଉଠାଇଥିବା କିଛି ଫୋଟୋ ଭାଇରଲ କରିଥିଲା | ନିଜ ଭଉଣୀ ଠାରୁ ଦୁରେଇ ରହିବା ପାଇଁ ପ୍ରମୋଦକୁ ଦୀପନ ବାରମ୍ବାର ସତର୍କ କରାଇବା ସହ ନ ଦୂରେଇଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲା | ଦୀପନ ଠାରୁ ମିଳିଥିବା ଧମକ ବିଷୟରେ ପ୍ରମୋଦ ରାୟଗଡାରେ ରହୁଥିବା ମାମୁଁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କୁ ଜଣାଇଥିଲେ | ତେବେ ଭଣଜା ପ୍ରମୋଦ ଠାରୁ ଧମକ ବିଷୟରେ ଶୁଣିବା ପରେ ଧମକୁ ଗୁରୁତର ସହ ନେଇ ନ ଥିଲେ ମାମୁଁ ଗଙ୍ଗାଧର | ଯାହାର ପରିଣାମ ସ୍ୱରୂପ ପ୍ରମୋଦକୁ ଜୀବନରୁ ମାରି ଦେବାର ଯୋଜନାକୁ ସଫଳ କଲେ ଦୀପନ | ଆଜି ସକାଳେ ନିଜ ମାମୁଁଙ୍କ ଝିଅକୁ ସ୍କୁଟିରେ ସ୍କୁଲକୁ ଛାଡିବା ପାଇଁ ଯିବା ସମୟରେ ଗୌତମ ନଗର ରାସ୍ତାରେ ଦୀପନ ଓ ତା ସାଙ୍ଗ ଅରିୟା ଓ ଅନ୍ୟ ଜଣେ ବାଇକରେ ଆସି ପ୍ରମୋଦ ଉପରେ ଆକ୍ରମଣ କରିବା ସହ ଛୁରୀରେ ଭୂଷି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ | ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରମୋଦ ତଳେ ପଡିଯାଇଥିଲେ | ସାଙ୍ଗରେ ଥିବା ମାମୁଁଙ୍କ ଝିଅ ଭୟଭୀତ ହୋଇ ଚିତ୍କାର କରି କାନ୍ଦିଥିବା ଦେଖି ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଥାନାକୁ ଜଣାଇଥିଲେ | ଖବର ପାଇ ରାୟଗଡା ଜିଲ୍ଲା ଏସପି ବିବେକାନନ୍ଦ ଶର୍ମା ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅତିରିକ୍ତ ଏଡିପି ବିଷ୍ଣୁ ପ୍ରସାଦ ପାତ୍ର,ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ରାୟଗଡା ଥାନା ଅଧିକାରୀ କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ | ଘଟଣା ସ୍ଥଳରେ ମାମୁଁ ଗଙ୍ଗାଧର ପହଞ୍ଚିବା ସହ ଥାନାରେ ଧମକ ଦେଇଥିବା ବ୍ୟକ୍ତି ସମ୍ପର୍କରେ ଏତଲା ଦେଇଥିଲେ | ଏତଲାକୁ ଆଧାର କରି ସ୍ଥାନୀୟ ଅଞ୍ଚଳର ସିସି ଟିଭି ଫୁଟେଜ ଯାଞ୍ଚ କରି ହତ୍ୟା ଘଟଣାରେ ୩ ରୁ ୪ଘଣ୍ଟା ମଧ୍ୟରେ ଦୀପନ, ଅରିୟାଙ୍କୁ ରାୟଗଡା ସହର ଉପକଣ୍ଠ ଭିୟୁ ପଏଣ୍ଟ ରାସ୍ତା ଦେଇ ସାତରୁ ଆଠ କିଲୋମିଟର ଯିବା ରାସ୍ତାରୁ ପୋଲିସ ଉଠାଇଥିଲେ |ପ୍ରକାଶ ଥାଉ କି, ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର ଭାବେ ମୃତ ପ୍ରମୋଦ ଅଧ୍ୟୟନ କରୁଥିଲେ ବୋଲି ଜଣାପଡିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.